ଡିଜି ଥାଇ ବି ୮ ଘଣ୍ଟା ଅନ୍ଧାରରେ ରହିଲା ଚାନ୍ଦବାଲି ଡାକ୍ତରଖାନା

Advertisment

ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ସାପ କାମୁଡ଼ା ଇଞ୍ଜେକସନ୍‌ ଦେଲେ ଡାକ୍ତର

ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ସାପ କାମୁଡ଼ା ଇଞ୍ଜେକସନ୍‌ ଦେଲେ ଡାକ୍ତର

ଡିଜି ଥାଇ ବି ୮ ଘଣ୍ଟା ଅନ୍ଧାରରେ ରହିଲା ଚାନ୍ଦବାଲି ଡାକ୍ତରଖାନା

ଚାନ୍ଦବାଲି: ୮ ଘଣ୍ଟା ଧରି ଅନ୍ଧାରରେ ରହି‌ଲେ ରୋଗୀ, ଡାକ୍ତର, ନର୍ସ ଓ କର୍ମଚାରୀ। ଗରମ, ଗୁଳୁଗୁଳି ସାଙ୍ଗକୁ ମଶାଙ୍କ ଦାଉରେ ଢେର ସମୟ ଧରି ସମସ୍ତେ କଲବଲ ହେଲେ। ଏମିତିକି ଡାକ୍ତରଖାନାକୁ ଆସିଥିବା ନଳଗୋହିରା ଅଞ୍ଚଳର ଜଣେ ସାପ କାମୁଡା ରୋଗୀଙ୍କୁ ଡାକ୍ତର ମୋବାଇଲ ଟର୍ଚ୍ଚ ଲାଇଟରେ ଇଞ୍ଜେକସନ୍‌ ବି ଦେଲେ। ଏହି ଘଟଣାକୁ ନେଇ ରବିବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତକାଲି ସନ୍ଧ୍ୟା ୬ରୁ ରାତି ୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ଅନ୍ଧାର ଓ ଗରମରେ ରୋଗୀମାନେ ନାହିଁନଥିବା ହନ୍ତସନ୍ତ ହୋଇଥିଲେ। ଡାକ୍ତରଖାନା‌ରେ ଡିଜି ଥିଲେ ମଧ୍ୟ ଅପରେଟର୍‌ ନ ଥିବାରୁ ଡିଜି ଚଲାଯାଇପାରିନଥିଲା। ଫଳରେ ଡାକ୍ତରଖାନା ପ୍ରାୟ ୮ ଘଣ୍ଟା ଧରି ଅନ୍ଧାର ରହିଥିଲା। ଏହି ସମୟ ମଧ୍ୟରେ ବିଭିନ୍ନ ରୋଗୀଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଏପରିକି ଡାକ୍ତରଖାନାକୁ ଆସିଥିବା ନଳଗୋହିରା ଅଞ୍ଚଳର ଜଣେ ସାପକାମୁଡା ରୋଗୀ ଆଲୋକ ନାଥଙ୍କୁ ଡାକ୍ତର ସ୍ମୃତିରଞ୍ଜନ ଦେ ମୋବାଇଲ ଟର୍ଚ୍ଚ ଜଳାଇ ରକ୍ତ ନମୁନା ପରୀକ୍ଷା କରିବା ସହିତ ଇଞ୍ଜେକସନ୍‌ ଦେଇଥିଲେ। ସେହିପରି ଛେଡାକ ଗ୍ରାମର ଜଣେ ପ୍ରସୂତି ମହିଳା ନବଜାତ ଶିଶୁପୁତ୍ରକୁ ଅନ୍ଧାରରେ ଧରି ନିରୁପାୟ ଅବସ୍ଥାରେ ବେଡ୍‌ରେ ପଡ଼ିରହିଥିଲେ। ଦୀର୍ଘ ସମୟ ଧରି ବିଦ୍ୟୁତ ନ ରହିବାରୁ ରୋଗୀ ଓ ସମ୍ପର୍କୀୟମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ।

ଏ ସମ୍ପର୍କରେ ଡ୍ୟୁଟିରେ ଥିବା ଡାକ୍ତର ଶ୍ରୀ ଦେ କିଛି କହିବାକୁ ମନା କରିଥିବା ବେଳେ ଜଣେ ଆଟେଣ୍ଡାଣ୍ଟ ଓ ଜଣେ ମାତ୍ର ନର୍ସଙ୍କୁ ନେଇ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ସବୁଠୁ ବଡ କଥା ହେଉଛି, ଡାକ୍ତରଖାନାରେ ୩୦ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିଷ୍ଣୁପ୍ରସାଦ ସାହୁ କହିଛନ୍ତି, ଡାକ୍ତରଖାନାରେ କେହି ସ୍ଥାୟୀ ବିଦ୍ୟୁତ କର୍ମଚାରୀ ନାହାନ୍ତି। ଜଣେ ଅସ୍ଥାୟୀ କର୍ମଚାରୀ ଥିଲେ ବି ଗତକାଲି ତାଙ୍କର ଛୁଟିଥିବାରୁ ଏଭଳି ସମସ୍ୟା ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe