Mental Floss
କାଳିଆପାଣି: ଲଗାଣ ବର୍ଷା ପ୍ରଭାବରୁ ଏବେ ଚାରିଆଡ଼େ ସନ୍ତସନ୍ତିଆ ପରିବେଶ। ରାସ୍ତାଘାଟ ପାଣି ପଚରପଚର। ଘରେଘରେ ଥଣ୍ଡା ଓ ଜ୍ବର ରୋଗୀ। ଭୂତାଣୁ ଜନିତ ଜ୍ବର ମାଡ଼ୁଛି। ଏଇ ମଉକାରେ ଖଣିଅଞ୍ଚଳରେ କ୍ବାକ୍(ନକଲି ଡାକ୍ତର)ଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। କ୍ବାକ୍ମାନେ ରୋଗୀଙ୍କୁ ରୋଗ ନାଁରେ ଭୟଭୀତ କରାଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି। ପାଖାପାଖି ଥିବା ଓଏମ୍ସି, ଟାଟା, ଇମ୍ଫା, ବେଦାନ୍ତ-ଫେକର କମ୍ପାନି ଡାକ୍ତରଖାନାରେ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ଭଳି ସାଧାରଣ ରୋଗ ପାଇଁ ମାଗଣା ଔଷଧ ବଣ୍ଟନ କରାଯାଉଥିବା ସ୍ଥଳେ କ୍ବାକ୍ମାନେ ଘରଘର ବୁଲି ରୋଗୀ ଖୋଜୁଛନ୍ତି।
ସାମାନ୍ୟ ଜ୍ବର ହୋଇଥିଲେ ବି ମନଇଚ୍ଛା ଔଷଧ ଓ ଇଞ୍ଜେକ୍ସନ ଦେଇ ୫ ଶହରୁ ହଜାର, ଦେଢ଼ ହଜାର ଟଙ୍କା ପର୍ଯ୍ୟନ୍ତ ଲୁଟି ନେଉଥିବା ଅଭିଯୋଗ ହୋଇଛି। ଗତକାଲି କାଳିଆପାଣି ଥାନା ଅନ୍ତର୍ଗତ ସାରୁଆବିଲ ଗାଁରେ ଏଭଳି ଏକ ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଭୈରବ ବେହେରାଙ୍କ ପତ୍ନୀ କମା(୪୭) ଜ୍ବର ଆକ୍ରାନ୍ତ ଥିବା ଜାଣି ଜନୈକ କ୍ବାକ୍ ତାଙ୍କ ଘରକୁ ଆସିଥିଲା। ପରୀକ୍ଷା ନକରି ତାଙ୍କୁ ମ୍ୟାଲେରିଆ ଜ୍ବର ହୋଇଥିବା କହିଥିଲା।
ଏଇ ମଉକାରେ କିଛି ଔଷଧ ଓ ବଟିକା ଦେଇ କ୍ବାକ୍ ଜଣକ ୯ ଶହ ଟଙ୍କା ଠକି ନେଇଥିଲା। କ୍ବାକ୍ ପରାମର୍ଶରେ ଔଷଧ ଖାଇ ମହିଳା ଜଣକ ବେହୋସ୍ ହୋଇଯାଇଥିଲେ। ସକାଳୁ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ କ୍ଲିନିକ୍ ନିଆଯାଇଥିଲା। ସାଲାଇନ୍ ଦେଇ ଚିକିତ୍ସା କରାଇବାର କିଛିଘଣ୍ଟା ପରେ ତାଙ୍କ ଚେତା ଫେରିଥିଲା। ଏସଂପର୍କରେ ମହିଳାଙ୍କ ପରିବାର ଓ ପୁଅ କାଳନ୍ଦୀ ବେହେରା ସଂପୃକ୍ତ କ୍ବାକ୍କୁ ଖୋଜିଥିଲେ ମଧ୍ୟ ତାର ପତ୍ତା ମିଳିନଥିଲା। ଖଣିଅଞ୍ଚଳରେ ଏଭଳି ୫ ରୁ ୭ ଜଣ କ୍ବାକ୍ ବିଭିନ୍ନ ଗାଁରେ ଘୂରି ବୁଲୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।
Follow Us