ମଙ୍ଗଳପୁର ବଜାରରେ ୫ ଦିନରେ ୫ ଦୋକାନରୁ ଚୋରି

ମଙ୍ଗଳପୁର ବଜାରରେ ୫ ଦିନରେ ୫ ଦୋକାନରୁ ଚୋରି

ଦଶରଥପୁର : ମଙ୍ଗଳପୁର​ ବଜାରରେ ଚୋରମାନେ ପୁଲିସକୁ ଚ୍ୟାଲେଞ୍ଜ ଦେବା ପରି ପୁଣିଥରେ ଚୋରି କରିଛନ୍ତି। ଗତ ୫ ଦିନ ମଧ୍ୟରେ ୫ ଦୋକନରୁ ଚୋରି ହୋଇଥିଲେ ବି ଜଣେ ବି ଚୋର ଏଯାଏ ଧରାପଡ଼ି ନାହାନ୍ତି। ଲଗାତାର ପ୍ରତ୍ୟକ ରାତିରେ ଗୋଟିଏ ପରେ ଗୋଟିଏ ଦୋକାନରୁ ଚୋରି ହୋଇଚାଲିଥିବାରୁ ଦୋକାନୀଙ୍କ ମଧ୍ୟରେ କୋକୁଆଭୟ ଖେଳିଗଲାଣି। ଗୋଟିଏପଟେ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅନ୍ୟପଟେ ଏହାପରେ ପୁଣି କେଉଁ ଦୋକାନର ପାଳି ବୋଲି ଦୋକାନୀଙ୍କ ମଧ୍ୟରେ ଛନକା ପଶିଛି।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳପୁର ବଜାରରେ ବାରମ୍ବାର ଚୋରି ହେଉଥିବାରୁ ଥାନା ପକ୍ଷରୁ ରାତିରେ ପେଟ୍ରୋଲିଂ ହେଉଥିବାବେଳେ ଜଗୁଆଳ ମଧ୍ୟ ନିୟୋଜିତ କରାଯାଇଛି। ଏହାସତ୍ତ୍ବେ ଆଜି ସକାଳୁ ପୁଣି ଏକ ଦୋକାନରୁ ଚୋରି ହୋଇଛି। ମଙ୍ଗଳପୁର ହାଟ ସାମ୍‌ନା ନାୟକ ଭେରାଇଟି ଷ୍ଟୋରରୁ କେହି ଦୁର୍ବୃତ୍ତ ଆଜବେଷ୍ଟସ ଭାଙ୍ଗି ଦୋକାନ ଭିତରେ ହୋଇଥିବା ସିଲିଂ କାଟି ଚୋରି କରିଛନ୍ତି। ଦୋକାନରେ ଥିବା ନଗଦ ପ୍ରାୟ ୬୮ ହଜାର ଟଙ୍କା ସହିତ ବିଭିନ୍ନ ଜିନିଷ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମାଲିକ ପ୍ରକାଶ କୁମାର ନାୟକ। ତାଙ୍କ ଘର କମାରଡିହ ପଞ୍ଚାୟତ ସହିମାଡ଼ ଗ୍ରାମରେ। ସେ ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ମଙ୍ଗଳପୁରରେ ହୋଲସେଲ ବ୍ୟବସାୟ କରିଆସୁଛନ୍ତି। ଅଭିଯୋଗ ପରେ ମଙ୍ଗଳପୁର ଥାନା ପକ୍ଷରୁ ତଦନ୍ତ କରାଯାଇଛି।

ପୂର୍ବରୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମଙ୍ଗଳପୁର ହାଟ ମଧ୍ୟରେ ଥିବା ବଜରାପାଟ ଗ୍ରାମର ତ୍ରିଲୋଚନ ଧଳଙ୍କ ପରିବା ଦୋକାନରୁ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ଗୁରୁବାର ବିଳମ୍ବିତ ରାତିରେ ହାଟ ସାମ୍‌ନାରେ ଥିବା ମଙ୍ଗଳପୁର ଗ୍ରାମର ଜିତେନ୍ଦ୍ର ନାୟକଙ୍କ ଭେରାଇଟି ଷ୍ଟୋରରୁ ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସେହିପରି ଗତ ମଙ୍ଗଳବାର ବିଳମ୍ବିତ ରାତିରେ କନିକାପଡ଼ା ଓଳସାହି ଗ୍ରାମର ଚିତ୍ତରଂଜନ ବାରିକ(ବାଲା)ଙ୍କ ସେଲୁନରୁ ୧୭ ହଜାର ଟଙ୍କା ଚୋରି ହୋଇଥିଲା। ସେହିପରି ନାଲମଲିକପାଟଣା ଗ୍ରାମର ସୁରେନ୍ଦ୍ର ସାହୁଙ୍କ ସୁନା ମରାମତି ଦୋକାନରୁ ଏକ ସୁନା ମୁଦି ଚୋରି ହୋଇଥିଲା। ମଙ୍ଗଳପୁର ବଜାରରେ ଗତ ଏକବର୍ଷ ମଧ୍ୟରେ  ୨୦ଟି ଦୋକାନରୁ ଚୋରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe