ଯୁବକଙ୍କୁ ହତ୍ୟାକରି ଫିଙ୍ଗିଦେଲେ

ମେରୁ ଉତ୍ସବ ପାଳନ ବେଳେ ଗୋଷ୍ଠୀ ସଂଘର୍ଷ

ଯୁବକଙ୍କୁ ହତ୍ୟାକରି ଫିଙ୍ଗିଦେଲେ

ନୟାଗଡ଼: ଗତକାଲି ବିଳମ୍ବିତ ରାତି‌ରେ ମେରୁ ଉତ୍ସବ ପାଳନ ବେ‌ଳେ ଦଣ୍ଡ ଶୋଭାଯାତ୍ରା ନେଇ ନୟାଗଡ଼ ସହରରେ ତୁମୁଳକାଣ୍ଡ ଘଟିଛି। ଟାଉନ୍‌ ଥାନା ଅଧୀନ ସିନ୍ଦୁରିଆର ଲୋକନାଥ ମନ୍ଦିର ନିକଟରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁର୍ଗାପ୍ରସାଦର ଗ୍ରାମର ବିକ୍ରମ ପରିଡ଼ାଙ୍କ ପୁଅ ନବୀନ ପରିଡ଼ା(୨୭)ଙ୍କୁ ହତ୍ୟା କରାଯାଇଛି। ଦେଉଳପଲ୍ଲୀ ଗ୍ରାମର ଏକ ଗୋଷ୍ଠୀ ନବୀନଙ୍କୁ ହତ୍ୟା କରିଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଦେଉଳପଲ୍ଲୀ ଗ୍ରାମର ୮ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ସୂଚନା ଅନୁସ‌ାରେ; ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ଦଣ୍ଡ ଶୋଭାଯାତ୍ରା ବାହାରିଥିଲା। ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ଗ୍ରାମକୁ ଫେରିଥାନ୍ତେ। କିନ୍ତୁ କିଏ ଆଗ ଦର୍ଶନ କରିବ, ଡିଜେ ସାଉଣ୍ଡ୍‌ ଜୋର୍‌ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଏଭଳି ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିବର୍ଷ ଦଣ୍ଡ ଶୋଭାଯାତ୍ରା ବେଳେ, ଉଭୟ ଗ୍ରାମ ମଧ୍ୟରେ ଅନେକ ସମୟରେ ବଚସା ହେଉଥିବା ଖବର ମିଳିଛି। ଯାହା ଚଳିତବର୍ଷ ସମସ୍ତ ସୀମା ଲଙ୍ଘିଛି।

ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ମାଡ଼ ‌ହେଉଥିଲା। ଏହି ଢେଲାମାଡ଼ରେ ଟାଉନ୍‌ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନାଙ୍କ ମୁଣ୍ଡ ଫାଟିଛି। ଥାନାର ୩ ଏସ୍‌ଆଇ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମରେ ପୁଲିସ ମୁତୟନ କରାଯାଇଛି। ଉଭୟ ଗୋଷ୍ଠୀରୁ ବହୁ ବ୍ୟକ୍ତି ଆହତ ହୋଇଥିବାବେଳେ, ଅଳ୍ପ କେତେଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଚିକିତ୍ସାଧୀନ ଅଛନ୍ତି। ହତ୍ୟାକାଣ୍ଡରେ ସଂପୃକ୍ତ କିଛି ବ୍ୟକ୍ତି ଫେରାର୍‌ ହୋଇଯାଇଥିବା ବେଳେ, ଅନେକ ଗିରଫଦାରୀ ଭୟରେ ଚିକିତ୍ସାଳୟକୁ ନ ଆସି ଘରେ ଚିକିତ୍ସିତ ‌ହେଉଥିବା ଖବର ମିଳିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏସ୍‌ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସ୍‌ପି, ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂହ ପ୍ରମୁଖ ଘଟଣା ଉପରେ ତୀକ୍ଷଣ ନଜର ରଖିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe