ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ଆନନ୍ଦରେ ଉଛୁଳୁଛି ସାରାଓଡ଼ିଶା

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ଆନନ୍ଦରେ ଉଛୁଳୁଛି ସାରାଓଡ଼ିଶା

ଦ୍ରୌପଦୀଙ୍କ ରାଇରଙ୍ଗପୁରସ୍ଥିତ ବାସଭବନ ସମ୍ମୁଖରେ ପାରମ୍ପରିକ ନୃତ୍ୟ ସହ ବିଜୟ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ପାଇଁ ଗୁରୁବାର ଥିଲା ଗୌରବର ଦିନ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଫଲାଫଳ ଜଣାପଡ଼ିବା ପରେ ଜନ୍ମମାଟି ରାଇରଙ୍ଗପୁରରୁ ରାଜଧାନୀ ଭୁବନେଶ୍ବର ଯାଏ ସବୁଠି ଉତ୍ସବର ପରିବେଶ। ନିଜ ମାଟିର ଜଣେ କନ୍ୟା ଦେଶର ସର୍ବୋଚ୍ଚ ପଦବିରେ ବସିବାକୁ ଯାଉଥିବାରୁ ସମସ୍ତେ ଖୁସି ମନାଇଛନ୍ତି। ଦଳ ମତ ନିର୍ବିଶେଷରେ ସମସ୍ତେ ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

publive-image

ରାଷ୍ଟ୍ରପତି ପ୍ରାର୍ଥିନୀ ହେବା ଦିନ ଠାରୁ ଶ୍ରୀମତୀ ମୁର୍ମୁ ଜିତିବେ ବୋଲି ଏକପ୍ରକାର ସ୍ପଷ୍ଟ ଥିଲା। ସେହିଦିନ ଠାରୁ ଓଡ଼ିଶା ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା। ତେବେ ଔପଚାରିକତା ଦୃଷ୍ଟିରୁ ଭୋଟ୍‌ ଗଣତି ଦିନକୁ ଅପେକ୍ଷା ଥିଲା। ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ମନାଇବା ପାଇଁ ପ୍ରସ୍ତୁତି ଜୋର୍‌ଦାର ହୋଇଯାଇଥିଲା। ଆଜି ପ୍ରଥମ ରାଉଣ୍ଡ୍‌ ଗଣତିରୁ ଶ୍ରୀମତୀ ମୁର୍ମୁଙ୍କ ବିଜୟର ସ୍ପଷ୍ଟ ସଙ୍କେତ ମିଳିଥିଲା। ତାହା ପରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ଆରମ୍ଭ ହୋଇଯାଇଥିଲା। କେବଳ ଜନ୍ମମାଟି ଓ ରାଜଧାନୀ ଭୁବନେଶ୍ବରରେ ଉତ୍ସବ ସୀମିତ ନ ଥିଲା। ରାଜ୍ୟର କୋଣ ଅନୁକୋଣରେ ଲୋକମାନେ ପରସ୍ପରକୁ ମିଠା ଖୁଆଇ ଏହି ଗୌରବର ଦିନକୁ ସ୍ମରଣୀୟ କରାଇଥିଲେ।

publive-image

ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ନେତା ଓ କର୍ମୀମାନେ ବାଜା ବଜାଇ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଜେଡି ବି ଉତ୍ସବ ପାଳନରେ ବହୁ ଆଗରେ ରହିଥିଲା। ହଜାର ହଜାର ଦଳୀୟ କର୍ମୀ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକାଠି ହୋଇ ନାଚଗୀତ କରିଥିଲେ। ମନ୍ତ୍ରୀ, ବିଧାୟକଙ୍କ ସମେତ ବହୁ କର୍ମୀ ଏଥିରେ ସାମିଲ ହୋଇ ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀମତୀ ମୁର୍ମୁ ପଢ଼ୁଥିବା ୟୁନିଟ୍‌-୨ ବାଳିକା ବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହା ସହ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା।

ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଥିରୁ ବାଦ୍ ପଡ଼ି ନଥିଲା। ଦ୍ରୈୗପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ଏକ ଟ୍ରେଣ୍ଡ୍‌ ପାଲଟିଯାଇଛି। ସାରା ଦେଶରେ ଆଜି ଓଡ଼ିଶା ଓ ଓଡ଼ିଆ ହିଁ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି। ଶ୍ରୀମତୀ ମୁର୍ମୁଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ ବୋଲି ଲେଖା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe