ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ,ଏପଟେ ସୁନ୍ଦରଗଡ଼ର ୬୦୧ ଗାଁରେ ଅନ୍ଧାରର ରାଜୁତି

Advertisment

୭୫ ବର୍ଷ ହେଲା ଡିବିରି ଆଲୁଅ ସାହା

୭୫ ବର୍ଷ ହେଲା ଡିବିରି ଆଲୁଅ ସାହା

ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ,ଏପଟେ ସୁନ୍ଦରଗଡ଼ର ୬୦୧ ଗାଁରେ ଅନ୍ଧାରର ରାଜୁତି

The Logical Indian

ସୁନ୍ଦରଗଡ଼: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ମନାଉଛି ଦେଶ। ଉଜ୍ବଳ ଭାରତ, ଉଜ୍ବଳ ଭବିଷ୍ୟତ ନାମରେ ଭାରତବର୍ଷ ଉତ୍ସବ ମୁଖରିତ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ଯାଏ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ବାନ ଦେଇଛନ୍ତି। କିନ୍ତୁ ବିଡ଼ମ୍ବନା, ଏହି ଅମୃତ ଉଜ୍ବଳ  ବେଳାରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ୬୦୧ ଗାଁରେ କିଟି କିଟି  ଅନ୍ଧାରର ରାଜୁତି। ଘରେ ଘରେ ତ୍ରିରଙ୍ଗା ଉଡ଼ୁଛି, ହେଲେ  ଘରେ ଘରେ ପହଞ୍ଚି ପାରିନି ବିଦ୍ୟୁତ ଆଲୁଅ। ଡିବିରିର ମିଞ୍ଜି ମିଞ୍ଜି ଆଲୁଅରେ କଟୁଛି ଏସବୁ ଗାଁର ରାତି। ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ବ ନେଇଥିବା ଟାଟା ପାୱାର ଏବଂ ରାଜ୍ୟ ଶକ୍ତି ବିଭାଗର ମନମାନୀ ଯୋଗୁଁ  ଏବେ ଏସବୁ ଗାଁ ଅନ୍ଧାରର ଦୁର୍ଭାଗ୍ୟ ମଧ୍ୟରେ  ସ୍ବାଧୀନତାର ଅମୃତ ମହୋତ୍ସବ ପାଳିବାକୁ ଯାଉଛନ୍ତି। ଯାହାକୁ ନେଇ ଅନ୍ଧାରୀ ଗାଁ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ବିଦ୍ୟୁତ ସୁବିଧାରୁ ବଞ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଏକାଧିକ ବିଦ୍ୟାଳୟ, ଛାତ୍ରାବାସ, ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର, ମିଶନ ଶକ୍ତି ଗୃହ ସହ   ସୌଭାଗ୍ୟ ଯୋଜନାରେ ସାମିଲ ହୋଇପାରି ନଥିବା ଗୃହ ସମେତ   ଜିଲ୍ଲାର ପ୍ରାୟ ୬୦୧  ପାହାଡ଼ି ଓ ଅପହଞ୍ଚ ଗାଁ ବା ପଡ଼ାକୁ ବିଦ୍ୟୁତ ସେବାସ ପହଞ୍ଚାଇବାକୁ ବିଭିନ୍ନ ସମୟରେ ଦାବି ହୋଇଥିଲା। ତାକୁ ଦୃଷ୍ଟିରେ ରଖି ଏସବୁ ଅନୁଷ୍ଠାନ ସହ  ଗାଁରେ  ବିଦ୍ୟୁତ ସେବା ଦେବାକୁ   ଯୋଜନା କରିଥିଲା ଜିଲ୍ଲା ପ୍ରଶାସନ। ଏଥିପାଇଁ ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା   ଏକ ପ୍ରକଳ୍ପ ସବିଶେଷ ବିବରଣୀ ( ଡିପିଆର) ପ୍ରସ୍ତୁତ କରି ୨୦୨୨ ମେ’ ୯ରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗକୁ  ଅନୁମୋଦନ ପାଇଁ ପଠାଇଥିଲା।

ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୦୬ କୋଟି ଟଙ୍କା  ଅନୁଦାନ ଯୋଗାଇ ଦେବାକୁ ସ୍ଥିର ହୋଇଥିଲା। ଏଥିରେ  ଗୁରୁଣ୍ଡିଆ ବ୍ଲକର ପଙ୍କଡିହି, ବରଜିନିଆ, ବରଘାଟ, ସରସରା, କୁସୁମଡିହି ସମେତ ୮ ଗାଁ, ଟାଙ୍ଗରପାଲି ବ୍ଲକର ପାହାଡ଼ି ଗାଁ ଭାଲୁବାହାଲ ସମେତ ୩୩ ଗାଁ, ଲେଫ୍ରିପଡ଼ା ବ୍ଲକ ଛତିଶଗଡ଼ ସୀମାସ୍ଥିତ ୪୮ ଗାଁ, ହେମଗିର ବ୍ଲକର ବରପାଲି, ଚାରପଡ଼ା, ଋଷିଗୁମ୍ଫା ସମେତ ୩୯ ଗାଁ, ସବଡେଗା ବ୍ଲକର ୩୬ ଗାଁ, ସୁନ୍ଦରଗଡ଼ ସଦର ବ୍ଲକର ୪୧ ଗାଁ, ବାଲିଶଙ୍କରା ବ୍ଲକର ୩୯ ଗାଁ, ବଡ଼ଗାଁ ବ୍ଲକର ୨୫ ଗାଁ, କୁତ୍ରା ବ୍ଲକର ୩୦ ଗାଁ, ଲହୁଣିପଡ଼ା ବ୍ଲକର ୫୮ ଗାଁ, ଲାଠିକଟା ବ୍ଲକର ୬୦ ଗାଁ, ବଣାଇ ବ୍ଲକର ୪୩ ଗାଁ, ବିଶ୍ରା ବ୍ଲକର ୧୪ ଗାଁ, କୁଆଁରମୁଣ୍ଡା ବ୍ଲକର ୩୯ ଗାଁ, ନୂ୍ଆଗାଁ ବ୍ଲକର ୪୦ ଗାଁ, କୋଇଡ଼ା ବ୍ଲକର ୨୦ ଗାଁ, ରାଜଗାଙ୍ଗପୁର ବ୍ଲକର ୨୮ ଗାଁ ସହ  ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଉରକେଲାର ପୌରାଞ୍ଚଳର  ସହର ତଳି ଅଞ୍ଚଳ ଅନେକ ବସ୍ତିକୁ ସାମିଲ କରାଯାଇଥିଲା।

କିନ୍ତୁ  ବିଦ୍ୟୁତ ବିତରଣ ଦାୟିତ୍ବ ନେଇଥିବା  ଟାଟା ପାୱାର ରାଜ୍ୟ ସରକାର ସହ କରିଥିବା  ଚୁକ୍ତିସ୍ବାକ୍ଷର ଅନୁସାରେ, କମ୍ପାନି ବିଦ୍ୟୁତ ଭିତ୍ତିଭୂମିର ସମସ୍ତ ବିକାଶ ସହ ଏସବୁ ଗାଁକୁ ମଧ୍ୟ ବିଦ୍ୟୁତ ସେବା ଯୋଗାଇବ ଦର୍ଶାଇ ଶକ୍ତି ସଚିବ ମେ ୧୩ ତାରିଖରେ ଜିଲ୍ଲା ପ୍ରଶାସନ ପଠାଇଥିବା ଡିପିଆରକୁ ଅନୁମୋଦନ ନକରି ଫେରାଇ ଦେଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ଏ ସମ୍ପର୍କିତ ଟେଣ୍ଡରକୁ ବନ୍ଦ କରି ଦେଇଥିଲେ। ଏବେ ଟାଟା ପାୱାର ଏସବୁ ଗାଁରେ ବିଦ୍ୟୁତକରଣ କରିବାକୁ ମନା କରି ଦେଇଛି। ଯେଉଁଥିପାଇଁ ଜିଲ୍ଲାର ପ୍ରସ୍ତାବିତ ୬୦୧ ଗାଁକୁ ବିଦ୍ୟୁତ ସେବା ପହଞ୍ଚିବା ସ୍ବପ୍ନ ସ୍ବପ୍ନ ହୋଇ ରହିଯାଇଛି। ତେବେ ଏସବୁ ଗାଁକୁ ବିଦ୍ୟୁତ ସୁବିଧା ଦେବାକୁ ମନା କରି ଦେଇଥିବା ଟାଟାପାୱାର ଏବେ ଜିଲ୍ଲାର ଉପଭୋକ୍ତାଙ୍କ ଉପରେ ମନଇଚ୍ଛା ଚଢ଼ା ବିଲ୍ ଆଦାୟର ଜୁଲୁମ ଚଲାଇଥିବା  ଅଭିଯୋଗ ହୋଇଛି।

ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ବିଦ୍ୟୁତରୁ ବଞ୍ଚିତ କିଛି ଗାଁ ଲୋକ ଓ ସହରର ଶତାଧିକ ଉପଭୋକ୍ତା ରାଜ୍ୟ ଶକ୍ତି ବିଭାଗ ଏବଂ ଟାଟାପାୱାରର ଏ ପ୍ରକାର ମନମାନୀ ଓ  ବିଲ୍ ଆଦାୟ ଜୁଲୁମକୁ  ବିରୋଧ କରାଯାଇଛି। ସ୍ବାଧୀନତାର ୭୫ ବର୍ଷ ପରେ ବି ଅନ୍ଧାରରେ  ରହୁଥିବା ଗାଁଗୁଡ଼ିକୁ ରାଜ୍ୟ ସରକାର ବିଦ୍ୟୁତ ସେବା ନଯୋଗାଇଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ  ତୁରନ୍ତ ନ୍ୟାୟ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe