ବାରଣ୍ଡାରେ ଚାଲିଛି ପାଠପଢ଼ା, ୧୦ ଶ୍ରେଣୀକୁ ୫ କୋଠରି

ବାରଣ୍ଡାରେ ଚାଲିଛି ପାଠପଢ଼ା, ୧୦ ଶ୍ରେଣୀକୁ ୫ କୋଠରି

କୁତ୍ରା,୨୦।୫(ଇମିସ): ବର୍ତ୍ତମାନ ଓଡ଼ିଶା ସାରା ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବା ବେଳେ କୁତ୍ରା ବ୍ଲକ୍‌ରେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ ଚାଲିଛି। ତେବେ ରୂପାନ୍ତରୀକରଣରେ କେତେକ ବିଦ୍ୟାଳୟର ନବକଳେବର ହୋଇଯାଇଥିବା ବେଳେ ଆଉ କେତେକ ବିଦ୍ୟାଳୟରେ ବିଚିତ୍ର ଦୃଶ୍ୟ ପରିଲକ୍ଷିତ ହେଉଛି। ଏହି ବ୍ଲକ୍‌ ଲତାଲଗା ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଦୃଷ୍ଟାନ୍ତ ଭାବରେ ନିଆଯାଇପାରେ। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ୧୮୩। ପିଲାଙ୍କ ପାଠପଢ଼ା ପାଇଁ ରହିଛି ୫ଟି ଶ୍ରେଣୀଗୃହ। ଶ୍ରେଣୀଗୃହ ଅଭାବରୁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲା ବିଦ୍ୟାଳୟର ଅଫିସ୍‌ ବାରଣ୍ଡାରେ ତଳେ ବସି ପାଠ ପଢୁଛନ୍ତି।

ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ଅସଂପୂର୍ଣ୍ଣ ଭୋଜନାଳୟରେ ବସି ପାଠ ପଢୁଛନ୍ତି। ଷଷ୍ଠ ଓ ସପ୍ତମ ପିଲା ଅସଂପୂର୍ଣ୍ଣ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। କେବଳ ମାତ୍ର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ନିଜସ୍ବ ଶ୍ରେଣୀଗୃହ ରହିଛି। ୫-ଟି ତରଫରୁ ୩ଟି ଶ୍ରେଣୀଗୃହ ନିର୍ମାଣ ଚାଲୁଥିଲେ ହେଁ ଏହା ଶ୍ରେଣୀଗୃହ ଅଭାବ ଦୂରକରି ପାରୁନଥିବାରୁ ପିଲାଙ୍କ ଦୁର୍ଦ୍ଦଶା କହିଲେ ନସରେ। ପୂର୍ବରୁ ଥିବା ପୁରୁଣା ଶ୍ରେଣୀଗୃହଗୁଡ଼ିକୁ ଲାଇବ୍ରେରି, କମ୍ପୁଟରଗୃହ, ବିଜ୍ଞାନାଗାର ପ୍ରଭୃତି କରାଯାଇଛି। ତେବେ ଗୋଟିଏ ଶ୍ରେଣୀଗୃହରେ ୩ଟି ଶ୍ରେଣୀର ଛାତ୍ରଛାତ୍ରୀ କିଭଳି ପାଠ ପଢୁଥିବେ ତାହା ସହଜରେ ଅନୁମେୟ। ବିଦ୍ୟାଳୟରେ ଅଧିକ ଶ୍ରେଣୀଗୃହ ଆବଶ୍ୟକ ଥିବାବେଳେ ଏଭଳି ଢଙ୍ଗରେ ବିଦ୍ୟାଳୟ ନିର୍ମାଣକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯଥାଶୀଘ୍ର ଆବଶ୍ୟକ ଶ୍ରେଣୀଗୃହ ଯୋଗାଇଦେବାକୁ ଦାବିହେଉଛି। ଶ୍ରେଣୀଗୃହ ନ ଥାଇ କେବଳ ରଙ୍ଗମାରି ରୂପାନ୍ତରଣ କଲେ ତାହା କେଉଁକାମର ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe