ନକଲି ଶିକ୍ଷକ ହାଉଯାଉ, ଶତାଧିକଙ୍କ ତାଲିକା ଧରି ବୁଲୁଛି ଗଣଶିକ୍ଷା ବିଭାଗ

Advertisment

ରିପୋର୍ଟ ଦେଉନାହାନ୍ତି ଡିଇଓ, ଡିପିସି, ବିଇଓ

ରିପୋର୍ଟ ଦେଉନାହାନ୍ତି ଡିଇଓ, ଡିପିସି, ବିଇଓ

ନକଲି ଶିକ୍ଷକ ହାଉଯାଉ, ଶତାଧିକଙ୍କ ତାଲିକା ଧରି ବୁଲୁଛି ଗଣଶିକ୍ଷା ବିଭାଗ

Pragativadi

ଭୁବନେଶ୍ବର: ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତ ହୋଇଛନ୍ତି ପ୍ରାଥମିକ ଶିକ୍ଷକ। ପଦୋନ୍ନତି ବି ପାଇଛନ୍ତି। ଗଞ୍ଜାମରୁ କେନ୍ଦୁଝର; ବାଲେଶ୍ବରରୁ ଖୋର୍ଧା ସବୁଠି ଏମାନଙ୍କୁ ନେଇ ଚିନ୍ତା ବଢ଼ିଲାଣି। ଶତାଧିକ ନକଲି ଶିକ୍ଷକ ଇତିମଧ୍ୟରେ ଧରାପଡ଼ିଲେଣି। ତା’ପରେ ବି ସଂଖ୍ୟା କମୁନି। ଗତ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ୬୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ କିଛି ଜଣ ଭୟରେ ସ୍କୁଲ ହତା ମାଡ଼ୁନାହାନ୍ତି। ଏମିତି ସ୍ଥିତିରେ ବିଭାଗ ପୁଣି ତନାଘନା ଆରମ୍ଭକରିଛି। ଏବେ ପୁଣିଥରେ ନିର୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇ୨୨ ଜିଲ୍ଲାର ୧୩୦ ଜଣ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌, ମାର୍କସିଟ୍‌(ଏକାଡେମିକ/ଟ୍ରେନିଂ), ମାଇଗ୍ରେସନ ସାର୍ଟିଫିକେଟ୍‌, ପରୀକ୍ଷା ଫଳ ପ୍ରକାଶ, ଜାତିଗତ ପ୍ରମାଣପତ୍ର, ସର୍ଭିସ୍‌ ରେକର୍ଡ ଆଦି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କୁ ବହିଷ୍କାର କରିବା ସହ ଥାନାରେ ଏତଲା ଦେବାକୁ କୁହାଯାଇଛି।
ଶିକ୍ଷାରେ ବିକାଶ ଜିଲ୍ଲା କୁହାଯାଉଥିବା ବାଲେଶ୍ବରରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ହାଉଯାଉ।

ତନାଘନା ହେଉନି କି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗଞ୍ଜାମ, କେନ୍ଦୁଝର, ରାୟଗଡ଼ା, ଗଜପତି ଜିଲ୍ଲା କଥା ନ କହିବା ଭଲ। ଅନେକ ବିଦା ହେଲେଣି। ଆଉ କିଛି ନକଲି ଶିକ୍ଷକଙ୍କ ସର୍ଟିଫିକେଟ୍‌ ଯାଞ୍ଚ ହେଉନି କି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଯାହାକୁ ନେଇ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ବି ଚିନ୍ତା ପ୍ରକଟ କରିଛି। ବାରମ୍ବାର ଚିଠି ଲେଖା ଯିବା ସ‌ତ୍ତ୍ବେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) କାହିଁକି ଯାଞ୍ଚ କରି ରିପୋର୍ଟ ଦେଉନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ମାନେ ବି ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଖାତିର କରୁନାହାନ୍ତି। ଧରପଗଡ଼‌ ବେଳେ ବହୁ ଶିକ୍ଷକଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି।

୨୦୨୧ ସେପ୍ଟେମ୍ବର ମାସରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୁଲିସ ୪ ଜଣ ନକଲି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ମୁରିବାହାଲ ବ୍ଲକ୍‌ କୁର୍ଲୁବାହାଲ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ଜେଲ୍‌ ଯାଇଥିଲେ। କେନ୍ଦୁଝର ଜିଲ୍ଲାରେ ୧୨ ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି। ରାୟଗଡ଼ା ଜିଲ୍ଲାରେ ୫୯ରୁ ଅଧିକ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିଥିବା ବେଳେ ୩ ଜଣଙ୍କ ନାଁରେ ମାମଲା ହୋଇଛି। ଗଞ୍ଜାମ ଜିଲ୍ଲାରେ ତ ସ୍ଥିତି ସବୁଠାରୁ ଖରାପ। ଏବେ ବି ଶତାଧିକ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଲିକା ଧରି ବୁଲୁଛି ଶିକ୍ଷା ବିଭାଗ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। ଗତ ଏପ୍ରିଲ ଓ ମେ’ ମାସରେ ତଦନ୍ତ ବେଳେ ମାଳମାଳ ନକଲି ଶିକ୍ଷକ ଧରାପଡ଼ିଛନ୍ତି। କେନ୍ଦୁଝରରେ ବହିଷ୍କାର ପୂର୍ବରୁ ଇସ୍ତଫା ଦେଇ ଶିକ୍ଷକ ଫେରାର ହୋଇଯାଇଛନ୍ତି। କୋରେଇରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇଥିବା ଶିକ୍ଷକ ଧରାପଡ଼ିଥିଲେ। ନକଲି ପିଇଟି, ହିନ୍ଦୀ, ସଂସ୍କୃତ ଶିକ୍ଷକ ବି ସାମ୍ନାକୁ ଆସିଛନ୍ତି।

୨୦୧୫ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ବିଭାଗ ପକ୍ଷରୁ ବିଇଓ ଓ ଡିଇଓଙ୍କୁ ୬ ଥର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ବି ଶିକ୍ଷା ଅଧିକାରୀ ତାହାକୁ ଖାତିର କରି ନ ଥିଲେ। ମାତ୍ର ଯେତେବେଳେ ଦରମା ବନ୍ଦ ହେବା ନେଇ ଚେତାବନୀ ଦିଆଗଲା ସେତେବେଳେ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ ଅଧିକାରୀ। ୫୦୦ରୁ ଅଧିକ ଶିକ୍ଷକ ଧରାପଡ଼ିବା ସହ କାର୍ଯ୍ୟାନୁଷ୍ଠାନ ହୋଇଛି। ଆହୁରି ଶତାଧିକ ନକଲି ଶିକ୍ଷକଙ୍କ ନାମରେ ଅଭିଯୋଗ ଗଡ଼ୁଛି। କରୋନା ଭିତରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୪ ଥର(୨୦୨୦ ଅକ୍ଟୋବର ୨୯, ଡିସେମ୍ବର ୧, ୨୦୨୧ ଜାନୁଆରି ୨୧, ଅକ୍ଟୋବର ୧୮) ଚିଠି ଲେଖାଯିବା ପରେ ବି ଶିକ୍ଷା ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ନ ଥିଲେ କି ରିପୋର୍ଟ ଦାଖଲ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe