ପୁଣି ଦାଦନ ଯନ୍ତ୍ରଣା: କ୍ରସରରେ ଯୁବକର ହାତ କଟିଲା

Advertisment
ପୁଣି ଦାଦନ ଯନ୍ତ୍ରଣା: କ୍ରସରରେ ଯୁବକର ହାତ କଟିଲା

Connect2India

ଥୁଆମୂଳ ରାମପୁର: କଳହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଦାଦନ ଯନ୍ତ୍ରଣା ଦେଖିବାକୁ ମିଳିଛି। ପାଡ଼େପଦର ପଞ୍ଚାୟତ ଦୁରେସପଦର ଗାଁର ମହେନ୍ଦ୍ର ମାଝୀ ଗଞ୍ଜାମ ଜିଲ୍ଲାକୁ କାମ କରିବାକୁ ଯାଇଥିଲା। ଗତ ଗୁରୁବାର କ୍ରସରରେ କାମ କରୁଥିବା ବେଳେ କ୍ରସର ବେଲ୍ଟ ଲାଗି ତାର ବାମ ହାତ ସମ୍ପୂର୍ଣ୍ଣ ଭାବେ କଟିଯାଇଛି।

ସୂଚନାମତେ, ଗତ ତିନି ମାସ ତଳେ ମହେନ୍ଦ୍ର ଗାଁର ବିଜୟ ନାଏକ ସହ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଚାରିମାଇଲି ଛକ ନିକଟ ଏକ କ୍ରସରରେ କାମ କରିବାକୁ ଯାଇଥିଲା। ସେଠାରେ କାମ କରୁଥିବା ବେଳେ ଗତ ଗୁରୁବାର ରାତିରେ କ୍ରସର ବେଲ୍ଟରେ ତାର ହାତ ଲାଗିଯାଇ କଟି ଯାଇଛି। ବନ୍ଧୁ ବିଜୟ ତାକୁ ତୁରନ୍ତ ଆସ୍କା ଡାକ୍ତରଖାନାକୁ ନେଇ ସେଠାରେ ଭର୍ତ୍ତି କରିଥିଲା। ମହେନ୍ଦ୍ରର ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଉକ୍ତ ଡାକ୍ତରଖାନାରେ ମହେନ୍ଦ୍ରର ଚିକିତ୍ସା ଜାରି ରହିଛି।

ମହେନ୍ଦ୍ରର ଏଭଳି ଅବସ୍ଥା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଭାଙ୍ଗି ପଡ଼ିଛନ୍ତି। ପରିବାର ପ୍ରତିପୋଷଣର ବୋଝ ନେଇ ଦାଦନ ଖଟିବାକୁ ଆସିଥିବା ମହେନ୍ଦ୍ର ବର୍ତ୍ତମାନ ହାତ ହରାଇ ଭିନ୍ନକ୍ଷମ ହୋଇ ସେହି ପରିବାର ଉପରେ ବୋଝ ସାଜି ଯାଇଛି। ମହେନ୍ଦ୍ରର ପରିବାର କହିଲେ ସ୍ତ୍ରୀ ସହ ତିନି ଝିଅ। ତେବେ ମହେନ୍ଦ୍ରର ଏଭଳି ଅବସ୍ଥା ପରେ ପତ୍ନୀ କିଳଭି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଏଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe