ରଥ ଉପରେ ଭିଡିଓ କରି ଭାଇରାଲ୍‌, ସୋସିଆଲ୍‌ ମିଡିଆରେ ଅଣସେବାୟତଙ୍କ ଫଟୋ

ରଥ ଉପରେ ଭିଡିଓ କରି ଭାଇରାଲ୍‌, ସୋସିଆଲ୍‌ ମିଡିଆରେ ଅଣସେବାୟତଙ୍କ ଫଟୋ

ପୁରୀ : ଚଳିତ ରଥଯାତ୍ରାରେ ବିଶୃଙ୍ଖଳାରେ ରୋକ୍‌ ଲାଗି ପାରିନି। ରଥ ଉପରେ ମୋବାଇଲ୍‌ ନେବା, ଠାକୁରଙ୍କ ଭୂଜରେ ହାତ ରଖିବା ଭଳି ଅନେକ କଟକଣା ଲାଗିଥିଲେ ବି କେହି ଏହାକୁ ମାନିନାହାନ୍ତି। ଓଲଟା ରଥ ଉପରକୁ ଯାଇ ଠାକୁରଙ୍କ କୁଣ୍ଢାଇ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ସୋସିଆଲ୍‌ ମିଡିଆରେ ଛାଡ଼ିଛନ୍ତି। ଅନେକ ରଥ ଉପରେ ଠାକୁରଙ୍କ ପାଖରୁ ରିଲ୍‌ସ ବି କରିଥିବା ଦେଖିବାକୁ ମିଳିଛି। ଯାହା ସୋସିଆଲ୍‌ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍‌ ହେଉଛି। ବଡ଼ କଥା ହେଉଛି, ଅନେକ ଅଣସେବାୟତ ବି ମଠା, ମକୁଟା ପିନ୍ଧି ରଥ ଉପରେ ଚଢ଼ିଛନ୍ତି ଓ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି। ଯେଉଁମାନଙ୍କ ଫଟୋ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ଅନେକ ପଶ୍ଚିମବଙ୍ଗର ଲୋକ ଥିବା ଅଭିଯୋଗ ଉଠିଛି।

ବ୍ୟବସ୍ଥାବଳୀ ବାରମ୍ବାର ଉଲ୍ଲଂଘନ ହେବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀମାନଙ୍କୁ ଏକ ଚିଠି କରିଥିଲେ। ଯେଉଁଥିରେ କେବଳ ସମ୍ପୃକ୍ତ ଦିନର ପାଳିଆ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ ପହଣ୍ଡି ପରେ ରଥ ଉପରେ ରହିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଅନାବଶ୍ୟକ ସହାୟକଙ୍କୁ ରଥକୁ ନ ଚଢ଼ାଇବାକୁ କୁହାଯାଇଥିଲା। ତାଳଧ୍ବଜ ରଥରେ ୬୦ଜଣ, ଦେବଦଳନ ରଥରେ ୫୦ଜଣ ଓ ନନ୍ଦିଘୋଷ ରଥରେ ୭୦ଜଣ ସେବକ ଓ କର୍ମଚାରୀ ରହିବେ ବୋଲି କୁହାଯାଇଥିଲା। ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କିମ୍ବା ରଥ ବାଡ଼ କଡ଼ରେ ରଥାରୁଢ଼ ବିଗ୍ରହମାନଙ୍କୁ ଅବରୋଧ କରି ଠିଆ ନ ହେବାକୁ କଟକଣା ଲଗାଯାଇଥିଲା। ଏହାକୁ ଫାଙ୍କି ଉଡ଼ାଇ ଦିଆଗଲା।

publive-image

ଶ୍ରୀମନ୍ଦିର ପରିଚାଳନା କମିଟିର ଜନୈକ ସଦସ୍ୟ କହିଛନ୍ତି, ସୋସିଆଲ୍‌ ମିଡିଆରେ ମହାପ୍ରଭୁଙ୍କ ବିଭିନ୍ନ ଆପତ୍ତିଜନକ ଭିଡିଓ ବି ଭାଇରାଲ୍‌ ହେଉଛି। ମହାପ୍ରଭୁଙ୍କ ପୋଷାକ ବଦଳା ଭିଡିଓ ବି ସୋସିଆଲ୍‌ ମିଡିଆରେ ଛଡ଼ାଯାଇଛି। ଆମେ ଯଦି ପୋଷାକ ବଦଳାଇବା ସମୟରେ ଭିଡିଓ କରୁନେ, ତେବେ ମହାପ୍ରଭୁଙ୍କ ପୋଷାକ ବଦଳା ଦୃଶ୍ୟ କିଭଳି ସୋସିଆଲ୍‌ ମିଡିଆରେ ଛଡ଼ାଯିବ। ମହାପ୍ରଭୁଙ୍କୁ ମୋଡ଼ା ଘସା କରିବାର ଅନେକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହା ଏକ ଗୁପ୍ତ ସେବା। ଏହାକୁ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିବାର ଯଥାର୍ଥ କ’ଣ? ଏ କଥା ସେ ନିଶ୍ଚିତ ପରିଚାଳନା କମିଟିରେ ଉଠାଇବେ ବୋଲି କହିଛନ୍ତି। ସେହିଭଳି କିଏ ମହାପ୍ରଭୁଙ୍କୁ କୁଣ୍ଢାଇବାର ତ କିଏ ଭୁଜାରେ ହାତ ରଖିବାର ଫଟୋ ଓ ଭିଡିଓ ଛାଡ଼ିଛନ୍ତି। ଅନେକ ଯୁବକ ବି ସେବା ନାଁରେ ରଥରେ ରିଲ୍‌ସ ଆଦି କରିଛନ୍ତି। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ପରିଚାଳନା କମିଟି ସଦସ୍ୟ ଜଣକ କହିଛନ୍ତି।

ଏ ସମ୍ପର୍କରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, କିଛି ଅଣସେବାୟତଙ୍କ ଯୋଗୁ ଏଥର ରଥଯାତ୍ରାରେ ବିଶୃଙ୍ଖଳା ହୋଇଥିଲା। ତଥାପି ଆଗାମୀ ବର୍ଷକୁ ଏଥିରେ ସୁଧାର ଆଣିବାକୁ ଆମେ ଚେଷ୍ଟା କରିବୁ। ସ୍ବତ୍ବଲିପି ଆଧାରରେ ଯଦି ରଥଯାତ୍ରା ନୀତିକାନ୍ତି ହୁଅନ୍ତା, ପାଳିଆ ସେବକମାନେ ନୀତିକାନ୍ତି କରନ୍ତେ, ଏତେ ବିଶୃଙ୍ଖଳା ହୁଅନ୍ତାନି। କିନ୍ତୁ ସେଭଳି କରାଯାଉନି। ଏ ସମ୍ପର୍କରେ ବି ମୋର ସ୍ପଷ୍ଟ ମତ ଶ୍ରୀମନ୍ଦିର ପ୍ରଶାସନକୁ ଦେଇସାରିଛି। ଚଳିତ ଥର ରଥଯାତ୍ରାରେ କେଉଁମାନେ ପାଳି ଖଟିବେ, ସେମାନଙ୍କ ତାଲିକା ବି ଶ୍ରୀମନ୍ଦିର ପ୍ରଶାସନକୁ ମାଗିଥିଲି। କିନ୍ତୁ ମୋତେ ଏହି ତାଲିକା ମିଳିନି। ଯେଉଁମାନେ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରି ବିନା ପାସ୍‌ରେ ରଥ ଉପରେ ଚଢ଼ିଛନ୍ତି, ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଚଳିତ ରଥଯାତ୍ରାରେ ସେଭଳି କେହି ଅଣସେବାୟତ ରଥ ଉପରେ ଚଢ଼ିନାହାନ୍ତି। କେବଳ ସେବକଙ୍କ ସହାୟକମାନେ ହିଁ ରଥ ଉପରେ ଚଢ଼ିଛନ୍ତି। ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କ ପାଖକୁ ଆସନ୍ତି। ମହାପ୍ରଭୁଙ୍କୁ ରଥରେ ସ୍ପର୍ଶ କରିଦେଲେ କିଛି ଅସୁବିଧା ନାହିଁ। ପୂର୍ବରୁ ବି ରଥ ଉପରେ ଚଢ଼ିବା ଓ ମହାପ୍ରଭୁଙ୍କୁ ଛୁଇଁବାର ବ୍ୟବସ୍ଥା ଥିଲା। କିନ୍ତୁ କିଛି କୁଚକ୍ରୀ ଗୋଷ୍ଠୀ ଏହାକୁ ବନ୍ଦ କରିଦେଲେ। ଭକ୍ତ-ଭଗବାନଙ୍କ ଭିତରେ ପାଚେରି ଠିଆ କରିଦେଲେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe