ହଜିଯାଉଛି ମାନବିକତା: ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ

Advertisment
ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

Sambad English

ଢେଙ୍କାନାଳ : ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଡେଙ୍ଗବୋରେଇ ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ଅକ୍ଷୟ ପଣ୍ଡା (୩୨)। ତାଙ୍କ ପତ୍ନୀ ଲିପିନା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, କିଛିଦିନ ତଳେ ଡେଙ୍ଗବୋରେଇ ଗାଁରେ ଜଣକ ଘରୁ ପାଣିପମ୍ପ ଓ ସିସିଟିଭି କ୍ୟାମେରା ଚୋରି ହୋଇଥିଲା। ପୁଲିସ ଏହି ମାମଲାରେ ଅକ୍ଷୟ ପଣ୍ଡା ଓ ଲିପୁ ନାୟକଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ସେବେଠାରୁ ଚୋରି ଜିନିଷ ମିଳି ନଥିଲା କିମ୍ବା ଚୋର ଧରା ପଡ଼ି ନଥିଲେ। ଯାହାକୁ ନେଇ ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଏକ ବୈଠକ ବସିଥିଲା। ବୈଠକକୁ ଅକ୍ଷୟ ଓ ଲିପୁଙ୍କୁ ବି ଡକାଯାଇଥିଲା। ହେଲେ ଏଥିରେ କୌଣସି ସମାଧାନ ହୋଇ ପାରି ନଥିଲା। ତେବେ ବିଳମ୍ବିତ ରାତିରେ ଅକ୍ଷୟଙ୍କୁ କିଛି ଯୁବକ ଘରୁ ଜୋର ଜବରଦସ୍ତ ନେଇଯାଇଥିଲେ।

ସେମାନେ ଅକ୍ଷୟଙ୍କୁ ଇନ୍ଦିପୁର ପଥର ଖଣିକୁ ନେଇଯାଇ ସେଠାରେ ଠେଙ୍ଗା ଓ ପାଇପ୍‌ରେ ପିଟିଥିବା ମୃତକଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅକ୍ଷୟଙ୍କୁ ଘରୁ ଟେକିନେବା ପୂର୍ବରୁ ଗାଁ ଚଉକିଆ (ଗ୍ରାମରକ୍ଷୀ) ଆସି ତାଙ୍କୁ ଡାକିଥିଲେ ବି ସେ ଯାଇ ନଥିଲେ ବୋଲି ପତ୍ନୀ କହିଛନ୍ତି। ରାତି ୧୦ଟାରୁ ସକାଳ ୬ଟା ଯାଏ ଅକ୍ଷୟଙ୍କୁ ମାଡ଼ ମରାଯାଇଥିଲା। ବେହୋସ୍ ହୋଇଯାଉଥିଲେ ତାଙ୍କ ମୁହଁକୁ ପାଣି ଛାଟି ହୋସ୍‌କୁ ଆଣି ପୁଣି ମାଡ଼ ମରାଯାଉଥିବା ସେ କହିଛନ୍ତି। ଗ୍ରାମର ଅଜୟ ରାଉତ ଓ ଅନ୍ୟ ୭/୮ ଜଣ ଯୁବକ ଅକ୍ଷୟଙ୍କୁ ଡାକି ନେଇଥିବା ପତ୍ନୀ ଅଭିଯୋଗରେ ଦର୍ଶାଇଛନ୍ତି।

ଘଟଣା ସମ୍ପର୍କରେ ସଦର ଥାନାରେ ‌୪୩୧/୨୩ରେ ମାମଲା ରୁଜୁ ହୋଇଛି। ହେମନ୍ତ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଘଟଣା ଉପରେ ନଜର ରଖାଯାଇଛି ଓ ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

publive-image Mangalorean.com

ହତ୍ୟାର ଭିଡିଓ ଭାଇରାଲ୍ କଲେ
ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମରେ ଗତ ୧୮ ତାରିଖରେ ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ବାହୁଡ଼ା ସାହୁଙ୍କୁ ପିଟି ପିଟି ହତ୍ୟା ଘଟଣାର ଛାତିଥରା ଭିଡ଼ିଓ ସାମ୍ନାକୁ ଆସିଛି। ଏକ ଖୁଣ୍ଟରେ ବାହୁଡ଼ାଙ୍କୁ ବାନ୍ଧି ତାଙ୍କ ପିଠିକୁ ଅତି ଅମାନୁଷିକ ଭାବେ ପିଟାଯାଉଥିବା ସହ ଶତାଧିକ ଲୋକ ଦେଖଣାହାରୀ ସାଜିଛନ୍ତି। ଛାଡ଼ିଦେବା ଲାଗି ବାହୁଡ଼ା କାକୁତିମିନତି ହେଉଥିଲେ ମଧ୍ୟ ଗ୍ରାମର କିଛି ଲୋକ ତାଙ୍କ ପ୍ରତି ଏଭଳି ଅମାବନୀୟ ଆଚରଣ ଦେଖାଇବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛନ୍ତି।

ଏହି ଘଟଣାରେ ପୁଲିସ ଗତକାଲି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ଆଉ ଦୁଇଜଣ ଅଭିଯୁକ୍ତ ତଥା ଉକ୍ତ ଗ୍ରାମର ଡ୍ରାଇଭର୍ ଗୌଡ଼ ଓ ବିମଳ ରାୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ଥିବାରୁ ସେମାନଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ପୁଲିସ ଗ୍ରାମର ପରିସ୍ଥିତି ଉପରେ ନଜର ରଖିଥିବା ବେଳେ କିଛି ଅଭିଯୁକ୍ତ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି। ବାହୁଡ଼ା ଗତ ୩ ଦିନ ହେଲା ଶିକୁଳା, ସମା ଓ ଚିଙ୍ଗୁଡ଼ିଘାଇ ଗ୍ରାମରେ ବୁଲୁଥିଲେ। ଗତ ଗୁରୁବାର ଭୋର୍‌ରେ ସେ ଚିଙ୍ଗୁଡ଼ିଘାଇ ଗ୍ରାମ ନିକଟରେ ବୁଲୁଥିବା ବେଳେ ଲୋକମାନେ ତାଙ୍କୁ ଚୋର ବୋଲି ସନ୍ଦେହ କରି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଦେଇଥିଲେ। ଆଉ ନିସ୍ତୁକ ମାଡ଼ ମାରିବାରୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଶବକୁ ପ୍ରାଥମିକ ବିଦ୍ୟାଳୟ ସାମ୍ନା ତେନ୍ତୁଳି ଗଛ ନିକଟରେ ଫୋପାଡ଼ି ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe