ପୁଲିସ ଭୟରେ ନଦୀକୁ ଡେଇଁ ଯୁବକ ନିଖୋଜ

Advertisment
ପୁଲିସ ଭୟରେ ନଦୀକୁ ଡେଇଁ ଯୁବକ ନିଖୋଜ

ଯାଜପୁରସଦର : ଯାଜପୁର ଟାଉନ ଥାନା ବିଚିତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାଛନ୍ଦା ନିକଟରେ ଜଣେ ଯୁବକ ପୁଲିସ ଭୟରେ ବୁଢ଼ା ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। ଶୁକ୍ରବାର ଚମ୍ପାଛନ୍ଦା ନିକଟରେ କିଛି ଯୁବକ ନିଶା ସେବନ କରୁଥିବା ବେଳେ ଖବରପାଇ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ଗୋଡ଼ାଇବାରୁ  ୨ଜଣ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ। ବିଚିତ୍ରପୁର ପଞ୍ଚାୟତ ବାରବାଟୀ ଗ୍ରାମର ଶ୍ରୀକାନ୍ତ ମହାନ୍ତି(୨୪) ନିଖୋଜ ହୋଇ ଯାଇଥିବା ବେଳେ ସଞ୍ଜୟ ଜେନା ପହଁରି କୂଳକୁ ଆସିଥିଲେ। ଶ୍ରୀକାନ୍ତଙ୍କ ବାପା ମା ନଥିବା ‌ବେଳେ ଭାଇ ଅଛନ୍ତି। ଏହି ଘଟଣାକୁ ଚପାଇ ଦେବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି।

ପ୍ରତ୍ୟକ୍ଷଦର୍ଶୀ ପ୍ରଦୀପ ସାହୁ କହିଛନ୍ତି ଯେ ନିଶା ସେବନ କରୁଥିବା ଅଭିଯୋଗ ପାଇ ପୁଲିସ ପହଞ୍ଚି ତାଗିଦ କରିବା ସହ ଚାରି ପାଞ୍ଚଜଣ ଯୁବକଙ୍କୁ ଘେରି ଯାଇଥିଲେ। ପୁଲିସ ଭୟରେ ଦୁଇ ଯୁବକ ପାଣିକୁ ଡେଇଁ ପଡ଼ିଥିଲେ। ପୁଲିସ ସେଠାରୁ ଅନ୍ୟ ଦୁଇଜଣକୁ ନେଇ ପଳାଇଥିଲା। ପରେ ଏନେଇ ୧୧୨ ନମ୍ବରକୁ କଲ କରାଯିବାରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ବରୀ ଅଗ୍ନିଶମ ଅଧିକାରୀ ଅଜିତ କୁମାର ରାଉତ କହିଛନ୍ତି ଦିନ ୨ଟାରେ ପୁଲିସକୁ ଡରି ଜଣେ ଯୁବକ ନଦୀକୁ ଡେଇଁ ନିଖୋଜ ଥିବା ଖବର ପାଇଥିଲୁ। ସଂଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜଙ୍କ ସନ୍ଧାନ ମିଳିପାରି ନାହିଁ। ଅପରପକ୍ଷରେ ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀ କହିଛନ୍ତି ଏହି ଘଟଣାରେ ପୁଲିସର କୌଣସି ସଂପୃକ୍ତି ନାହିଁ। ପୁଲିସ ଦିନ ବେଳା ୨ଜଣ ନିଶାଡ଼ିକୁ ଧରିଥିଲା। ତେବେ ଏହି ଘଟଣାକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe