ଯୁବକଙ୍କୁ ହତ୍ୟା କରି ପୋଡ଼ିଦେଲେ; କଙ୍କାଳ, ପାଉଁଶ ଜବତ କଲା ପୁଲିସ

Advertisment
ଯୁବକଙ୍କୁ ହତ୍ୟା କରି ପୋଡ଼ିଦେଲେ; କଙ୍କାଳ, ପାଉଁଶ ଜବତ କଲା ପୁଲିସ

ସୋରଡ଼ା : ଜଣେ ଯୁବକଙ୍କୁ ଡାକିନେଇ ପିଟିପିଟି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଶବ ପୋଡ଼ି ଦିଆଯାଇଛି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଥିବା ଏହିଭଳି ଏକ ଘଟଣା ‌ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତ ଯୁବକ ହେଲେ, ସୋରଡ଼ା ଥାନା ଅଧୀନ କେଉଟ ସାହିର ପ୍ରଦ୍ୟୁମ୍ନ ବେହେରାଙ୍କ ପୁଅ ସନ୍ତୋଷ(୩୦)। ସୂଚନା ଅନୁସାରେ, ସନ୍ତୋ‌ଷ ତାଙ୍କ ମାମୁ ରାଧାକାନ୍ତ ବେହେରାଙ୍କ ଘର କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କଟିଙ୍ଗା ଗ୍ରାମକୁ ଯାଇଥିଲେ। ସେଠାରେ ଗତମାସ ୨୮ ତାରିଖ ସକାଳେ ସେ ମାମୁଙ୍କ ସହ ଦୋକାନପିଣ୍ଡାରେ ବସିଥିବା ସମୟରେ ସାନସାଲିମାଗୋଚ୍ଛାର ସମୀର ପଦର ନାମକ ଜଣେ ଯୁବକ ତାଙ୍କୁ ଡାକି ନେଇଥିଲା। ଗତ ୨୯ ତାରିଖରେ ସନ୍ତୋଷ ଓ ସମୀର ସମେତ ପ୍ରକାଶ ଗୌଡ଼, ହରି ନାୟକ ମିଶି ବଡ଼ଗଡ଼ ଥାନା ଅଧୀନ ସାନ‌ଗୋଚ୍ଛା ଗ୍ରାମ ନିକଟ ମୁକିଡାମ୍ ଘାଟି ନିକଟ ଏକ କୁଡ଼ିଆରେ ସଲପ ପିଇଥିଲେ। ଏହିସମୟରେ ସେମାନଙ୍କ ମଧ୍ୟରେ‌ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ହରି ଓ ସମୀର ମିଶି ସନ୍ତୋଷଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିଲେ। ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ଶବକୁ ପୋଡ଼ି ଦେଇଥିଲେ। ଆଜି ବଡ଼ଗଡ଼ ଥାନାରେ ମୃତ ସନ୍ତୋଷଙ୍କ ବାପା ପ୍ରଦ୍ୟୁମ୍ନ ବେହେରା ଏତଲା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଓ ହାଡ଼ପାଉଁଶ ଜବତ କରିଛି। ଅଭିଯୁକ୍ତଙ୍କୁ ଧରିବାକୁ ଧରପଗଡ଼ ‌ଆରମ୍ଭ ହୋଇଥିବା ବଡ଼ଗଡ଼ ଥାନାଧିକାରୀ ସୁରଜ କୁମାର ଝଙ୍କାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe