ଇଚ୍ଛାମୃତ୍ୟୁ ପାଇଁ ଗ୍ରାମବାସୀ ନିବେଦନ କରିବେ

Advertisment
ଇଚ୍ଛାମୃତ୍ୟୁ ପାଇଁ ଗ୍ରାମବାସୀ ନିବେଦନ କରିବେ

ରାୟଗଡ଼ା: ସ୍ବାଧୀନତା ମିଳିଛି ସତ, ସମାନତାର ଅଧିକାର ମିଳିନି। ସମ୍ମାନର ସହ ବଞ୍ଚିବାରୁ ବଞ୍ଚିତ କରାଯାଇଛି। ଗୁହାରିକୁ ଉପେକ୍ଷା କରି ସଂଘର୍ଷ କରିବାକୁ ବାଧ୍ୟ କରାଯାଇଛି। ହକ୍‌ ପାଇଁ ଲଢ଼େଇ କରିବାକୁ ଆଉ ବଳ ନାହିଁ। ସୁବିଧା କରିବାକୁ ଶେଷ ଥର ପାଇଁ ପ୍ରଶାସନକୁ ନିବେଦନ କରୁଛୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଜଣାଇଛନ୍ତି କାଶୀପୁର ବ୍ଲକ୍‌ର ଦୁର୍ଗମ କାହ୍ନୁଗୁଡ଼ା ଗ୍ରାମବାସୀ। ଏବେ ବି ଗଣତନ୍ତ୍ର ଉପରେ ବିଶ୍ବାସ ରହିଛି। ତେଣୁ ୨୪ ତାରିଖରେ ପଦଯାତ୍ରା ଏବଂ ୨୬ତାରିଖରେ ସତ୍ୟାଗ୍ରହ କରାଯିବ। ତଥାପି ସୁଫଳ ନମିଳିଲେ ଇଚ୍ଛାମୃତ୍ୟୁ ବ୍ୟତୀତ ଆଉ କୌଣସି ବିକଳ୍ପ ନଥିବା ଗ୍ରାମବାସୀ କହିଛନ୍ତି।ଗ୍ରାମାଞ୍ଚଳ ବିକାଶ ନେଇ ପ୍ରସାରିତ ବିଜ୍ଞାପନର ଆଜି ମୁଖା ଖୋଲିଛନ୍ତି କାହ୍ନୁଗୁଡ଼ା ଗ୍ରାମବାସୀ। ପ୍ରାୟ ଦେଢ଼ ଶହ ପରିବାର ବସବାସ କରୁଥିବା ଏହି ଗାଁକୁ ଚାରିପଟୁ ଘେରି ରହିଛି ପାହାଡ଼ୀ ନଦୀ। ବିଚ୍ଛିନ୍ନ ହୋଇ ରହିଥିବା କାହ୍ନୁଗୁଡ଼ାକୁ ସ୍ବାଧୀନତାର ୭୭ବର୍ଷ ମଧ୍ୟରେ ପକ୍କା ରାସ୍ତା ହୋଇପାରିଲା ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଗାଁରେ ପହଞ୍ଚି ପାରୁନି। ବାରମ୍ବାର ସରକାର ଓ ପ୍ରଶାସନକୁ ନିଜ ଦୁର୍ବିସହ ଜୀବନ ବିଷୟରେ ଅବଗତ କରାଇଛନ୍ତି। ପ୍ରତ୍ୟେକ ଥର ପ୍ରତିଶ୍ରୁତି ମିଳୁଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନି। ପିଢ଼ି ପରେ ପିଢ଼ି ଏମିତି ଉପେକ୍ଷା ହୋଇ ବଞ୍ଚି ରହିଛୁ। ଆଗକୁ ଆଉ ବଞ୍ଚିବା ସମ୍ଭବ ନୁହେଁ ବୋଲି ଆଜି ସଫାସଫା କହିଛନ୍ତି ଗ୍ରାମବାସୀ। ଭବିଷ୍ୟତ ପିଢ଼ିର ଉତ୍‌ଥାନ ନିମନ୍ତେ କିଛି ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି। ଆଗକୁ ନିର୍ବାଚନ ରହିଛି, କିନ୍ତୁ ନେତା ଆମ ଗାଁକୁ ଆସିବେ ନାହିଁ ବୋଲି ଆମେ ଭଲ ରୂପେ ଜାଣିଛୁ। କାରଣ ଗାଁରେ କୌଣସି ପ୍ରକାର ବିକାଶ କରିନଥିବା ନେତାଙ୍କ ନିକଟରେ ଆମ ପ୍ରଶ୍ନର ବି ଉତ୍ତର ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ଗାଁ ପାଇଁ ଶେଷ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରେ କାହ୍ନୁଗୁଡ଼ା ଗାଁରୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ହେବ। ବ୍ଲକ ପ୍ରଶାସନକୁ ଦାବି ସଂପର୍କରେ ଅବଗତ କରାଇବା ନିମନ୍ତେ ସ୍ମାରକପତ୍ର ଦିଆଯିବ। ଯଦି ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ଗଣତନ୍ତ୍ର ଦିବସରୁ ସତ୍ୟାଗ୍ରହ ଆରମ୍ଭ ହେବ। ତଥାପି ଯଦି ସରକାର ଆମ ଦୁଃଖ ବୁଝିବେ ନାହିଁ, ସମସ୍ତ ଗ୍ରାମବାସୀ ଇଚ୍ଛାମୃତ୍ୟୁ ନିମନ୍ତେ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବେ ବୋଲି ସମାଜସେବୀ ବଳରାମ ପଣ୍ଡା, ଶଙ୍କର ମାଝି, କାନ୍ତି ମାଝି ଓ ଟଙ୍କଧର ସଲୁ କହିଛନ୍ତି। ଗ୍ରାମବାସୀଙ୍କ ଏମିତି ଚରମ ଚେତାବନୀ ପରେ ପ୍ରଶାସନ କେଉଁ ଭଳି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe