ବେକ, ଦୁଇହାତ ଶିରାକୁ କାଟି ପକାଇଲେ ଯୁବକ 

Advertisment

କବାଟ ତାଡ଼ି ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୁଲିସ

କବାଟ ତାଡ଼ି ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୁଲିସ

ବେକ, ଦୁଇହାତ ଶିରାକୁ କାଟି ପକାଇଲେ ଯୁବକ 

ବେଲଗୁଣ୍ଠା/ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ଜଗନ୍ନାଥପାଟଣା ସାହିରେ ଆଜି ଜଣେ ଯୁବକ କାତିରେ ନିଜ ବେକ ଓ ଦୁଇ ହାତ ଶିରକୁ କାଟି ପକାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ଯୁବକଜଣକ ହେଉଛନ୍ତି, ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଜଡାହାଟୁଣି ଗ୍ରାମର ବିଦୁର ଗୌଡ଼ (୪୫)। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବିଦୁର କାହିଁକି ଏଭଳି ଏକ ପଦକ୍ଷେପ ନେଲେ ଏନେଇ କିଛି ସ୍ପଷ୍ଟ ହୋଇପାରିନି। ବେଲଗୁଣ୍ଠା ପୁଲିସ କାତିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସେହିପରି ବିଦୁରଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ଆଜି ସକାଳ ୧୦ଟା ୨୦ରେ ବିଦୁର ଏକ ବାଇକ୍‌ରେ କାତି ଧରି ବେଲଗୁଣ୍ଠା ବାଙ୍କିବଜାର ସ୍ଥିତ ଦକ୍ଷିଣ ସୁବୁଦ୍ଧି ହୋଲସେଲ୍ ସାଇକେଲ୍ ଦୋକାନକୁ ଆସିଥିଲେ। ଆଉ ‘ମୋତେ କିଏ ମାରିଦେବ, ହାଣିଦେବ’ ବୋଲି ଚିତ୍କାର କରିଥିଲେ। ପରେ ସେ ଜଗନ୍ନାଥପାଟଣା ସାହିରେ ଥିବା ସାଇକେଲ୍ ଦୋକାନର ଗୋଦାମ ଘରେ ପଶି ଯାଇ ଭିତର ପଟୁ କବାଟ କିଳି ଦେଇ କାତିରେ ନିଜର ଦୁଇଟି ହାତର ଶିରାକୁ କାଟିଦେଇ ଚିତ୍କାର କରିଥିଲେ। ଏହାସହ ନିଜ ବେକକୁ ମଧ୍ୟ ଆଘାତ ଦେଇଥିଲେ।

ସ୍ଥାନୀୟ ଲୋକେ ବିଦୁରଙ୍କ ଏଭଳି ଅବସ୍ଥା ଦେଖି ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ବିଦୁରଙ୍କ ଠାରୁ କାତି ଛଡ଼ାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲା। ଦୁଇହାତରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେ‌ଳେ ବେକରେ ବି ଗୁରୁତର ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା।

ପୁଲିସ ବିଦୁରଙ୍କ ପତ୍ନୀ ପଙ୍କଜ ଗୌଡ଼ଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ପଙ୍କଜଙ୍କ ବୟାନ ପ୍ରକାରେ ବିଦୁର ଘୁ.ଉଦୟଗିରିର ଏକ ସାଇକେଲ୍ ମାର୍ଟରେ କାମ କରୁଥିଲେ। ସେଠାରେ କାମ କରିବା ସମୟରେ ଦକ୍ଷିଣ ସୁବୁଦ୍ଧିଙ୍କ ସହ ପରିଚୟ ହୋଇଥିଲା। ପନ୍ଦର ଦିନ ତଳେ ସେ କିଛି ଔଷଧ ଖାଇଥିବା ବେଳେ ପାର୍ଶ୍ଵପ୍ରତିକ୍ରିୟା ହେବା ଯୋଗୁଁ ଘୁ.ଉଦୟଗିରି ଏବଂ ଫୁଲବାଣୀ ମେଡିକାଲ୍ ଯାଇ ଚିକିତ୍ସିତ ହେଉଥିଲେ। ୧୦ ଦିନ ହେଲା ଗାଁରେ ଆସି ରହୁଥିଲେ। ତେବେ ଗାଁରେ ରହୁଥିବା ସମୟରେ ଭୟର ସହ କିଏ ମୋତେ ମାରିଦେବ ଓ ହାଣିଦେବ ବୋଲି କହୁଥିଲେ। ଆଜି ଗାଁର କିଛି ଲୋକଙ୍କଠୁ ବାଇକ୍ ମାଗି ସାର କିଣିବେ କହି ବେଲଗୁଣ୍ଠା ଆସି ବିଦୁର ଏଭଳି ଉନ୍ମତ୍ତ କାଣ୍ଡ ଘଟାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe