ପଞ୍ଚାୟତ ନିର୍ବାଚନ ଗୋଷ୍ଠୀ ବିବାଦ ଏଯାଏ ଥମିନି! ଯୁବକଙ୍କୁ ପିଟିପିଟି ହତ୍ୟା

Advertisment

କାର୍‌, ଟାଟା ଏସିରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

କାର୍‌, ଟାଟା ଏସିରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ପଞ୍ଚାୟତ ନିର୍ବାଚନ ଗୋଷ୍ଠୀ ବିବାଦ ଏଯାଏ ଥମିନି! ଯୁବକଙ୍କୁ ପିଟିପିଟି ହତ୍ୟା

ବେଗୁନିଆ : ଖୋର୍ଦ୍ଧାଜିଲ୍ଲା ବେଗୁନିଅ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଜଣେ ଯୁବକଙ୍କୁ ପିଟିପିଟି ଓ ପରେ ପଥରରେ ଛେଚି ହତ୍ୟା କରାଯାଇଛି। ପଞ୍ଚାୟତ ନିର୍ବାଚନ ସମୟର ଗୋଷ୍ଠୀବିବାଦକୁ କେନ୍ଦ୍ରକରି ରହିଥିବା ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ମୃତ ଯୁବକ ହେ‌େଲ, ପ୍ରଦୀପ ବଳିଆରସିଂହ। ଗତକାଲି ସନ୍ଧ୍ୟାରେ ପ୍ରଦୀପ ନିଜ ବାଇକ୍‌ ଯୋଗେ ଶୌଚ ପାଇଁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସଂଖ୍ୟାଧିକ ମହିଳା ଓ ପୁରୁଷ ତାଙ୍କୁ ଟେକି ନେଇଥିଲେ। ନିକଟସ୍ଥ ଜଙ୍ଗଲରେ ପିଟାପିଟି କରିବା ସହ ପଥରରେ ଶରୀରର ବିଭିନ୍ନ ସ୍ଥାନକୁ ଛେଚି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଗ୍ରାମର କିଛିବ୍ୟକ୍ତି ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରଦୀପଙ୍କ ମୃତ୍ୟୁପରେ ଉତ୍ତେଜନା ଲାଗି ରହିଥିବାବେଳେ ଗ୍ରାମରେ ଏବେ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ବେଗୁନିଆ ଥାନାରେ ମୃତକଙ୍କ ବାପା ହରି ଅଭିଯୋଗ କରିବା ପରେ ଥାନା କେସ୍‌ ନମ୍ବର ୮୪/୨୩ରେ ହତ୍ୟା ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଛି। ବୁଧବାର ମଧ୍ୟାହ୍ନରେ ମୃତକଙ୍କ ପରିବାର ଓ ସମର୍ଥକ ଏହି ଘଟଣା ଲାଗି ପୁଲିସକୁ ଦାୟୀ କରି ପ୍ରତିପକ୍ଷ ଲୋକଙ୍କ କାର୍‌, ଟାଟାଏସିରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଓ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବା ବେଳେ ଖୋର୍ଦ୍ଧା ଏସ୍‌ଡିପିଓ ଦିଲୀପ ଦାସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବା କଥା, ପଞ୍ଚାୟତ ନିର୍ବାଚନ ପରଠାରୁ ଦୁଇଟି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଗତ ଗଣେଶ ପୂଜାରେ ଉଭୟ ଗେଷ୍ଠୀ ମୁଁହାମୁହିଁ ହୋଇଥିବା ବେଳେ ଗତ ଜାନୁଆରିରେ ପୁନର୍ବାର ଦୁଇ ଗୋଷ୍ଠୀ ମାର୍‌ପିଟ୍‌ ହୋଇ ଉଭୟ ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ମୃତ ଯୁବକ ଏହି ଗୋଷ୍ଠୀ ବିବାଦର ଶିକାର ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe