ରାଷ୍ଟ୍ରପତିଙ୍କ ପଡ଼ୋଶୀ ଗାଁ ସୋଲାକୁଦରକୁ ରାସ୍ତା ନାହିଁ: ଏବେ ବି ରୋଗୀ ଓ ପ୍ରସୂତିଙ୍କୁ ଭରସା ଖଟିଆ

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ଏମିତି ଗାଁ ଅଛି, ଯେଉଁଠିକୁ ସ୍ୱାଧୀନତାର ୭ ଦଶନ୍ଧି ପରେ ବି ରାସ୍ତାଟିଏ ନିର୍ମାଣ ହୋଇପାରିନି। ଏବେ ବି ରୋଗୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହିବାକୁ ପଡ଼ୁଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ଏମିତି ଗାଁ ଅଛି, ଯେଉଁଠିକୁ ସ୍ୱାଧୀନତାର ୭ ଦଶନ୍ଧି ପରେ ବି ରାସ୍ତାଟିଏ ନିର୍ମାଣ ହୋଇପାରିନି। ଏବେ ବି ରୋଗୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହିବାକୁ ପଡ଼ୁଛି।

ssfsfxcf

ତୁଷାରକାନ୍ତ ମହାନ୍ତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ଏମିତି ଗାଁ ଅଛି, ଯେଉଁଠିକୁ ସ୍ୱାଧୀନତାର ୭ ଦଶନ୍ଧି ପରେ ବି ରାସ୍ତାଟିଏ ନିର୍ମାଣ ହୋଇପାରିନି। ଏବେ ବି ରୋଗୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହିବାକୁ ପଡ଼ୁଛି। ଏପରି ଚିତ୍ର ଦେଖିବାକୁ ମିଳୁଛି କୁସୁମୀ ବ୍ଲକ୍ ଜୋରଦା ପଞ୍ଚାୟତର ଜଙ୍ଗଲ ବେଷ୍ଟିତ ସୋଲାକୁଦରରେ। ସୋଲାରକୁଦର ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଡ଼ୋଶୀ ଗ୍ରାମ। ଏନେଇ ଗ୍ରାମବାସୀ ସରପଞ୍ଚଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି କରି ସାରିଲେଣି, କିନ୍ତୁ ଫଳ ଶୂନ। 

ଏବେ ବି ରୋଗୀ ଓ ପ୍ରସୂତିଙ୍କୁ ଭରସା ଖଟିଆ 
ରାସ୍ତା ଅଭାବରୁ ଅଧାରୁ ପାଠପଢ଼ା ଛାଡ଼ୁଛନ୍ତି 
ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ଶିଶୁ ଅମଙ୍ଗ

ଅଭିଯୋଗ ଅନୁସାରେ, ସୋଲାକୁଦର ଗାଁରେ ୩ଟି ସାହି ଜାମାଇ ସାହି, ଚାନ୍ଦାଢିପା ସାହି, ନାଏକ ସାହିର ପ୍ରାୟ ୨ ଶହ ପରିବାରର ୧୫ ଶହରୁ ଅଧିକ ଆଦିବାସୀ ଲୋକ ବାସ କରନ୍ତି। ଉକ୍ତ ଗାଁକୁ ଯିବାକୁ ମୁଖ୍ୟରାସ୍ତାରୁ ପ୍ରାୟ ୩ କିମି ଦୂର ରାସ୍ତା ଜଙ୍ଗଲ ପରିପୂର୍ଣ୍ଣ। ରାସ୍ତା ନ ଥିବାରୁ ଲୋକେ ବିଲ ହିଡ଼ ଦେଇ ଚାଲି ଚାଲି ଯାତାୟାତ କରନ୍ତି। ଗାଁ ମଧ୍ୟକୁ ଆମ୍ବୁଲାନ୍‌ସ ଯାଇପାରୁ ନଥିବାରୁ ବର୍ଷ ତମାମ୍‌ ରୋଗୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଛି। ଏପରିସ୍ଥଳେ ବାଟରେ ରୋଗୀଙ୍କ ଜୀବନ ଯିବା କିମ୍ବା ଗର୍ଭବତୀଙ୍କ ପ୍ରସବ ହେବାର ବହୁ ନଜିର ରହିଛି। ବର୍ଷା ଋତୁ କଥା ନ କହିବା ଭଲ। ଏପରିକି ରାସ୍ତା ସମସ୍ୟା ଯୋଗୁ ଗ୍ରାମର ବହୁ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ୁଛନ୍ତି।  ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ଅମଙ୍ଗ ହେଉଛନ୍ତି। 

ନିର୍ବାଚନ ଆସିଲେ ରାଜନେତାଙ୍କର ଗାଁରେ ପାଦ ପଡ଼େ। ଗ୍ରାମବାସୀଙ୍କୁ ସେମାନେ ପ୍ରତିଶ୍ରୁତିରେ ପୋତି ପକାନ୍ତି। କିନ୍ତୁ ନିର୍ବାଚନ ପରେ କାହାରିକୁ ଦେଖିବାକୁ ମିଳେନି। ଅନ୍ୟଦିନେ ଗାଁକୁ ରାଜନେତା କିମ୍ବା ଉଚ୍ଚ ପଦାଧିକାରୀଙ୍କ ପାଦ ପଡ଼େନି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ କୁସୁମୀ ବିଡିଓ ଧାନାଇ ଚରଣ ଟୁଡୁଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ରାମକୁ ଲମ୍ବିଥିବା ହିଡ଼ ରାସ୍ତାରେ କେତେକ ଘରୋଇ ଜମି ରହିଛି। ଫଳରେ ରାସ୍ତା ନିର୍ମାଣରେ ବାଧା ଉପୁଜୁଛି। ଡାଇଭର୍ସନ କରି ରାସ୍ତା ନିର୍ମାଣ କରାଯାଇ ପାରିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe