ଭୁବନେଶ୍ବର: ଓଡ଼ିଶା ଓ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ତିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲା, ସେହି ସମୟରେ ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଭକ୍ତକବି ମଧୁସୂଦନ ରାଓ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ। ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ। ଏହି ବହିରେ ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ତାହାକୁ ଦର୍ଶାଯାଇଛି। ଓଡ଼ିଆ ଭାଷା ଶିକ୍ଷାଦାନ କରିବା ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଡିଜିଟାଲ୍ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ଉନ୍ମୋଚିତ
ଶ୍ରୀ ମାଝୀ ଆହୁରି କହିଲେ, ଆମେ ସବୁ ଏହି ‘ବର୍ଣ୍ଣବୋଧ’ ପଢ଼ି ବଡ଼ ହୋଇଛୁ, ଓଡ଼ିଆ ଭାଷାକୁ ଶିଖିଛୁ। ବର୍ଣ୍ଣବୋଧ ଆମ ମାଟି, ପାଣି, ପବନରେ ପ୍ରଗାଢ଼ ଆସ୍ଥାର ଅଣୁ ପରମାଣୁ ହୋଇ ସଞ୍ଚରିଯାଇଛି। ଏହାର ନୂତନ ସଂସ୍କରଣ କୁନି କୁନି ପିଲାମାନଙ୍କୁ ଖୁବ୍ ଭଲ ଲାଗିବ ଓ ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବର୍ତ୍ତମାନ ସମୟରେ ସ୍ମାର୍ଟ କ୍ଲାସ୍ରୁମରେ ପିଲାମାନଙ୍କୁ ଚିତ୍ର ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଭକ୍ତକବି ସେତେବେଳେ ପିଲାଙ୍କ ହାତରେ ସ୍ମାର୍ଟ ବହି ଧରାଇ ଦେଇଥିଲେ। ସେତେବେଳେ ସ୍ରଷ୍ଟାମାନେ ସାହିତ୍ୟ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରୁଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, ଆମ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିଥାଉ। ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ୍ ସଂସ୍କରଣ, ଭାଷା ପ୍ରତିଷ୍ଠାନର ମୁଖପତ୍ର ‘ଭାଷାପତ୍ର’ ସହିତ ସତ୍ୟନାରାୟଣ ବହିଦାର ଓ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ପରେ ଭକ୍ତକବିଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।
Follow Us