ରାସ୍ତା କଡ଼ରେ ଠିଆ ହୋଇଛି ୩୦ ହଜାର ଟ୍ରକ୍‌: ପେଟ ଚିନ୍ତାରେ ୫୦ ହଜାର ଡ୍ରାଇଭର, ହେଲ୍‌ପର

Advertisment
ରାସ୍ତା କଡ଼ରେ ଠିଆ ହୋଇଛି ୩୦ ହଜାର ଟ୍ରକ୍‌: ପେଟ ଚିନ୍ତାରେ ୫୦ ହଜାର ଡ୍ରାଇଭର, ହେଲ୍‌ପର

କେନ୍ଦୁଝର/କାଳିଆପାଣି : କରୋନା କଟକଣା ପାଇଁ ଦୋହଲିଯାଇଛି ଟ୍ରକ୍‌, ଟିପର ମାଲିକଙ୍କ ଆର୍ଥିକ ସ୍ଥିତି। କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର ୩୦ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଏବେ ରାସ୍ତା କଡ଼ରେ ଠିଆ ହୋଇ କଳଙ୍କି ଖାଉଛି। ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ୫୦ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଚାଳକ ଏବଂ ହେଲ୍‌ପର ପେଟପାଟଣା ଚିନ୍ତାରେ ଅଛନ୍ତି। ଏଥିସହ ଏହି ପରିବହନ କାର୍ଯ୍ୟ ଉପରେ ପରୋକ୍ଷ ଭାବେ ନିର୍ଭରଶୀଳ ଶ୍ରମିକମାନେ ମଧ୍ୟ ଭୋକ ଉପାସରେ କାଳ କାଟିବାକୁ ବାଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ପାଖାପାଖି ୧୬ ହଜାର ଟ୍ରକ ଏବଂ ଟିପର ମାଲିକ ବିଭିନ୍ନ ସଂଘରେ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଯଦି ସବୁଗୁଡ଼ିକୁ ହିସାବକୁ ନିଆଯାଏ ତାହା ହେଲେ ପାଖାପାଖି ୨୦ ହଜାର ଟ୍ରକ୍‌, ଟିପର, ହାଇୱା ଜିଲ୍ଲାରେ ରହିଛି। ଏହି ଗାଡ଼ିଗୁଡ଼ିକରେ ପ୍ରାୟ ୪୦ହଜାର ଚାଳକ ଏବଂ ଡ୍ରାଇଭର କାମ କରୁଛନ୍ତି। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଗାଡ଼ିଗୁଡିକ ସାଧାରଣତଃ ଓଏମ୍‌ସି ଅଧୀନରେ ଥିବା ଗନ୍ଧମାର୍ଦ୍ଧନ ଲୁହା ଖଣିରୁ ଲୁହାପଥର ପରିବହନ କରିଥାନ୍ତି। ଏହାବାଦ୍‌ ରାଜ୍ୟ ବାହାରକୁ ଯଥା ପଶ୍ଚିମବଙ୍ଗର ପୁରୁଲିଆ, ହଳଦିଆ, ଝାଡଗ୍ରାମ, ଖଡଗପୁର ପରି ଝାଡଖଣ୍ଡର ଭିଲାଇ, ବେକାରୋ ଆଦି ସ୍ଥାନକୁ ଲୁହାପଥର ପରିବହନ ହେଉଥିଲା। ସେହିପରି ଆନ୍ଧ୍ର ପ୍ରଦେଶର ବିଭିନ୍ନ କାରଖାନାକୁ ମଧ୍ୟ ଲୁହାପଥର ଯାଉଥିଲା। ତେବେ ଗତ ମାର୍ଚ୍ଚ ୨୨ ତାରିଖରୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ନିଷ୍ପତ୍ତି କ୍ରମେ ଗନ୍ଧମାର୍ଦ୍ଧନ ଲୁହାପଥର ଖଣିରୁ ପରିବହନ ବନ୍ଦ ରହିଲା। ପାଖାପାଖି ଏକ ମାସ ବନ୍ଦ ରହିବା ପରେ ଗତ ୨୦ ତାରିଖରୁ ଗନ୍ଧମାର୍ଦ୍ଧନରୁ ଏବେ ପାରାଦ୍ବୀପ, ଗୋପାଳପୁର ଲୁହାପଥର ପରିବହନ ହେଉଛି। ପୂର୍ବରୁ ନିୟମିତ ୮ ହଜାର ଗାଡ଼ି ନିୟୋଜିତ ହେଉଥିବା ବେଳେ ଏବେ ଅଳ୍ପକିଛି ଗାଡ଼ି ଗୋପାଳପୁର ଏବଂ ପାରାଦ୍ବୀପକୁ ଯାଉଛି। ଦ୍ବିତୀୟରେ ଯେଉଁ ଗାଡି ଲୁହାପଥର ନେଇ ବାହାରକୁ ଯାଉଛି, ଫେରିବା ପରେ ଡ୍ରାଇଭରଙ୍କୁ ନିଜ ଗ୍ରାମରେ ପୂରାଇ ଦେଉ ନ ଥିବାରୁ ସମସ୍ୟା ହେଉଛି। ଏଥିସହ ୬୦ ପ୍ରତିଶତ ଡ୍ରାଇଭର ପଡୋଶୀ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟର। ଅଧିକାଂଶ ନିଜ ଗ୍ରାମକୁ ପଳାଇ ଆଉ ଆସିପାରୁ ନାହାନ୍ତି। ହଜାର ହଜାର ଗାଡି ଚଳଚଳ ବନ୍ଦ ଥିବାରୁ ଏବେ ଡ୍ରାଇଭର ଏବଂ ହେଲପରଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଛି। ଝାଡଖଣ୍ଡ ବୋକାରୋ ଅଞ୍ଚଳର ଡ୍ରାଇଭର ଅଭିଜିତ୍‌ ତିୱାରୀ କହିଛନ୍ତି, ଏଠାରେ ତାଙ୍କ ଗାଡ଼ିର ମାଲିକଙ୍କ ଡାଲି, ଚାଉଳ ଏବଂ ପନି ପରିବା ଦେଇଛନ୍ତି। ତେବେ ଗାଁରେ ଥିବା ପରିବାର ପାଖକୁ ଅର୍ଥ ପଠାଇବ ପାରିନଥିବାରୁ ସେମାନେ ଦୁଃଖକଷ୍ଟରେ ଅଛନ୍ତି। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, କରୋନା ସଂକ୍ରମଣ ଭୟରେ ମାର୍ଚ୍ଚ ୨୨ ତାରିଖରୁ ପରିବହନ କାର୍ଯ୍ୟ ବନ୍ଦ ଥିଲା। ଏହି ସମୟରେ ଟ୍ରକ ଡ୍ରାଇଭର କେବଳ ନୁହନ୍ତି, ମାଲିକମାନେ ମଧ୍ୟ କିସ୍ତି ଦେବାରେ ସମସ୍ୟାରେ ପଡ଼ୁଥିବା ନଜରକୁ ଆସୁଛି। ତେଣୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି।

ଅପରପକ୍ଷରେ, କରୋନା କଟକଣା ଓ ଲକ୍‌ଡାଉନ୍ ଯାଜପୁର ଜିଲ୍ଲାର ଟ୍ରକ୍‌ ଡ୍ରାଇଭର ଓ ମାଲିକଙ୍କ ପାଇଁ ଦୟନୀୟ ପରିସ୍ଥିତି ସୃଷ୍ଟିକରିଛି। ଜିଲ୍ଲାରେ ଥିବା ବିଭିନ୍ନ ଟ୍ରକ୍‌ ମାଲିକ ସଂଘରେ ପଞ୍ଜୀକୃତ ଥିବା ଟ୍ରକ୍‌ ସଂଖ୍ୟା ୫ ହଜାର ୮ଶହ। ଏହା ମଧ୍ୟରୁ ୬ଚକିଆ ଟ୍ରକ୍‌ ସଂଖ୍ୟା ୨ ହଜାର ୭ଶହ ଓ ବଡ଼ ଟ୍ରକ୍‌(୧୦, ୧୨ ଓ ୧୪ ଚକିଆ) ସଂଖ୍ୟା ୩ ହଜାର ୧ଶହ। ଏହାବାଦ୍‌ ଆହୁରି ୩ରୁ ୪ହଜାର ଟ୍ରକ୍‌, ଟିପର ଜିଲ୍ଲାରେ ଚଳାଚଳ କରୁଛି। ଏତେ ସଂଖ୍ୟକ ଟ୍ରକ୍‌ ମଧ୍ୟରୁ ବିଭିନ୍ନ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରେ ଦୈନିକ ଅତିବେଶୀରେ ଶହେରୁ ୨ଶହ ଟ୍ରକକୁ କାମ ମିଳୁଛି। ଦେଖିବାକୁ ଗଲେ ୯୮ ପ୍ରତିଶତ ଟ୍ରକ୍‌ ପାଇଁ ଏବେ କାମ ନାହିଁ। ପ୍ରାୟ ସମସ୍ତ ଟ୍ରକ୍‌ ମାଲିକ ଏବେ ବ୍ୟବସାୟ ଓ ରୋଜଗାରରୁ ବଞ୍ଚିତ। ସେହିପରି କାମ ଅଭାବରୁ ମଧ୍ୟମବର୍ଗ ଶ୍ରେଣୀଭୁକ୍ତ ପାଖାପାଖି ୬ ହଜାର ଟ୍ରକ୍‌ ଡ୍ରାଇଭର ଏବେ ହାତବାନ୍ଧି ବସି ରହିଛନ୍ତି। ଘରୋଇ ମାଲିକମାନେ ‌ସେମାନଙ୍କୁ ମଜୁରି ଦେବାକୁ ସକ୍ଷମ ନଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ଖଣି ପ୍ରଭାବିତ ଟ୍ରକ୍‌ ମାଲିକ ସଂଘରେ ସର୍ବାଧିକ ୯୭୦ ଟ୍ରକ୍‌ ଥିଲେ ମଧ୍ୟ ଏକାଧିକ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରେ କାଁ ଭାଁ ବୋଝେଇ ସୁଯୋଗ ରହିଛି। ଗତ ଜାନୁଆରିରୁ ମାର୍ଚ ମାସ ମଧ୍ୟରେ ସର୍ବାଧିକ କ୍ରୋମ୍‌ ପରିବହନ ହୋଇଥିବା ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ ଆଦୌ ପରିବହନ ସୁଯୋଗ ନଥିଲା। ଲିଜ୍ ଅବଧି ଅତିକ୍ରାନ୍ତ ଓ ଖଣି ନିଲାମ ପ୍ରକ୍ରିୟା ପାଇଁ ଏଠି ପରିବହନରେ ଅଚଳାବସ୍ଥା ରହିଛି।

'ଟ୍ରକ୍‌ ବେପାର ଏବେ ପୂରା ଠପ୍‌, ଅର୍ଥାଭାବ ପାଇଁ କରୋନା ନାଁରେ ଆମେ ଘରୁ ଗୋଡ଼ କାଢ଼ୁନୁ,' ବୋଲି ଖଣି ପ୍ରଭାବିତ ଟ୍ରକ୍‌ ମାଲିକ ସଂଘ ସଭାପତି କୃତିବାସ ଭଞ୍ଜ(କୁନା) କହନ୍ତି। କରୋନା ପାଇଁ କ୍ଷତିଗ୍ରସ୍ତ ସମସ୍ତ ବର୍ଗକୁ ସରକାର ଆର୍ଥିକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ରୋଜଗାର ପ୍ରଭାବିତ ଟ୍ରକ୍‌ ମାଲିକମାନଙ୍କୁ ସରକାର ସହାୟତା କରନ୍ତୁ ବୋଲି ଜିଲ୍ଲାର ୬ ପଞ୍ଜୀକୃତ ଟ୍ରକ୍‌ ମାଲିକ ସଂଘ ଯଥା ଖଣି ପ୍ରଭାବିତ ଟ୍ରକ୍‌ ମାଲିକ ସଂଘ, ସୁକିନ୍ଦା ମିନେରାଲ୍‌ ଟ୍ରକ୍‌ ଓନର୍ସ ଆସୋସିଏସନ୍, ଯାଜପୁରରୋଡ଼ ଟ୍ରକ୍‌ ମାଲିକ ସଂଘ, କୁହିକାସ୍ଥିତ ସୁକିନ୍ଦା ଖଣି ଅଞ୍ଚଳ ଟ୍ରକ୍‌ ମାଲିକ ସଂଘ, ଚଣ୍ଡି‌‌ଖୋଲ ଟ୍ରକ୍‌ ମାଲିକ ସଂଘ ଓ ବ୍ରାହ୍ମଣୀବ୍ରିଜ୍ ଟ୍ରକ୍‌ ମାଲିକ ସଂଘ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe