ଶ୍ରମଦାନ କରି ୩ କିମି ରାସ୍ତା ମରାମତି କଲେ ଗ୍ରାମବାସୀ

Advertisment
ଶ୍ରମଦାନ କରି ୩ କିମି ରାସ୍ତା ମରାମତି କଲେ ଗ୍ରାମବାସୀ

ଘୁ.ଉଦୟଗିରି: ‘ଆମ ଗାଁକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ସେମାନେ ଆମ ଗାଁର ଅତିଥି। କିନ୍ତୁ ଦୁଃଖର କଥା, ରାସ୍ତାର ଅବସ୍ଥା ଖରାପ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ କଷ୍ଟରେ ଗାଡ଼ିରେ ଆସୁଛନ୍ତି। କିଏ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅଧବାଟରୁ ଫେରିଯାଉଛନ୍ତି। ଏହି ଦୃଶ୍ୟ ଦେଖି ଆମକୁ କଷ୍ଟ ଲାଗୁଥିଲା। ଏଥିପାଇଁ ରାସ୍ତାଟିଏ ନିର୍ମାଣ କରିବାକୁ ବହୁବାର ପ୍ରଶାସନକୁ ଅବଗତ କରିଥିଲୁ। କିନ୍ତୁ କୌଣସି ସୁଫଳ ମିଳିଲାନି। ଶେଷରେ ନିଜେ ଶ୍ରମଦାନ କରି ୩ କିଲୋମିଟର ରାସ୍ତା ମରାମତି କାମ କରିଛୁ’। ଏହା କହିଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ମାଲିକାପୋଡ଼ି ପଞ୍ଚାୟତର ମୁକୁଲିଙ୍ଗିଆ ଗ୍ରାମବାସୀ। ଏମାନଙ୍କ ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା।

ମୁକୁଲିଙ୍ଗିଆ ଗାଁରେ ରହିଛି କାଲିଗାଡ଼ୁ ହିଲଟପ୍‌। ଏହି ହିଲଟପ୍‌କୁ ପ୍ରତିଦିନ ବୁଲିବାକୁ ଶତାଧିକ ପର୍ଯ୍ୟଟକ ଆସିଥା’ନ୍ତି। ହେଲେ ସିର୍କୀ ଠାରୁ ମୁକୁଲିଙ୍ଗିଆ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। କଚ୍ଚାରାସ୍ତା ସାଙ୍ଗକୁ ଖାଲଖମା ପାହାଡ଼ିଆ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟସାଧ୍ୟ। ବାରମ୍ବାର ମୁକୁଲିଙ୍ଗିଆ ଗ୍ରାମବାସୀ ଜିଲ୍ଲାପାଳ, ବିଡିଓ, ପଞ୍ଚାୟତିରାଜ ମନ୍ତ୍ରୀ, ସଚିବ, ବିଧାୟକ ଓ ସାଂସଦଙ୍କୁ ଲିଖିତ ଭାବେ ରାସ୍ତା ନିର୍ମାଣ ପାଇଁ ଗୁହାରି କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମୁକୁଲିଙ୍ଗିଆ ଗ୍ରାମବାସୀ ଏକତ୍ରିତ ହୋଇ ଏକ ବୈଠକ ଡାକିଥିଲେ। ପ୍ରତି ଘରୁ ଜଣେ ଦୁଇଜଣ ଲେଖାଏଁ ସଦସ୍ୟ ବାହାରି ନିଜ ଗାଁରୁ ସିର୍କୀ ପର୍ଯ୍ୟନ୍ତ ୩କିମି ରାସ୍ତା ଶ୍ରମଦାନ କରି ମରାମତି କରିଛନ୍ତି। ମୁକୁଲିଙ୍ଗିଆ ଗ୍ରାମବାସୀ ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କାଲିଗାଡ଼ୁ ହିଲଟପ୍ ଉନ୍ନୟନ କମିଟି ଗଠନ କରି ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଦ୍ୟମ ଜାରି ରଖିଥିବା କମିଟି ସଭାପତି ବିବେକାନନ୍ଦ ପ୍ରଧାନ, ଉପସଭାପତି ରାଜକିଶୋର ପ୍ରଧାନ, ସମ୍ପାଦକ ଟିପୁସନ ପ୍ରଧାନ ଏବଂ ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟା‌ରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe