ପ୍ରକଳ୍ପ ଅଛି, କାମରେ ଲାଗୁନି; ବବଡ଼ଙ୍ଗିଆରେ ପୁଣି ଲୋକଙ୍କ ଭରସା ଚୁଆ ଓ ନାଳ ପାଣି

Advertisment
ପ୍ରକଳ୍ପ ଅଛି, କାମରେ ଲାଗୁନି; ବବଡ଼ଙ୍ଗିଆରେ ପୁଣି ଲୋକଙ୍କ ଭରସା ଚୁଆ ଓ ନାଳ ପାଣି

ଫିରିଙ୍ଗିଆ : ପ୍ରକଳ୍ପ ଅଛି। ଏବାବଦରେ କୋଟିକୋଟି ଟଙ୍କା ବ୍ୟୟ ବି ହୋଇଛି। ହେଲେ ଗତ ୩ ବର୍ଷ ମଧ୍ୟରେ ମାତ୍ର ୩ ମାସ ଜଳଯୋଗାଣ ହୋଇଛି। ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ବବଡଙ୍ଗିଆ ଗ୍ରାମରେ ୧୫୦ରୁ ଅଧିକ ପରିବାର ବସବାସ କରିଥାନ୍ତି। ପୂର୍ବରୁ ସେମାନେ ନାଳ, ଝରଣା ଆଦିରୁ ଜଳ ସଂଗ୍ରହ କରି ଚଳୁଥିଲେ। ବାରମ୍ବାର ଦାବି ପରେ ଗତ ୩ ବର୍ଷ ତଳେ ପଞ୍ଚାୟତିରାଜ ଓ ଜଳଯୋଗାଣ ବିଭାଗ ଅନୁଦାନରେ ଲକ୍ଷାଧିକ ଟଙ୍କା ବିନିମୟରେ ଗ୍ରାମରେ ବସୁଧା ଯୋଜନାରେ ନିର୍ମାଣ କରାଯାଇଥିଲା ଏକ ଜଳପ୍ରକଳ୍ପ। ତେବେ ନିର୍ମାଣ ହେବାର ମାତ୍ର ୩ ମାସ ଜଳ ଯୋଗାଣ ପରେ ପରବର୍ତ୍ତୀ ସମୟରେ ଏହା ଆଉ କାମରେ ଆସୁନାହିଁ। ଫଳରେ ବାଧ୍ୟହୋଇ ଅଞ୍ଚଳବାସୀ ପୂର୍ବପରି ନାଳ ଓ ଚୁଆରୁ ଜଳ ସଂଗ୍ରହ କରି ଜୀବନ ବିତାଉଛନ୍ତି। ସମସ୍ୟା ସମ୍ପର୍କରେ କନିଷ୍ଠଯନ୍ତ୍ରୀ ଓ ବ୍ଲକ୍‌ ଅଧ୍ୟକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ କରାଯାଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମ ପାର୍ଥ କହଁର, ସାମନ୍ତ କହଁର ଓ ଅନ୍ୟମାନେ।

publive-image

ତେବେ ଘରକୁ ପାଣି ଯୋଗାଣ ପାଇଁ ଆବଶ୍ୟକ ପାଇପ୍ ଓ ଅନ୍ୟ ସାମଗ୍ରୀ ମାଗଣା ଯୋଗାଇ ଦେବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣ ବେଳେ ଗ୍ରାମବାସୀଙ୍କ ଠାରୁ ପାଇପ୍ ଓ ଅନ୍ୟ ସରଞ୍ଜାମ ପାଇଁ କାହାଠାରୁ ହଜାରେ ଟଙ୍କା ତ, ପୁଣି କାହାଠାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମର ସୁଧିର କହଁର, ତ୍ରିଲୋଚନ କହଁର, ଫିଲିମୋହନ କହଁର। କେତେକଙ୍କ ଠାରୁ ଟଙ୍କା ଆଦାୟ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଫଳରେ ଠିକାଦାରଙ୍କ ଦ୍ବାରା କେତେକଙ୍କୁ ଟଙ୍କା ମଧ୍ୟ ଫେରାଇ ଦିଆଯାଇଥିଲା ପ୍ରକାଶ କରିଛନ୍ତି ଗ୍ରାମବାସୀ। ୱାର୍ଡ଼ସଭ୍ୟ ନାରାୟଣ କହଁର ଅଭିଯୋଗ ପ୍ରକାରେ ନିମ୍ନମାନର କାମ ଯୋଗୁଁ ପ୍ରକଳ୍ପର ଚତୁଃପାର୍ଶ୍ବ ଭାଙ୍ଗିରୁଜି ଯାଇଥିବା ଅଭିଯୋଗ କରିଛନ୍ତି। ଏପରିକି ଯେଉଁ ପାଣି ପାଇପ୍ ଷ୍ଟାଣ୍ଡ ପୋଷ୍ଟ କରାଯାଇଛି ସେଥିରେ ସିମେଣ୍ଟ ପିଲାର କରାନଯାଇ କାଠ ବାଡ଼ିରେ ରଖାଯାଇଛି। କେଉଁଠି ଟ୍ୟାପ ଲାଗିଛି, ପୁଣି କେଉଁଠି ଟ୍ୟାପ ନାହିଁ। ପାଣି ଟାଙ୍କିରେ ଆଜି ପର୍ଯ୍ୟନ୍ତ ରଙ୍ଗ ମରାଯାଇ ନାହଁ।

ସମସ୍ୟା ସମ୍ପର୍କରେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସମ୍ବରିଆ ବେହେରାଙ୍କୁ ପଚାରିବା ପାଇଁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରକାର ଉତ୍ତର ଦେଇନଥିବା ବେଳେ ଏନେଇ ଫୁଲବାଣୀ ଏସ୍‌ଡିଓ ଦେବହରି ପ୍ରଧାନଙ୍କୁ ପଚାରିବା ପରେ ଏନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି । ଯେଉଁ ଟଙ୍କା ସଂଗ୍ରହ ହୋଇଥିବା ଅଭିଯୋଗ ହୋଇଛି ସେ ନିଜେ ଗ୍ରାମକୁ ଯାଇ ତାହାର ତଦନ୍ତ କରିବା ସହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe