ଦୁଇ ଘରେ କଳାକନା ବୁଲାଇଲେ ଚୋର

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ବାଲିକୁଦା: ବାଲିଚନ୍ଦ୍ରପୁର ଥାନା ସାଉଡ଼ିଆ ପଞ୍ଚାୟତ ବଣିଆରୀ ଗ୍ରାମର ଦୁଇ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି। ଉଭୟ ଜାଗା‌ରୁ ମୋଟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ଅତିକମ୍‌ରେ ୬ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ଘରେ ଥିବା ଟଙ୍କା, ସୁନା ସବୁ ନେଇଯାଇଛନ୍ତି। ଚୋରଙ୍କୁ ପ୍ରତିରୋଧ କରିବାକୁ ଯାଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଗ୍ରାମର ପ୍ରଶାନ୍ତ ସାମଲ, ପତ୍ନୀ ବବିତା ଓ ପୁଅ ସାନୁ ଶୋଇଥିଲାବେଳେ ରାତି ପ୍ରାୟ ୧୨ ଟା ପରେ ଚୋରମାନେ ମୁଖ୍ୟ ଫାଟକ ଖୋଲି ଘରେ ପଶିଥିଲେ। ବାକ୍ସରେ ଥିବା ନଗଦ ୨୦ ହଜାର ଟଙ୍କା ଓ ୭୦/୮୦ ଗ୍ରାମ ସୁନା ଅଳଙ୍କାର ନେଇଯାଇଥିଲେ। ଘରଠାରୁ ଅଳ୍ପ ଦୂର ଆଖୁବିଲରେ ଖାଲି ବାକ୍ସ ଓ ବ୍ୟବହୃତ ଲୁଗାପଟା ଫୋପାଡ଼ି ଚାଲିଯାଇଥିଲେ। ଦୁଇଦିନ ତଳେ ପ୍ରଶାନ୍ତ ଏହି ଟଙ୍କା ବ୍ୟାଙ୍କରୁ ଆଣିଥିଲେ।

ସେହିଭଳି ଗ୍ରାମ ମଧ୍ୟରେ ଥିବା ବାମଦେବ ପରିଡ଼ା (୭୫) ଓ ପତ୍ନୀ ବିଳାସିନୀ (୭୦)ଙ୍କ ଘରେ ରାତି ପ୍ରାୟ ୨ ଟାରେ ଚୋରମାନେ ପଶିଥିଲେ। ବାମଦେବ ପକ୍ଷାଘାତ ରୋଗୀ ହୋଇଥିବାରୁ ଉଠି ପାରି ନଥିଲେ। ଶବ୍ଦ ଶୁଣି ବିଳାସିନୀ ଉଠିଯାଇଥିଲେ। ଏହି ସମୟରେ ବାକ୍ସ ମୁଣ୍ଡାଇ ଜଣେ ଲୋକ ବାହାରି ଯାଉଥିଲା। ସେ ପାଟି କରି ଚୋରକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ବାହାରେ ଥିବା ଅନ୍ୟ ଜଣେ ଆସି ତାଙ୍କୁ ବାଡ଼ିରେ ପିଟିଚାଲିଥିଲା। ଫଳରେ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବାକ୍ସରେ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା, ୫୦ ଗ୍ରାମ୍‌ ସୁନାଅଳଙ୍କାର ଓ ୨୦୦ ଗ୍ରାମ୍‌ ରୁପା ଅଳଙ୍କାର ଥିବା ସୂଚନା ମିଳିଛି। ଘରଠାରୁ ୧ କିମି ଦୂରରେ ଖାଲି ବାକ୍ସ ଓ ଖୋଳ ପଡ଼ିଥିଲା। ଚୋର ଦୁଇଜଣ ମୁହଁରେ କପଡ଼ା ଢାଙ୍କିଥିବା ବେଳେ ଜଣେ ଡେଙ୍ଗା ଓ ଅନ୍ୟ ଜଣେ ଗେଡ଼ା ବୋଲି ବିଳାସିନୀ କହିଛନ୍ତି। ଖବରପାଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଦୁଇଦିନ ତଳେ ପାଖ ପଡ଼ୋଶୀଙ୍କ ଏକ ମଟର ଚୋରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe