ପାଣି ମୁନ୍ଦିଏ ପାଇଁ ଗାଁ ଝରଣା ଭରସା

ପାଣି ମୁନ୍ଦିଏ ପାଇଁ ଗାଁ ଝରଣା ଭରସା

ଲେଫ୍ରିପଡ଼ା (ସୁନ୍ଦରଗଡ଼): ସ୍ବାଧୀନତାର ୭୪ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ଲୋକଙ୍କୁ ସର୍ବନିମ୍ନ ସେବା ଓ ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ଅନେକ ବୈପ୍ଲବିକ ଯୋଜନା କାର୍ଯ୍ୟକାରୀ ହେଲାଣି। ହେଲେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଅତ୍ୟନ୍ତ ଅବହେଳିତ ହୋଇ ରହିଛି ଏହି ଗାଆଁ। ଲେଫ୍ରିପଡ଼ା ବ୍ଲକ୍‌ର ସର୍ବବୃହତ୍ତ ପାୟତ ଗିରିଙ୍ଗକେଲା ଗ୍ରା:ପ: ର ସାତଜୁରିଆ ଏବଂ ବିନ୍ଦୁଝରିଆ ରାଜସ୍ବ ଗ୍ରାମ ସୀମାନ୍ତରେ ରହିଥିବା ଜଙ୍ଗଲି ଗାଆଁ ଖବରିଖମନ। ଏଠାରେ ନା’ ସ୍କୁଲ ଅଛି ନା ଆଙ୍ଗନୱାଡ଼ି ଅଛି, ସରକାରଙ୍କ ସମନ୍ନିତ ଶିଶୁ ବିକାଶ ଯୋଜନା, ଶିକ୍ଷା ଯୋଜନା ଏହି ଗାଁ ଲୋକଙ୍କ ପାଇଁ କିଛି ମାନେ ରଖେ ନାହିଁ। କେବଳ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଛତୁଆ ପାଇବାକୁ ହେଲେ ମା ମାନେ ମାସକରେ ଥରେ ନିଜ ନିଜ ଛୁଆକୁ କାଖେଇ ସେହି ରାସ୍ତାରେ ପାହାଡ଼ରୁ ଓହ୍ଳାଇ ବିନ୍ଦୁଝରିଆ ଆଙ୍ଗନୱାଡ଼ି ଆସିଥାନ୍ତି। ଏଭଳିକି ଗାଁର ଶିଶୁମାନେ ଅଙ୍ଗନୱାଡ଼ୀ ମାଧ୍ୟମରେ ଏବେ ମିଳୁଥିବା ସ୍ଫୁରୁଲିନା ଚିକି ବି ପାଉ ନଥିବା ସ୍ଥାନୀୟ ମା’ ମାନେ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ଗାଁ କୁ ରାସ୍ତା ଖଣ୍ତିଏ ତିଆରି ହୋଇ ପାରିନି। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏଠିକାର ଲୋକଙ୍କ କାମରେ ଆସୁନି। ଏହି ଯୋଜନା ଦ୍ବାରା ନା’ ରାସ୍ତା ନିର୍ମାଣ ହେଉଛି,ନା’ ସ୍ଥାନୀୟ ଶ୍ରମିକଙ୍କୁ ମଜୁରି ମିଳୁଛି। ଜଙ୍ଗଲିଆ ପଡ଼ିଆ ଜମି ଟିକକରେ ଚାଷ କରୁଥିବା ବେଳେ ଚାଷଜମି ଉନ୍ନତିକରଣ ହେଉ କି କୂଅଖନନ କିମ୍ବା ଚାଷ ପୋଖରୀ କି ଗୁହାଳ ଘର ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି।

ବିଶୁଦ୍ଧ ପାନୀୟ ଜଳ ମୁନ୍ଦିଏ ପାଇଁ ଗ୍ରାମବାସୀ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା କାହାରି ନଜର ପଡ଼ୁନି। ପାନୀୟ ଜଳ ଯୋଗାଣ ସକାଶେ ଅର୍ଥ କମିଶନ ଅନୁଦାନରେ ୫୦ ପ୍ରତିଶତ ଅର୍ଥର ବ୍ୟବସ୍ଥା କରାଯାଇଛି। ହେଲେ ବି ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଲେଫ୍ରିପଡ଼ାର ଉପାନ୍ତ ଓ ଦୁର୍ଗମ ଇଲାକାର ଅନେକ ଗାଁ ଗଣ୍ତାରେ। ପାହାଡ଼ ଓ ଜଙ୍ଗଲ ମଧ୍ୟରେ କେଉ ଆଦିମ କାଳରୁ ଜନବସତି ସ୍ଥାପନ କରି ଜଙ୍ଗଲ ସହିତ ଜୀବନଜୀବିକାର ଲଢେଇ କରି ଚାଲିଥିବା ଏହି ନିଆରା ମଣିଷମାନଙ୍କୁ ସବୁ ଯୋଜନାରୁ ଉପେକ୍ଷା କରାଯାଉଛି। ମୌଳିକ ସେବା ପ୍ରଦାନ କ୍ଷେତ୍ରରେ ଅବହେଳା କରାଯାଉଛି। ପାଣି ହିଁ ଲୋକଙ୍କ ଜୀବନ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଆଜି ବି ଜଙ୍ଗଲୀ ଝରଣାର ପତ୍ରପଚା ପାଣି ପିଇବାକୁ ପଡ଼ୁଛି। ପ୍ରାୟ ୧୫ ପରିବାର ବସବାସ କରୁଛନ୍ତି ଏହ ଖବରିଖମନ ପଡ଼ା ଗାଁରେ। ହେଲେ ଆଜି ପର୍ଯ୍ୟନ୍ତ ଏଠାରେ ନଳକୂଅ ଟିଏ ଖୋଳା ହୋଇ ପାରିନି। ଫଳରେ ପଡ଼ା ନିକଟରେ ବୋହି ଯାଉଥିବା ଝରଣା ଉପରେ ନିର୍ଭର କରିଆସୁଛନ୍ତି ସ୍ଥାନୀୟ ଲୋକେ। ଅନେକ ଥର ପାୟତ ଠାରୁ ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ସେମାନେ। ହେଲେ କାହାରି କାନରେ ସ୍ଥାନୀୟ ଲୋକଙ୍କ ଗୁହାରି ପଡ଼ିନି। ଅନାବଶ୍ୟକ ସ୍ଥାନରେ ଗୋଟିଏ ପରେ ଗୋଟିଏ ନଳକୂଅ ଓ ପାଣି ପ୍ରକଳ୍ପ ଖୋଳା ଚାଲିଛି ସତ; ମାତ୍ର ଏହି ପଡ଼ାବାସୀଙ୍କ ପାଇଁ ସମସ୍ତେ ଆଖି ବୁଜି ଦେଇଛନ୍ତି। ଖରାଦିନେ ଝରଣା ପାଣି ଶୁଖିଗଲେ ଅବସ୍ଥା ସଙ୍ଗୀନ ହୋଇଯାଏ।

ସେହିଭଳି ଗାଆଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ସଂପ୍ରତି ବର୍ଷା ଦିନେ ଗମନାଗମନ ଘୋର ସମସ୍ୟା ସୃଷ୍ଟି କରିଥାଏ। ଏହା ମହାନଦୀ କୋଲ୍ ଫିଲ୍ଡ ପାରିପାର୍ଶ୍ବିକ ଅ‌ଞ୍ଚଳ ମଧ୍ୟରେ ବି ରହିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ବ୍ଲକ୍‌କୁ ଅନେକ ଯୋଜନାରେ ପର୍ଯ୍ୟାପ୍ତ ଅନୁଦାନ ଆସୁଛି। ହେଲେ ନା’ ପ୍ରଶାସନିକ ବାବୁଙ୍କ ଆଖି ପଡ଼ୁଛି ନା’ ସ୍ଥାନୀୟ ଜନପ୍ରତିନିଧି ପଡ଼ାବାସୀଙ୍କ ଦୁଃଖ ଶୁଣୁଛନ୍ତି। ଦାରିଦ୍ର୍ୟରେ ସୀମାରେଖା ତଳେ ରହିଥିବା ଏହି ଗ୍ରାମବାସୀଙ୍କ ପାଇଁ ବାସ୍ତବରେ ସରକାରୀ ଯୋଜନା ବହୁ ଦୂରରେ ରହିଯାଇଛି। ଏଭଳି ଅବହେଳିତ ଖବରିଖମନ ପଡ଼ାବାସୀଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe