ଝଲସିବ ବିଶ୍ୱର ସର୍ବବୃହତ୍ ନନ୍ଦିଘୋଷ ରଥ: ରଙ୍ଗ କା‌ମରେ ଲାଗିଛନ୍ତି ରଘୁରାଜପୁର ଚିତ୍ରକାର ପରିବାର

ଝଲସିବ ବିଶ୍ୱର ସର୍ବବୃହତ୍ ନନ୍ଦିଘୋଷ ରଥ: ରଙ୍ଗ କା‌ମରେ ଲାଗିଛନ୍ତି ରଘୁରାଜପୁର ଚିତ୍ରକାର ପରିବାର

କେନ୍ଦୁଝର: ଏଥର ଝଲସିବ କେନ୍ଦୁଝରର ସର୍ବବୃହତ୍ ନନ୍ଦିଘୋଷ ରଥ। ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଳ୍ପ କିଛି କାମ ବାକି ରହିଛି ବୋଲି ରଥ ମହାରଣା ନୀଳମଣି ମହାରଣା ପ୍ରକାଶ କରିଛନ୍ତି। ଚଳିତବର୍ଷ ଅକ୍ଷୟ ତୃତୀୟାରେ ରଥ କାମ ଆରମ୍ଭ ହୋଇଥିଲା। ନୀଳମଣି ମହାରଣାଙ୍କ ନେତୃତ୍ୱରେ ୧୫ ଜଣ ମିସ୍ତ୍ରି ଏବଂ ୧୮ ଜଣ ସହଯୋଗୀ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ପ୍ରଶାସନ ପକ୍ଷରୁ ଆବଶ୍ୟକ ଜିନିଷପତ୍ର ଠିକ୍‌ ସମୟରେ ପହଞ୍ଚାଇ ଦିଆଯାଇଥିବାରୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ହୋଇପାରିଛି ବୋଲି ସେ କହିଛନ୍ତି।

ବିଶ୍ୱର ସର୍ବବୃହତ୍ ରଥ ଭାବେ ପରିଚିତ କେନ୍ଦୁଝରଗଡ଼ ନନ୍ଦିଘୋଷର ଉଚ୍ଚତା ୬୦ ଫୁଟ, ଲମ୍ବ ଓ ପ୍ରସ୍ଥ ୪୦ ଫୁଟ। ଚଳିତବର୍ଷ ନୂଆ ଅଖ,ଚକ, ନୂଆ ପଟି, ଦ୍ୱାରପଟା ୪ଟି, ବଇରା ନୂଆ ଲାଗିଛି। କେବଳ ଘୋଡ଼ା , ଦଧିହାଣ୍ଡି, ଗରିଆ ଉଠିବା, ଚକ୍ର ଲାଗିବା, ହନୁମାନ ଉଠିବା କାମ ବାକି ରହିଛି। ଖୁବ୍‌ଶୀଘ୍ର କାମ ସରିଯିବ ବୋଲି ଶିଳ୍ପୀମାନେ ପ୍ରକାଶ କରିଛନ୍ତି। ରଥ ନିର୍ମାଣ କାମରେ ରଥ ମହାରଣାଙ୍କୁ ସହଯୋଗ କରୁଥିବା ମିସ୍ତ୍ରିମାନେ ହେଲେ ବାବୁଲି ନାଏକ, କିରାଣି ନାଏକ, ନୃସିଂହ ନାଏକ, ଟୁରା ମହାରଣା ପ୍ରମୁଖ।

ଚଳିତବର୍ଷ ରଥକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚିତ୍ରକାରଙ୍କ ଚିତ୍ର ଏବଂ ରଙ୍ଗ ଆଦିକୁ ଗୁରୁତ୍ବ ଦିଆଯାଇଛି। ଦୀର୍ଘ ୧୮ ବର୍ଷ ହେଲାଣି ରଥରେ ଖଞ୍ଜି ହେଉଥିବା ପାର୍ଶ୍ବ ଦେବତା ଚିତ୍ର ଏବଂ ରଥରେ ରଙ୍ଗ ବିଶିଷ୍ଟ ଚିତ୍ରକାର ଦେବଦର୍ଶନ ଦାଶ ଲଗାଉଥିଲେ। ସେ ୧ ଲକ୍ଷ ୨୦ ହଜାର ଟଙ୍କାରେ ସମସ୍ତ କାର୍ଯ୍ୟ କରୁଥିଲେ। ହେଲେ, ଚଳିତବର୍ଷ ରଥ ରଙ୍ଗ ପାଇଁ ପୁରୀ ଜିଲ୍ଲା ରଘୁରାଜପୁରର କଳାକରଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନଙ୍କୁ ରଥ ରଙ୍ଗ ପାଇଁ ୨ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe