୧୯୭୧ ବାଂଲାଦେଶ ଯୁଦ୍ଧ ସମ୍ପର୍କରେ ତଥ୍ୟ ନାହିଁ

Advertisment
୧୯୭୧ ବାଂଲାଦେଶ ଯୁଦ୍ଧ ସମ୍ପର୍କରେ ତଥ୍ୟ ନାହିଁ

The Indian Express

ବଲାଙ୍ଗୀର: ବାଂଲାଦେଶ ମୁକ୍ତି ସଂଗ୍ରାମ ତଥା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହାର ବିଶେଷତ୍ବ ହେଉଛି, ଏହି ଐତିହାସିକ ଯୁଦ୍ଧ ପରେ ପୃଥିବୀର ମାନଚିତ୍ରରେ ପରିବର୍ତ୍ତନ ହୋଇଥିଲା । ନୂତନ ସ୍ୱାଧୀନ ଦେଶ ଭାବେ ବାଂଲାଦେଶ ଜନ୍ମଲାଭ କରିଥିଲା। ପୂର୍ବ ପାକିସ୍ତାନ ବାଂଲାଦେଶରେ ପରିଣତ ହୋଇଥିଲା। ତେବେ, ପ୍ରତିରକ୍ଷା ମନ୍ତ୍ରାଳୟରେ ଯୁଦ୍ଧ ସମ୍ପର୍କରେ ତଥ୍ୟ ନଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ଜଣାପଡ଼ିଛି।

ସ୍ୱାଧୀନ ବାଂଲାଦେଶ ଗଠନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଶ୍ୱବିଦିତ। ଭାରତର ଅନକେ ସୈନ୍ୟ ସହିଦ ହୋଇଥିଲେ। ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ଭାବେ ଭାରତର ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଇଥିଲେ। କିନ୍ତୁ ଭାରତ ସରକାରଙ୍କ ରକ୍ଷା ମନ୍ତ୍ରାଳୟ ଇତିହାସ ବିଭାଗରେ ଏ ସମ୍ପର୍କରେ ତଥ୍ୟ ନଥିବା କଥା ସମ୍ପୃକ୍ତ ବିଭାଗର ପ୍ରଥମ ଅପିଲ ଅଧିକାରୀ ତଥା ନିର୍ଦ୍ଦେଶକ ଟ୍ରେନିଂ ଏସ୍‌. ଗୋପାଲକ୍ରିଷ୍ଣ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଜଣାଇଛନ୍ତି।

ସଂକଳିତ ଭାବରେ ନଥିବା କହିଲା ପ୍ରତିରକ୍ଷା ମନ୍ତ୍ରାଳୟ
ଆର୍‌ଟିଆଇ ଆବେଦନ ପରେ କେବଳ ଏକ ବହି ସମ୍ପର୍କରେ ସୂଚନା ମିଳିଲା

ସୂଚନା କର୍ମୀ ଶ୍ରୀପଣ୍ଡା କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତର ଭୂମିକା ଓ ଗତିବିଧି ସହ ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା, ଶରଣାର୍ଥୀଙ୍କ  ସଂଖ୍ୟା ଓ ଶିବିର ସଂଖ୍ୟା ସମେତ ପାକିସ୍ତାନର ଆତ୍ମସମର୍ପଣ ସମ୍ପର୍କିତ କାଗଜପତ୍ରର ନକଲ ସମ୍ପର୍କିତ ତଥ୍ୟ ମାଗିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ତାଙ୍କ ଆବେଦନକୁ ରକ୍ଷା ବିଭାଗକୁ ସ୍ଥାନାନ୍ତର କରିଥିଲେ।

ରକ୍ଷା ବିଭାଗର ସୂଚନା ଅଧିକାରୀ ନିର୍ଦ୍ଦେଶକ ଡ. ଅଶୋକ ମିଶ୍ରା ଏ ସମ୍ପର୍କରେ କେବଳ ଏକ ପ୍ରକାଶିତ ପୁସ୍ତକର ନାମ ତଥ୍ୟରେ ଆକାରରେ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ଏହି ପୁସ୍ତକ ହେଉଛି, ‘ ଇଣ୍ଡିଆ- ପାକିସ୍ତାନ ୱାର୍‌ ଅଫ୍‌ ୧୯୭୧, ଏ ହଷ୍ଟୋରି’। ଏହି ପୁସ୍ତକରେ ପ୍ରାମାଣିକ ତଥ୍ୟ ରହିଥିବା ଦର୍ଶାଇଥିଲେ। କିନ୍ତୁ ଶ୍ରୀ ପଣ୍ଡା ଏଭଳି ଉତ୍ତରରେ ସନ୍ତୁଷ୍ଟ ନହୋଇ ଉପରିସ୍ଥ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ। ଆବେଦନର ବିଚାର କରି ଅପିଲ ଅଧିକାରୀ ଏ ସମ୍ପର୍କରେ ବିଶେଷ ତଥ୍ୟ ବିଭାଗରେ ସଂକଳିତ ଭାବରେ ନାହିଁ ବୋଲି କହିଛନ୍ତି।

ବାଂଲାଦେଶର ଗଠନ ଭାରତୀୟ ସେନାପାଇଁ ଏକ ବଡ଼ ବିଜୟ ହୋଇଥିବା ବେଳେ କୁଟନୈତିକ ଦକ୍ଷତାର ମଧ୍ୟ ଏକ ବଡ଼ ବିଜୟ। କିନ୍ତୁ, ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସଂଗୃହୀତ କରାଯାଇ ନଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବାଂଲାଦେଶ ଯୁଦ୍ଧର ସମସ୍ତ ତଥ୍ୟକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ରୀୟ ସୂଚନା କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe