ଭୁବନେଶ୍ୱର : ବହୁତ ଚେଷ୍ଟା କଲେ। ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଗୋଡ଼ହାତ ଧରି ବି ନେହୁରା ହେଲେ। ହେଲେ କେହି ଶୁଣିଲେନି। ଏପଟେ, ସମୟ ଯେତେ ବଢ଼ୁଛି, ମା’ର ଶବ ଗଳିତ ହେବାରେ ଲାଗିଛି। ତେଣୁ ଆଉ କିଛି ଉପାୟ ନ ପାଇ ମନକୁ ଟାଣ କରି ନିଷ୍ପତ୍ତି ନେଲେ, ହସ୍ପିଟାଲ ଷ୍ଟ୍ରେଚର୍ରେ ମା’କୁ ୫୦ କିଲୋମିଟର ଦୂର ଗାଁକୁ ଟାଣି ଟାଣି ନେବେ। ହସ୍ପିଟାଲଠାରୁ ୫ଶହ ମିଟର ଦୂରରେ କିଛି ସ୍ବେଚ୍ଛାସେବୀଙ୍କ ନଜର ପଡ଼ିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ସେମାନେ ଏକ ବେସରକାରୀ ଆମ୍ବୁଲାନ୍ସ ସହାୟତାରେ ଯୁବକ ଓ ତାଙ୍କ ମା’ଙ୍କ ଶବକୁ ଖୋର୍ଦ୍ଧାସ୍ଥିତ ତାଙ୍କ ଗାଁରେ ପହଞ୍ଚାଇଥିବା ଜଣାଯାଇଛି। ସୋମବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ପୁଣିଥରେ ସରକାରୀ ସ୍ବାସ୍ଥ୍ୟସେବା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଡଗରପଡ଼ାର ମାନସ ବାହୁବଳେନ୍ଦ୍ର ଦୁଇ ଦିନ ତଳେ ୮୨ ବର୍ଷୀୟା ବୃଦ୍ଧା ମା’ ସୁକାନ୍ତୀଙ୍କୁ ଏମ୍ସ ଆଣିଥିଲେ। ଶୌଚାଳୟରେ ପଡ଼ିଯିବାରୁ ତାଙ୍କ ମା’ ଗୁରୁତର ହୋଇଥିଲେ। କିନ୍ତୁ ସେଠାରେ ବେଡ୍ ନ ମିଳିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ତେଣୁ ମା’ଙ୍କ ଶବକୁ ଘରକୁ ନେବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସରକାରୀ ଯୋଜନା ମାଧ୍ୟମରେ ସହାୟତା ପାଇଁ ନିବେଦନ କରିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ। ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ତାଙ୍କୁ ୫ ହଜାର ଟଙ୍କା ମଗାଯାଇଥିଲା। ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ କେହି ତାଙ୍କ ପାଖ ମାଡ଼ି ନଥିଲେ। ତେଣୁ ସବୁଆଡ଼ୁ ହତାଶ ହେବା ପରେ ମା’ର ଶବକୁ ସେଇ ହସ୍ପିଟାଲ ଷ୍ଟ୍ରେଚର୍ରେ ଟାଣି ଟାଣି ୫୦ କିମି ଦୂର ନିଜ ଗାଁକୁ ଯିବାକୁ ବାହାରିଥିଲେ। ପଛପଟ ଶବଗୃହ ଦେଇ ହସ୍ପିଟାଲ ପରିସରରୁ ବାହାରି ପାଖାପାଖି ୫ଶହ ମିଟର ଦୂରକୁ ସେ ଯିବା ପରେ କିଛି ସ୍ବେଚ୍ଛାସେବୀଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଏ ଘଟଣା ସଂପର୍କରେ ଜାଣିବା ପରେ ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ବେସରକାରୀ ଆମ୍ବୁଲାନ୍ସ ମହାସଂଘର କିଛି କର୍ମକର୍ତ୍ତାଙ୍କୁ ଫୋନ୍ କରିଥିଲେ। କିଛି ସମୟ ମଧ୍ୟରେ ବେସରକାରୀ ଆମ୍ବୁଲାନ୍ସ ମହାସଂଘର ଅସିତ୍ ଜେନା ଓ ସାଥୀ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଓ ତାଙ୍କ ମା’ଙ୍କ ଶବକୁ ନିଜ ଖର୍ଚ୍ଚରେ ତାଙ୍କ ଗାଁରେ ପହଞ୍ଚାଇଛନ୍ତି।
Follow Us