ଇସ୍ପାତସହରରେ ୧୨,୦୦୦ ଭୂତ ହିତାଧିକାରୀ !

Advertisment

ଚାଉଳ, ଗହମ, କିରାସିନି ନେଉଛନ୍ତି କିନ୍ତୁ ଟଙ୍କା ବାଣ୍ଟିବାକୁ ଘରକୁ ଗଲେ ଉଭ‌ାନ

ଚାଉଳ, ଗହମ, କିରାସିନି ନେଉଛନ୍ତି କିନ୍ତୁ ଟଙ୍କା ବାଣ୍ଟିବାକୁ ଘରକୁ ଗଲେ ଉଭ‌ାନ

ଅନ୍ତୋଦୟ ଅନ୍ନ ଯୋଜନା ହିତାଧିକାରୀଙ୍କ କରିସ୍ମା: ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ପାଉଛନ୍ତି ଚାଉଳ

Representative image

ରାଉରକେଲା: ଯୋଗାଣ ବିଭାଗ ଜରିଆରେ ରାଉରକେଲା ମହାନଗର ଇଲାକାରେ ଥିବା ହିତାଧିକାରୀଙ୍କ ନାଁରେ ବିଭିନ୍ନ ଯୋଜନା ଅଧୀନରେ ଆସୁଥିବା ଚାଉଳ, ଗହମ, କିରାସିନି ଓ ଡ଼ାଲି ଆଦି ଦିଆ ଯାଉଛି, ଅତିକମ୍‌ରେ ଦିଆ ଯାଉଥିବା ଖାତାପତ୍ରରେ ଦର୍ଶା ଯାଉଛି। କିନ୍ତୁ ଅନ୍ୟଏକ ଯୋଜନା ଅଧୀନରେ ଟଙ୍କା ବାଣ୍ଟିବାଲାଗି ସରକାରଙ୍କ ଅନ୍ୟଏକ ବିଭାଗର କର୍ମଚାରୀ ସେମାନଙ୍କ ଭିତରୁ ହଜାର ହଜାର ଲୋକଙ୍କୁ ଖୋଜି ପାଉନାହାନ୍ତି। ଜଣେ ବା ଦୁଇଜଣ ନୁହେଁ, ପ୍ରାୟ ୩,୧୨୯ ରାସନ କାର୍ଡର ପ୍ରାୟ ୧୨,୦୦୦ ହିତାଧିକାରୀଙ୍କ କ୍ଷେତ୍ରରେ ଏପରି ଘଟିଥିବାର ଜଣା ପଡ଼ିଛି।

ଗୋଟିଏ ପରେ ଗୋଟିଏ ‌ଦୁର୍ନୀତି ପାଇଁ ସ୍ଥ‌ାନୀୟ ଯୋଗାଣ ବିଭ‌ାଗ ସବୁ ସମୟରେ ଚର୍ଚ୍ଚାରେ ରହିଛି। ତେବେ ଗରିବ ହିତାଧିକାରୀଙ୍କ ଚାଉଳ ଓ ଗହମ ଚଳୁ କରୁଥିବା ରିଟେଲରମାନଙ୍କୁ ବିଭାଗୀୟ ଅଧିକାରୀ ଦେଉଛନ୍ତି କ୍ଲିନ୍‌ ଚିଟ୍‌। କେଳେଙ୍କାରୀ ଧରା ପଡିଲେ ଦେଖାଣିଆ ଭାବେ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ବା ବଦଳି କରାଯାଉଛି। ତେଣୁ ସ୍ଥିତି ଆଦୌ ବଦଳୁନାହିଁ। ଏବେ କରୋନା ସହାୟତା ବଣ୍ଟନ ସମୟରେ ଯୋଗାଣ ବିଭାଗରେ ହେଉଥିବା ଆଉ ଏକ ସମ୍ଭାବ୍ୟ ଘୋଟାଲାର ସୂଚନା ମିଳିଛି। କରୋନା ଲକ୍‌ଡାଉନ୍‌ରେ ରାଉରକେଲା ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଏକକାଳୀନ ଏପ୍ରିଲ, ମେ ଓ ଜୁନ୍‌ ତିନି ମାସର ଚାଉଳ, ଗହମ ଓ କିରାସିନି ଯୋଗାଇ ଦିଆଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ୩ ମାସର ମୁଣ୍ଡ ପିଛା ୫ କେଜି ଚାଉଳ, କାର୍ଡ ପିଛା ମାସକୁ ୧ କେଜି ଡାଲି ମଧ୍ୟ ଯୋଗାଇ ଦିଆଯାଇଛି। ଯୋଗାଇ ଦିଆ ଯାଇଛି ବୋଲି କାଗଜପତ୍ରରେ ହିସାବ ଦେଖା ଯାଇଛି। ଏବେ ପୁଣି ରାଜ୍ୟ ସରକାର କାର୍ଡ ପିଛା ୧୦୦୦ ଟଙ୍କା ଯୋଗାଇ ଦେଇଛନ୍ତି। ଏହାର ବଣ୍ଟନ ଦିୟିତ୍ବରେ ଅଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ଇସ୍ପାତ ସହରାଞ୍ଚଳରେ ୬୭,୯୭୧ ଜଣଙ୍କୁ ରାସନ କାର୍ଡ ମିଳିଛି। କିନ୍ତୁ ଏଥି ମଧ୍ୟରୁ ଅଦ୍ୟାବଧି ପ୍ରାୟ ୩,୧୨୯ କାର୍ଡଧାରୀଙ୍କୁ ସେମାନଙ୍କ ଟଙ୍କା ବଣ୍ଟନ କରା ଯାଇ ପାରିନାହିଁ। ବଣ୍ଟନ ଦାୟିତ୍ବରେ ଥିବା ଆର୍‌ଏମ୍‌ସି କର୍ମଚାରୀ ଲିଖିତ ଠିକଣାରେ ସେମାନଙ୍କୁ ପାଉ ନାହାନ୍ତି। ଆର୍‌ଏମ୍‌ସି କର୍ମଚାରୀ ଦୈନିକ ଯାଇ ଖୋଜି ଖୋଜି ଫେରି ଆସୁଛନ୍ତି। ସେପଟେ ଯୋଗାଣ ବିଭାଗ ଅଧିକାରୀ କହୁଛନ୍ତି, ସମସ୍ତ ୬୭,୯୭୧ କାର୍ଡଧାରୀଙ୍କୁ ୩ ମାସର ଚାଉଳ, ଗହମ, କିରାସିନ ଓ ଡାଲି ବଣ୍ଟନ ‌ହୋଇ ସାରିଛି। ଯଦି କାର୍ଡଧାରୀଙ୍କୁ ଚାଉଳ, ଗହମ, କିରାସିନ ଓ ଡାଲି ବଣ୍ଟନ ହୋଇ ପାରିଲା, ଟଙ୍କା ବଣ୍ଟନ ବେଳକୁ ସେମାନେ କୁଆଡ଼େ ଉଭାନ ହୋଇଗଲେ? ସେମାନେ କ’ଣ ପ୍ରକୃତରେ ନାହାନ୍ତି? ନଥିବାଲୋକଙ୍କ ନାଁରେ କାର୍ଡ ତିଆରି ତାଙ୍କ ଗହମ ଚାଉଳ ଆଦିକୁ ଅନ୍ୟକେହି ନେଇ ଯାଉଛି କି? ଏହି ଯୁକ୍ତିରେ ଗଲେ, ୩,୧୨୯ କାର୍ଡ ଅର୍ଥାତ୍‌ ପାଖାପାଖି ୧୨,୦୦୦ ହିତାଧିକାରୀଙ୍କ ନାଁରେ ଆସିଥିବା ଚାଉଳ, ଗହମ, ଡାଲି ଓ କିରାସିନି ବାଟମାରଣା ହୋଇଛି। ଉଲ୍ଲେଖଯୋଗ୍ୟ, ଇସ୍ପାତ ସହରାଞ୍ଚଳରେ ୬୭,୯୭୧ କାର୍ଡଧାରୀଙ୍କ ପାଇଁ ୬ କୋଟି ୭୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬ କୋଟି ୨୧ ଲକ୍ଷ ଟଙ୍କା ବଣ୍ଟନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୬୦ ଲକ୍ଷ ଟଙ୍କା ବଣ୍ଟନ ଜାରି ରହିଛି। କିନ୍ତୁ ହିତାଧିକାରୀଙ୍କ ଠିକଣା ମିଳୁ ନଥିବାରୁ ଅଦ୍ୟାବଧି ୩ ହଜାର ୧୨୯ କାର୍ଡଧାରୀଙ୍କ ୧,୦୦୦ ଟଙ୍କା ଲେଖାଏଁ ଅର୍ଥ ଆର୍‌ଏମ୍‌ସିରେ ପଡିଛି।

ଉଲ୍ଲେଖନୀୟ ଯେ କେବଳ ଯୋଗାଣ ବିଭାଗ, ରିଟେଲରମାନଙ୍କର କାର୍ଯ୍ୟଶୈଳୀ ମଧ୍ୟ ଲଗାତାର ଭାବେ ବିବାଦୀୟ ହୋଇ ଆସିଛି। କିନ୍ତୁ ଅଭିଯୋଗ ହୁଏ ଯେ ଉଭୟଙ୍କ ଭିତରେ ଥିବା ଭିତିରି ଅନୈତିକ ସଂପର୍କ ଯୋଗୁ ସ୍ଥିତିରେ କୌଣସି ଉନ୍ନତି ଘଟୁନାହିଁ। ଗତ କିଛି ମାସ ତଳେ ତତ୍କାଳୀନ ଏଡିଏମ୍‌ ବାଲୁଘାଟର ଜଣେ ରିଟେଲରଙ୍କ ଘରେ ଚଢ଼ଉ କରି ୩୭ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ଜବତ କରିଥିଲେ। ସମ୍ପୃ୍କ୍ତ ରିଟେଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଠାରୁ ମାତ୍ର ୧,୦୦୦ ଟଙ୍କା ଜରିମାନା ଆଦାୟ କରି ତାଙ୍କୁ କ୍ଲିନ୍‌ଚିଟ୍‌ ଦିଆ ଯାଇଥିଲା। ପୁଣି ଗତ ଦୀପାବଳିରେ ଛୁଟିଦିନରେ ଯୋଗାଣ ଗୋଦାମରୁ ୨୦୦ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ବଡଗାଁ ଅଞ୍ଚଳକୁ ଚାଲାଣ ହେଉଥିଲା। ହନୁମାନବାଟିକାରେ ସ୍ଥାନୀୟ ଲୋକେ ଟ୍ରକକୁ ଧରି ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, କେଉଁଠାକୁ ଚାଉଳ ଯାଉଥିଲା, କିଏ ନେଉଥିଲା, ତାହା ଏବେ ମଧ୍ୟ ଯୋଗାଣ ବିଭାଗ ସ୍ପଷ୍ଟ କରିନାହିଁ। ସେ ଘଟଣାକୁ ବିଭାଗ ଏକପ୍ରକାର ଚାପି ଦେଇଛି। ଅନୁରୂପ ଭାବେ ସେକ୍ଟର-୫ ଭିଆଇପି ମାର୍କେଟରୁ ୧୦ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ଇସ୍ପାତ ମାର୍କେଟକୁ ବିକ୍ରି ହେବାକୁ ଯାଉଥିଲା ବେଳେ ଧରାପଡିଥିଲା। ଏମିତି ଗଣ୍ଡା ଗଣ୍ଡା ଘଟଣା ଘଟିଥିଲେ ମଧ୍ୟ ଏବଂ ଅଭିଯୋଗ ହୋଇଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆ ଯାଇନାହିଁ। ଏସବୁ ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ବର୍ଷ ବର୍ଷ ଧରି ଚାଲୁଥିବା ଅନେକ କଳା କାରନାମାର ଫର୍ଦ୍ଦାଫାସ ହୋଇପାରନ୍ତା ବୋଲି କୁହା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe