OnlineKhabar English News
ଭୁବନେଶ୍ବର : ରାଜ୍ୟରେ ଡାକ୍ତର ନାହାନ୍ତି। ପାଖାପାଖି ୪୦% ଡାକ୍ତର ପଦବି ଖାଲି ପଡ଼ିଛି। ଫାର୍ମାସିଷ୍ଟ, ନର୍ସ ସବୁ ପଦବି ଫାଙ୍କା। ଏମିତି ସ୍ଥିତିରେ ରୋଗୀ ସେବା କରିବ କିଏ? ସରକାରଙ୍କ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସ୍ଲୋଗାନ୍ର କିଛି ମାନେ ନାହିଁ। ମଙ୍ଗଳବାର ଦିନ ବିଧାନସଭାରେ ଏକ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଏମିତି ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ।
‘ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ସାଧାରଣ ଲୋକ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ’ ଶୀର୍ଷକ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ସି ଏସ୍ ରାଜନ ଏକ୍କା କହିଲେ, ରାଜ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ ଅଭାବ ଅଛନ୍ତି। ନକଲି ଡାକ୍ତର ଓ ନକଲି ଔଷଧ କାରବାର ବଢ଼ିଛି। ଏବେ ବି ୪୦% ଡାକ୍ତର ପଦବି ଖାଲି। ଭିମ୍ସାର୍ କଥା ନକହିବା ଭଲ। ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଝାରସୁଗୁଡ଼ାରେ ହତ୍ୟା କରାଗଲା। ଭିମ୍ସାର୍ରେ ଟ୍ରମାକେୟାର ସେଣ୍ଟର୍ ଥିଲେ ତାଙ୍କ ଜୀବନ ବଞ୍ଚିପାରିଥା’ନ୍ତା। ଏଠାରେ ଏମ୍ଆର୍ଆଇ ମେସିନ୍ ନାହିଁ। ତାରାପ୍ରସାଦ ବାହିନୀପତି କହିଥିଲେ, ୨୩ ବର୍ଷର ସରକାର ବାହାସ୍ଫୋଟ ମାରୁଛନ୍ତି। ଉପା ସରକାର ଥିବା ସମୟରେ ଅଧିକ ମେଡିକାଲ କଲେଜ ପାଇଁ ବାଟ ଫିଟିଥିଲା। ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉନି। ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ସରକାର କହୁଛନ୍ତି। କିନ୍ତୁ ଅବିଭକ୍ତ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଏହି ସବୁ ଜିଲ୍ଲାର ମେଡିକାଲକୁ ରୋଗୀ ଆସିଲେ ବିଶାଖାପାଟଣା ରେଫର୍ କରାଯାଉଛି। ସରକାର ଓ ସ୍ବାସ୍ଥ୍ୟ ବିଭାଗର ହୃଦୟ ନାହିଁ।
ଡାକ୍ତର ଅଭାବ ସାରା ଦେଶର ସମସ୍ୟା: ଶାସକ ଦଳ
୩୪୮୧ ଡାକ୍ତର ପଦବି ପୂରଣ ହେବ: ମନ୍ତ୍ରୀ
ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ବାୟୁ ସ୍ବାସ୍ଥ୍ୟସେବାରେ କେତେ ଜଣ ରୋଗୀଙ୍କୁ ଲିଫ୍ଟ କରାଯାଇଛି, ତାହାର ତଥ୍ୟ ଦିଆଯାଉ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବଡ଼ ବଡ଼ ଠକ କାମ କରୁଛନ୍ତି। ବଲାଙ୍ଗୀରରୁ ରୋଗୀମାନଙ୍କୁ ନେଇ ରାୟପୁରରେ ଚିକିତ୍ସା କରାଯାଉଛି। ରାୟପୁରରେ ଦଲାଲମାନେ ବିଏସ୍କେୱାଇରେ ମିଛ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନଙ୍କର ଘୋର ଅଭାବ ଦେଖାଦେଇଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ସେ ଦାବି କରିଥିଲେ। ବିଜେପି ବିଧାୟକ ବୁଧାନ ମୁର୍ମୁ ଓ ସନାତନ ବିଜୁଳି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଶାସକ ଦଳ ବିଧାୟକ ନୃସିଂହ ଚରଣ ସାହୁ ଯୁକ୍ତି ବାଢ଼ିଥିଲେ, ପ୍ରତିଟି ଜୀବନ ମୂଲ୍ୟବାନ- ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା। ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବଜେଟ୍ ମୋଟ୍ ବଜେଟ୍ର ୭%। ଓଡ଼ିଶାରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବହୁତ ଉନ୍ନତି ହୋଇଛି। ବିଏସ୍କେୱାଇ ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ନିରାମୟ ଯୋଜନାରେ ମାଗଣା ଔଷଧ ମିଳୁଛି ଓ ରାଜ୍ୟ ସରକାର ଆମ ହସ୍ପିଟାଲ୍ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଡାକ୍ତରଖାନାଗୁଡ଼ିକର ରୂପାନ୍ତରୀକରଣ ହେବ। ରାଜ୍ୟରେ ଡାକ୍ତରଙ୍କ ଅଭାବ ଅଛ ସତ। ଏହା କେବଳ ରାଜ୍ୟ ସମସ୍ୟା ନୁହେଁ, ପୂରା ଦେଶରେ ଡାକ୍ତରଙ୍କ ଅଭାବ ରହିଛି। ଅଧିକ ମେଡିକାଲ କଲେଜ ଖୋଲିଥିବାରୁ ଭବିଷ୍ୟତରେ ଡାକ୍ତର ପଦବି ପୂରଣ ହେବାରେ ସମସ୍ୟା ହେବନି। ଶାସକ ଦଳ ସଭ୍ୟ ପ୍ରମୋଦ କୁମାର ମଲ୍ଲିକ ଓ ଧ୍ରୁବ ଚରଣ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଆଲୋଚନାର ଉତ୍ତର ରଖି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସେବା- ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଏହି ଚିନ୍ତାଧାରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ କରୁଛି। ୧୫ରୁ ଅଧିକ ମେଗା ସ୍କିମ୍ ଓ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ସୁଦୃଢ଼ୀକରଣ ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ୨୦୨୨ ଜାନୁଆରିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୪୩.୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାରୀ ଚିକିତ୍ସାଳୟଗୁଡ଼ିକର ଉନ୍ନତୀକରଣ କରିବାକୁ ‘ଆମ ହସ୍ପିଟାଲ୍’ ଯୋଜନା ଆରମ୍ଭ ହୋଇଛି। ଏଥିରେ ମାତ୍ର ୯ ମାସର ଅବଧିରେ ୧୪୭ଟି ସ୍ବାସ୍ଥ୍ୟ ଅନୁଷ୍ଠାନର ରୂପାନ୍ତରୀକରଣ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟସେବାର ଉନ୍ନତୀକରଣ ନିମନ୍ତେ ୧୦ଟି ସରକାରୀ ମେଡିକାଲ କଲେଜ ଓ ଦୁଇଟି ପିଜି ପ୍ରତିଷ୍ଠାନ ଖୋଲାଯାଇଛି। ଏହା ବାଦ୍ ୪ଟି ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ୍ ପାଇଁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୦,୭୭୪। ସେଥି ମଧ୍ୟରୁ ବିଭିନ୍ନ ବର୍ଗର ୭,୧୮୦ ଜଣ ନିୟମିତ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଖାଲି ଥିବା ପଦବିରେ ୩୭ ଜଣ ଡାକ୍ତରଙ୍କୁ ଆଡ୍-ହକ୍ ନିଯୁକ୍ତି ଦିଆଯାଇଥିଲା ବେଳେ ୯୧୮ ଜଣଙ୍କୁ ଠିକା ନିଯୁକ୍ତି, ୭ ଜଣଙ୍କୁ କର୍ପସ୍ ଫଣ୍ଡ୍ ଓ ୭୧ ଜଣଙ୍କୁ ଡିଏମ୍ଏଫ୍ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ୩୪୮୧ ଡାକ୍ତର ପଦବି ପୂରଣ ନିମନ୍ତେ ଓପିଏସ୍ସିଙ୍କୁ ଅନୁରୋଧ କରାଯାଇଛି।
Follow Us