ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ସ୍କୁଲରେ ଅଧିକ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ପୁଣି  ଅଭିଭାବକ ଓ ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଡିସେମ୍ବର ମାସ ୧୨ ତାରିଖରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ସ୍କୁଲରେ  ତାଲା ପକାଇଥିଲେ। ପରଦିନ ଜଣେ ଶିକ୍ଷକଙ୍କୁ ଅସ୍ଥାୟୀ ନିଯୁକ୍ତି ଦେବାପରେ ଗ୍ରାମବାସୀ ସ୍କୁଲର ତାଲା ଖୋଲିଥିଲେ। ଡେପୁଟେସନରେ ଯାଇଥିବା  ଶିକ୍ଷକ ରାଜ କିଶୋର ଜେନାଙ୍କ ସିଆରସିସି କାର୍ଯ୍ୟ ସରିବା ପରେ ଏବେ ସେ  ଗ୍ରାଜୁଏଟ କଳା ଶିକ୍ଷକ ଭାବେ ଜାମୁଯୋଡି ଉପ୍ରା ସ୍କୁଲକୁ ଯାଇଛନ୍ତି। ଫଳରେ ପୁଣି ବଡକମଣ୍ଡରା ସ୍କୁଲରେ ଶିକ୍ଷକ ସଂକଟ ଦେଖାଦେଇଛି। କେବଳ ସେତିକି ନୁହେଁ ଶ୍ରେଣୀ ଗୃହ ଅଭାବ ଭଳି ବିଭିନ୍ନ ଅବ୍ୟବସ୍ଥା ଦେଇ ଚାଲିଛି।

ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫ ଟି ଶ୍ରେଣୀରେ ୧୧୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ଅଛନ୍ତି।  ଜଣେ ଶିକ୍ଷୟିତ୍ରୀ ଥିବାରୁ ପାଠ ପଢା ସମ୍ପୂର୍ଣ ଠପ ହେଇଯାଇଛି। କେବଳ ମଧ୍ୟାହ୍ନ ଭୋଜନ କଥା ବୁଝିବା, ଅଫିସ କାମ ଓ ଛୁଆଙ୍କୁ ଜଗିବାରେ ସମୟ ଯାଉଛି।

ସରକାରଙ୍କ ନିୟମ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ପିଲା ପାଇଁ ଜଣେ ଶିକ୍ଷକ ବ୍ୟବସ୍ଥା ରହିଛି। ଏହି ଅନୁପାତକୁ ଦୃଷ୍ଟିରେ ରଖିଲେ ବଡ଼କମଣ୍ଡରା ପ୍ରାଥମିକ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇବାକଥା। ମାତ୍ର ୧୧୦ ଛାତ୍ରଛାତ୍ରୀ ଥିବା ସ୍କୁଲରେ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବାରୁ ପିଲାମାନେ ଠିକ୍‌ରେ ବସିବାକୁ ଜାଗା ମିଳୁ ନାହିଁ। ସ୍କୁଲ ପରିସରରେ ଏକ ଅସୁରକ୍ଷିତ ଘର ଥିଲେ ମଧ୍ୟ ଭଙ୍ଗା ଯାଉ ନାହିଁ।
ଖବର ପାଇ ଏବିଇଓ ଧନେଶ୍ୱର ମହାନ୍ତ, ସିଆରସିସି ମାନସ ସେଠୀ, ପୂର୍ବତନ ସିଆରସିସି ବ୍ରହ୍ମାନନ୍ଦ ବେହେରା ସ୍କୁଲକୁ ଯାଇ ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍କୁଲ ଖୋଲିବା ପାଇଁ  କହିଥିଲେ। ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ପ୍ରସ୍ତାବରେ ଗ୍ରାମବାସୀ ରାଜି ନହୋଇ ନିୟମିତ ଶିକ୍ଷକ ନମିଳିବା ପର୍ଯ୍ୟନ୍ତ ସ୍କୁଲ ଫାଟକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।
ବଡକମଣ୍ଡରା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧ୍ରୁବଚରଣ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ନାଏକ, ପୂର୍ବତନ ସରପଞ୍ଚ କୁଳମଣି ଦେହୁରୀ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାଏକ, ତେନ୍ତଳାପଶି ପଞ୍ଚାୟତ ବିଜେଡି ସଭାପତି ଗଣନାଥ ନାଏକ, ପ୍ରମୋଦ ନାଏକ, ପ୍ରଦୀପ ନାଏକ, ବ୍ରହ୍ମାନନ୍ଦ ନାଏକ, କେଶବ ନାଏକ, ଶ୍ରୀକାନ୍ତ ନାଏକ, ଟପେନ୍ଦ୍ର ନାଏକ, ଅହଲ୍ୟା ନାଏକ, ଡଲି ନାଏକ, ଛବିରାଣୀ ନାଏକ, ନନ୍ଦିନୀ ନାଏକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe