representetional immage - Custom Truck One Source
ଦଶରଥପୁର: ଦଶରଥପୁର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଠିକା କର୍ମଚାରୀ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଦଶରଥପୁର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ବିରଜା ଇଲେକ୍ଟ୍ରିକାଲ୍ସ ଠିକାସଂସ୍ଥାର କର୍ମଚାରୀ ଅହିୟାସ ଅଞ୍ଚଳର ବିଶ୍ୱଜିତ ଜେନା(୨୩) ଗତ ୨୫ ତାରିଖରେ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଛନ୍ତି।
ସେଦିନ ମଧ୍ୟାହ୍ନରେ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ନିଜାମପୁର ପଞ୍ଚାୟତ ତଳରଡ଼ଗାଁକୁ ଯାଇଥିଲେ। ଟିମ୍ ଲିଡର ପତିତପାବନ ରାଉତଙ୍କ ନିର୍ଦ୍ଦେଶରେ ଜଣେ ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ପାଇଁ ଖୁଣ୍ଟରେ ଚଢ଼ିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡ, ଗୋଡ଼ହାତ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏବେ ବିଶ୍ୱଜିତ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଏହି ଘଟଣାକୁ ଚପାଇ ଦେବାକୁ ବିଭାଗୀୟ ସ୍ତରରେ ଜୋରଦାର୍ ଉଦ୍ୟମ ହେଉଛି ବୋଲି ଅଭିଯୋଗ ହୋଇଛି। ଏସମ୍ପର୍କରେ ମଙ୍ଗଳପୁର ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସୌଭାଗ୍ୟ ରଂଜନ ବେହେରାଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ସେହିପରି ଦଶରଥପୁର ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ମନୋଜ କୁମାର ସ୍ୱାଇଁ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି କହିଥିଲେ।
Follow Us