ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ ଜମି ନାହିଁ, ୧୦୦ ଏକର ଜମି ମିଳିବ କେବେ?

Advertisment

କଲେଜ ଅକ୍ତିଆରରେ ଥିବା ଜମି ବି ନାଁକୁ ଆସିନି

କଲେଜ ଅକ୍ତିଆରରେ ଥିବା ଜମି ବି ନାଁକୁ ଆସିନି

୩ ସଂସ୍ଥାକୁ ମାଗଣା ଜମି

YouTube

ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ୱୀକୃତି ପ୍ରସଙ୍ଗରେ ବର୍ତ୍ତମାନ ତର୍କ ସୃଷ୍ଟି ହୋଇଛି। ୟୁଜିସି ଉପସଚିବ ନରେଶ ଶର୍ମା ବିଶ୍ୱବିଦ୍ୟାଳୟକୁ ସ୍ୱୀକୃତି ନଦେବାକୁ କହିବା ପରେ ତାଙ୍କ ପତ୍ରର ସ୍ପଷ୍ଟୀକରଣ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ରଖିଛନ୍ତି। ରାଜ୍ୟ ସରକାର ଚାହିଲେ ଆଇନ ଅନୁସାରେ ବିଜ୍ଞପ୍ତି ଦ୍ୱାରା ଯେ କୌଣସି ବିଶ୍ୱବିଦ୍ୟାଳୟର ଭୌଗୋଳିକ ପରିସୀମା ଓ ନାମକୁ ପରିବର୍ତ୍ତନ କରିପାରିବେ। ଏହାକୁ ନେଇ ଚର୍ଚ୍ଚା ନଥମୁଣୁ ରାଜେନ୍ଦ୍ର ମହାବିଦ୍ୟାଳୟର ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ବାରଂବାର ଜିଲ୍ଲାପାଳଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ଲେଖିବା ପରେ ବି ଜମି ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ନାଁକୁ ଆସିନି। ବର୍ଷେ ହେଲା ଚିଠି ଭିତରେ ରହିଯାଇଛି ଜମି ପ୍ରସଙ୍ଗ।

ପଶ୍ଚିମ ଓଡ଼ିଶାର ସର୍ବପୁରାତନ କଲେଜ ରାଜେନ୍ଦ୍ର ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଛି। କଲେଜର ପ୍ଲାଟିନମ ଜୁବୁଲି ପାଳିତ ହେବା ପରେ ବିଶ୍ୱବିଦ୍ୟାଳୟର କଳେବର ବି ବଦଳିଛି। ବିଶ୍ୱବିଦ୍ୟାଳୟ ସିନା ହେଲା ଅଧ୍ୟାପକ ଅଭାବରୁ ପାଠପଢ଼ା ଏବେ ବି ବାଧାପ୍ରାପ୍ତ। ଏପଟେ ବିଶ୍ୱବିଦ୍ୟାଳୟ ନାଁରେ ଜମିବାଡ଼ିର ଖାତା ଖତିୟାନ କିଛି ନାହିଁ। ଫଳରେ କୌଣସି ପ୍ରକଳ୍ପ ହାତକୁ ନିଆଯାଇପାରୁନି। ଏପରିକି ଆଗାମୀ ଦିନରେ ଉଚ୍ଚସ୍ତରୀୟ କମିଟି ଆସିଲେ ବିଶ୍ୱବିଦ୍ୟାଳୟର ମାନ୍ୟତା ନେଇ ମଧ୍ୟ ସମସ୍ୟା ଉପୁଜିପାରେ।

ମିଳିଥିବା ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରଂବାର ଜମି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ପୂର୍ବରୁ ରାଜେନ୍ଦ୍ର କଲେଜର ଅକ୍ତିଆରରେ ଥିବା ଜମି ଏବଂ ଭବିଷ୍ୟତରେ ନୂତନ କ୍ୟାମ୍ପସ ପାଇଁ ଅତିରିକ୍ତ ୧୦୦ ଏକର ଜମି ଯୋଗାଇବାକୁ ଚିଠି କରିଛନ୍ତି। ରାଜ୍ୟ ସରକାର ବି ଏନେଇ ଅବଗତ ଥିଲେ ହେଁ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ନାଁରେ ଗୋଟିଏ ଇଞ୍ଚ ବି ଜମି ନାହିଁ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହେବା ପରେ ବିଭିନ୍ନ ଦାୟିତ୍ୱରେ ପଦାଧିକାରୀମାନେ ଯୋଗଦେଇଥିଲେ। କର୍ତ୍ତୃପକ୍ଷ କାର୍ଯ୍ୟଭାର ଗ୍ରହଣ କରୁ କରୁ ଜମିବାଡ଼ି ପ୍ରସଙ୍ଗରେ ତନ୍ନତନ୍ନ ଯାଞ୍ଚ କରିଥିଲେ। ତହସିଲ କାର୍ଯ୍ୟାଳୟରୁ ରାଜେନ୍ଦ୍ର କଲେଜ ଅକ୍ତିଆରରେ କେତେ ଜମି ରହିଛି ତାହାର ତଥ୍ୟ ଆଣିଥିଲେ। ରାସ୍ତାଘାଟ ଓ କଲେଜର କୋଠାବାଡ଼ି, ପଡ଼ିଆ ସବୁ ମିଶି ୫୮.୪୯୫ ଏକର ଥିବା ଜଣାପଡ଼ିଥିଲା। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ଗତବର୍ଷ ଜୁଲାଇ ୭ ତାରିଖ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଚିଠିରେ ସେ ଉଲ୍ଲେଖ କରିଥିଲେ, ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ (ଏଫିଲିଏଟିଂ ୟୁନିଭରସିଟି)କୁ ଉନ୍ନୀତ ହୋଇଛି। ଏଣୁ ରାଜେନ୍ଦ୍ର ମହାବିଦ୍ୟାଳୟ ଅକ୍ତିଆରରେ ଥିବା ୫୮.୫୯୫ ଏକର ଜମିକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ ଆଗ୍ରାଧିକାର ଭିତ୍ତିରେ କରାଯାଉ। ଏହାସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ପାଇଁ ୧୦୦ ଏକର ଜମି ବଲାଙ୍ଗୀର ସହର କିଂବା ଆଖପାଖରେ ଯୋଗାଇଦେବାକୁ ଚିଠି କରିଥିଲେ। କିନ୍ତୁ ଜମି ଯୋଗାଇ ଦିଆନଯିବାରୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ୫.୧୧.୨୦୨୦ରେ ଆଉ ଏକ ଚିଠି ଜିଲ୍ଲାପାଳଙ୍କୁ ଦେଇଥିଲେ। ସେହି ଚିଠିରେ ମଧ୍ୟ ସବୁ କିଛି ଉଲ୍ଲେଖ କରି ତାହାର ନକଲ ଉଚ୍ଚ ଶିକ୍ଷା ବିଭାଗ ସଚିବ ଏବଂ ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କୁ ପଠାଇଥିଲେ। ତେବେ ବର୍ତ୍ତମାନ ଯାଏ ବିଶ୍ୱବିଦ୍ୟାଳୟ ନାଁରେ କୌଣସି ଜମି ନାହିଁ। ଯାହାକି ଆଗକୁ ସମସ୍ୟା କରିପାରେ। ଏପଟେ ଭିତ୍ତିଭୂମି ନିର୍ମାଣ ପାଇଁ ଟଙ୍କା ଆସିଥିବା ବେଳେ ତାହାବି ଆରମ୍ଭ ହୋଇନି। ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ଜଣାଯାଇଛି। ବର୍ତ୍ତମାନ ରାଜେନ୍ଦ୍ର ମହାବିଦ୍ୟାଳୟ ଅକ୍ତିଆରରେ ଯାହା ସବୁ ଜମି ରହିଛି ତାହା ସଠିକରେ ମାପଚୁପ କରିବା ପରେ ଆମକୁ ଦେବେ। ତାହା ପ୍ରକ୍ରିୟାରେ ରହିଛି। ଆଉ ୧୦୦ ଏକର ଜମି ଯୋଗାଇଦେବା ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ ବୋଲି କହିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଫୋନ୍‌ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe