ରୋଗଶଯ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କ ଜମିରେ ଚାଷକଲେ, ମଣିଷପଣିଆ ଦେଖାଇଲେ ଗ୍ରାମବାସୀ

ରୋଗଶଯ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କ ଜମିରେ ଚାଷକଲେ, ମଣିଷପଣିଆ ଦେଖାଇଲେ ଗ୍ରାମବାସୀ

ବିଂଝାରପୁର(ଆସାମ ଖାତୁନ୍‌): କରୋନା କାଳରେ ବହୁ ଜାଗାରେ ମଣିଷପଣିଆ ହଜିଯାଉଥିବା ଦେଖିବାକୁ ମିଳୁଛି। ମାତ୍ର, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ବାଗସାହିର ଲୋକ ଏମିତି କାମ କରିଛନ୍ତି, ତାହାକୁ ଦେଖିଲେ ଲାଗିବ କୋଉଠି ନା କୋଉଠି 'ମଣିଷପଣିଆ' ବଞ୍ଚିଛି। ଏହି ଗ୍ରାମର ଲୋକମାନେ ରୋଗଶଯ୍ୟାରେ ପଡ଼ିଥିବା ଜଣେ ଲୋକଙ୍କ ଜମିରେ ଚାଷ କରି ସେହି 'ମଣିଷପଣିଆ'ର ନିଦର୍ଶନ କରିଛନ୍ତି।

ଏହି ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ହେଉଛନ୍ତି ନିରଞ୍ଜନ ରାଉତ। ୩ ମାସ ହେବ ସେ ମସ୍ତିଷ୍କାଘାତରେ ଶିକାର ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶ୍ରୀ ରାଉତଙ୍କ ଏକମାତ୍ର ପୁତ୍ର ଡାକ୍ତରଖାନାରେ ରହି ବାପାଙ୍କ ଦେଖାଶୁଣା କରୁଛନ୍ତି । ତାଙ୍କର ୨ ଏକର ୫ଗୁଣ୍ଠ ଜମି ରହିଛି। ହେଲେ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଜମିରେ ଚାଷ ହୋଇପାରିନଥିଲା। ଖରିଫ ଧାନ ଚାଷ ସମୟ ଗଡ଼ିଯାଉଥିବା ବେଳେ ବିଲ ପଡ଼ିଆ ପଡ଼ିଥିବା ଦେଖି ଗ୍ରାମର ୨ଜଣ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ। ଏ ସଂପର୍କରେ ଗ୍ରାମର କିଛି ଯୁବକଙ୍କ ସହ ଆଲୋଚନା କରିଥିଲେ। ପରେ ଗ୍ରାମରେ ଏକ ବୈଠକ ଡକାଯାଇଥିଲା। ଶ୍ରୀ ରାଉତଙ୍କ ଜମିରେ ଗ୍ରାମବାସୀ ଶ୍ରମଦାନ କରି ଚାଷ କାମ କରିବାକୁ ଗାଁ ସଭାରେ ନିଷ୍ପତ୍ତି ହୋଇଥିଲା। ତେବେ, ଶ୍ରୀ ରାଉତ ଜ‌ଣେ ସ୍ବାଭିମାନୀ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଗ୍ରାମବାସୀ କିଛି ଜଣାଇବାକୁ ଚାହିଁନଥିଲେ। ମୋଟର ଲଗାଇ ତାଙ୍କ ଜମିରେ ପାଣି ମଡାଇବା ପରେ ଟ୍ରାକ୍ଟର ସାହାଯ୍ୟରେ ହଳ କରିଥିଲେ।

publive-image

ଗତ ସୋମବାର ଦିନ ଗ୍ରାମର ବସନ୍ତ ମଲିକ, ସଦାନନ୍ଦ ଯେନା, ଟୁକୁନା ଗୋଚ୍ଛାୟତ, ପୂର୍ଣ୍ଣଚନ୍ଦ୍ର ନାୟକ, ଚନ୍ଦ୍ରମଣି ଯେନା, କରୁଣାକର ମଲିକ, ଦୀନବନ୍ଧୁ ଧଳ, ଘନଶ୍ୟାମ ସାମଲ, ସଂଜୀବ ସାମଲ, ଗୋଲେଖ ମଲିକ, ମହେନ୍ଦ୍ର ମଲିକ, କିଶୋର ମଲିକ, ଗଦାଧର ମଲିକ, କରୁଣି ନାୟକଙ୍କ ସମେତ ପ୍ରତି ଘରୁ ଜଣେ ଲେଖାଏଁ ଲୋକ ଯାଇ ତଳି ଉପାଡିବା ସହ ଶ୍ରୀ ରାଉତଙ୍କ ୨ ଏକର ୫ଗୁଣ୍ଠ ଜମିରେ ଧାନ ରୋଇଥିବା ଜଣାଯାଇଛି । ବାଗସାହିବାସୀଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଯିଏ ଶୁଣୁଛି କହୁଛି, ସତରେ ଏବେ ବି ମରିନି ମଣିଷପଣିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe