ସ୍ବାଧୀନତା ଖୋଜୁଛି ପାହାଡ଼ ତଳ ଗାଁ ‘କେନ୍ଦାଯୋର’

‘ଗାଁକୁ ରାସ୍ତା ନାହିଁ, ଛୋଟ ନାଳ ଡେଇଁ ଲମ୍ବି ଯାଇଥିବା ପାଦଚଲା ବାଟରେ ଦଶନ୍ଧି ଦଶନ୍ଧି ଧରି ଚାଲିଛି ଯିବାଆସିବା। ଏମିତିରେ ଗାଁକୁ ଆସି ପାରେନି ଆମ୍ବୁଲାନ୍ସ। ସେଇଥିପାଇଁ ଗୁରୁତର ରୋଗୀ ତଥା ଗର୍ଭବତୀଙ୍କୁ ‌ଖଟ ଦୋଳାରେ ବୋହି ନେବାକୁ ହୁଏ।

sffscxxcxc

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ‘ଗାଁକୁ ରାସ୍ତା ନାହିଁ, ଛୋଟ ନାଳ ଡେଇଁ ଲମ୍ବି ଯାଇଥିବା ପାଦଚଲା ବାଟରେ ଦଶନ୍ଧି ଦଶନ୍ଧି ଧରି ଚାଲିଛି ଯିବାଆସିବା। ଏମିତିରେ ଗାଁକୁ ଆସି ପାରେନି ଆମ୍ବୁଲାନ୍ସ। ସେଇଥିପାଇଁ ଗୁରୁତର ରୋଗୀ ତଥା ଗର୍ଭବତୀଙ୍କୁ ‌ଖଟ ଦୋଳାରେ ବୋହି ନେବାକୁ ହୁଏ। ବିଜୁଳି ନାହିଁ, ସଞ୍ଜ ନଉଣୁ ମାଡ଼ି ଆସେ ଅନ୍ଧାର। କିଛି ବର୍ଷ ହେଲା ପାଣି ପ‌ାଇଁ ‌‌‌‌ସୌରଚାଳିତ ପାନୀୟ ପ୍ରକଳ୍ପ ବସାଇଛନ୍ତି ସରକାର। ବର୍ଷାଦିନେ ମେଘ ଢାଙ୍କିଲେ ତାହା ବି ଅଚଳ। ଏହି ସମୟରେ କୂଅପାଣି ପିଇ ଜୀବନ ବଞ୍ଚେ। ପ୍ରାଥମିକ ଶିକ୍ଷା ପାଇଁ ଯେଉଁ ବିଦ୍ୟାଳୟଟି ଥିଲା, ବହୁ ବର୍ଷରୁ ସେଥିରେ ତାଲା ପଡ଼ିଯାଇଛି। ପିଲାଏ ପାଠ ଛାଡ଼ି ଦେଇଛନ୍ତି। ଏମିତି ଏକ ନାହିଁ ନାହିଁର ଗାଁରେ ଆମେ ବଞ୍ଚୁଛୁ’। ଏକାଥରକେ ଗାଁର ଏତେ ସବୁ ଦୁର୍ଦ୍ଦଶା କଥା କହି ଦମ୍‌ ମାରିଥିଲେ ଦଶରୁ କିଶାନ। ଦଶରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ ଡୁଡୁକା ପଞ୍ଚାୟତ ପାହାଡ଼ ତଳ ଗାଁ କେନ୍ଦାଯୋରର ଷାଠିଏ ବର୍ଷର ବୃଦ୍ଧ। 

ଗାଁ ମୁଣ୍ଡରେ ତାଙ୍କ ସହ ଭେଟ ହୋ‌ଇଥିଲା। ତାଙ୍କୁ ମୁହଁରୁ ଏତେ ସବୁ ଶୁଣିବା ପରେ କଥା ଛଳରେ ତାଙ୍କୁ ଅଗଷ୍ଟ ପନ୍ଦର, ସ୍ବାଧୀନତା ଦିବସର କଥା ପଚାରିଲୁ। ସେ କିଛି କହିଲେନି, ମଳିନ ହସଟେ ହସି କାନ୍ଧରେ ଫାଉଡ଼ାଟେ ପକାଇ ଚାଲିଗଲେ। ସେ ହସ ଭିତରେ ଯେମିତି କହିଗଲେ, ନାହିଁ ନାହିଁରେ ଜିଉଁଥିବା ଗାଁରେ ସ୍ବାଧୀନତା ଦିବସର ମୂଲ୍ୟ ବା’ କଣ। କେନ୍ଦାଯୋର ଗାଁରେ ସମସ୍ତ ଆଦିବାସୀ। ୨୮ଘର ବିଶିଷ୍ଟ ଗାଁରେ ଜନସଂଖ୍ୟା ପାଖାପାଖି ଦେଢ଼ଶହ। ଗାଁର ପ୍ରାୟ ପରିବାରର ଜୀବନଜୀବିକା ଜଙ୍ଗଲରେ। ମହୁଲ, ଚାର, ଝୁଣା, ମହୁ, ଲାଖ ଆଦି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କରି ଚଳନ୍ତି ଗାଁର ଅଧିକାଂଶ ଲୋକେ। ଏବେ ବି ଅନେକ ପରିବାର ମାଟିଘରେ ରହୁଛନ୍ତି। ମିଳିନି ପ୍ରଧାନମନ୍ତ୍ରୀ ଆବାସ। ଜଣକ ଘରେ ବି ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣ ହୋଇନାହିଁ।

ହେମଗିର ବ୍ଲକ୍‌ ଅଧୀନରେ ଥିଲେ ହେଁ ଗାଁ ଲୋକେ ନିର୍ଭର କରନ୍ତି ଲେଫ୍ରିପଡ଼ା ବଜାର ଉପରେ। ରାସ୍ତା ନଥିବା ବେଳେ ପାଦଚଲା ବାଟରେ ଯିବାଆସିବା। ବର୍ଷାଦିନେ ଯାତାୟାତ ଅଧିକ ଯନ୍ତ୍ରଣାଦାୟକ ହୋଇଯାଏ। ଏହି ସମୟରେ କେହି ଯଦି ରୋଗରେ ଗୁରୁତର ହେଲା ବା କେହି ମହିଳା  ଗର୍ଭବେଦନାରେ ଛଟପଟ ହେଲା, କଥା ସରିଲା। କିଛି ବାଟ ଖଟରେ ବୋହି ନେଲା ପରେ ଆମ୍ବୁଲାନ୍ସ ସେବା ମିଳେ। ଖଟଦୋଳାରେ ବୋହିନେଲାବେଳେ ରୋଗୀ, ଗର୍ଭବତୀଙ୍କ ଭାଗ୍ୟ ଟାଣଥିଲେ ବଞ୍ଚିଯାଆନ୍ତି, ନହେଲେ ଅଧାବାଟରେ ପ୍ରାଣ ଚାଲିଯାଏ।

ଏମିତି କିଛି ଦୁଃଖଦ ନଜିର ବି ଗାଁ ଦେଖିଛି। ବର୍ଷ ବର୍ଷ ଧରି ଗାଁ ଲୋକେ ଭୋଗି ଚାଲିଥିବା ଏସବୁ ଦୁର୍ଦ୍ଦଶା ସମ୍ପର୍କରେ ପ୍ରଶାସନକୁ ବହୁବାର ଜଣାଇଛନ୍ତି। ହେଲେ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରନ୍ତି ଗାଁର ୱାର୍ଡସଭ୍ୟା ସରୋଜିନୀ କାଲୋ। ପ୍ରାଶାସନିକ ଉଦାସୀନତା ଓ ଅବହେଳା ମଧ୍ୟରେ ବିକାଶ କଥା ଛାଡ଼,ଏବେ ବି ଜୀବନ ଜିଇଁବାର ମୌଳିକ ସାଧନଠାରୁ ଗାଁଟି ଅପହଞ୍ଚ ହୋଇ ରହିଛି। ସ୍ବାଧୀନତାର ୭୯ ବର୍ଷ ପରେ କେନ୍ଦାଯୋର ପାଇଁ ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe