‘ବେତର’ ଜିଉଛି କଳାପାଣି ଜୀବନ: ଗାଁକୁ ରାସ୍ତା ନାହିଁ, ଦୁଇଚକିଆ ଯିବା ମୁସ୍କିଲ

ରାଜ୍ୟର ସବୁ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଗମନାଗମନ ଭଳି ମୌଳିକ ସୁବିଧା ପହଞ୍ଚିଥିବା କୁହାଯାଉଛି। ହେଲେ ଅନୁଗୁଳ ଜିଲ୍ଲା ଶରଧାପୁର ପଞ୍ଚାୟତର ‘ବେତର’ ଗାଁ ବଖାଣୁଛି ମୌଳିକ ସୁବିଧାର ବାସ୍ତବ ସତ।

fshhfshfxbvvbv

କପିଳେନ୍ଦ୍ର ପ୍ରଧାନ
ଅନୁଗୁଳ: ରାଜ୍ୟର ସବୁ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଗମନାଗମନ ଭଳି ମୌଳିକ ସୁବିଧା ପହଞ୍ଚିଥିବା କୁହାଯାଉଛି। ହେଲେ ଅନୁଗୁଳ ଜିଲ୍ଲା ଶରଧାପୁର ପଞ୍ଚାୟତର ‘ବେତର’ ଗାଁ ବଖାଣୁଛି ମୌଳିକ ସୁବିଧାର ବାସ୍ତବ ସତ। ସ୍ବାସ୍ଥ୍ୟସେବା ଦୂରେ ଥାଉ, ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ଖଣ୍ଡେ ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ସ୍କୁଲ ନଥିବାରୁ ଗାଁର ବହୁ ପିଲା ଶିକ୍ଷାରୁ ବଞ୍ଚିତ। ଖରାଦିନେ ପିଇବା ପାଣି ପାଇଁ ଚୁଆ ଉପରେ ନିର୍ଭର କରିବାକୁ ପଡ଼ୁଛି। ସତେ ଯେମିତି ନାହିଁ ନାହିଁର ଗାଁ ‘ବେତର’ ଜିଉଛି କଳାପାଣି ଜୀବନ। 

ଅନୁଗୁଳ ଜିଲ୍ଲା ସଦର ମହକୁମାଠାରୁ ୩୩ କିଲୋମିଟର ଦୂରରେ ଅଛି ଏହି ଗାଁ। ପାହାଡ଼ଘେରା ଏହି ଗାଁରେ ୪୦ଟି ପରିବାରର ଦେଢ଼ଶହରୁ ଅଧିକ ଲୋକ ବାସ କରନ୍ତି। ହେଲେ ଶରଧାପୁରଠୁ ଏକ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଆରମ୍ଭ ହୋଇଯାଏ ଖାଲଖମାରେ ଭର୍ତ୍ତି କାଦୁଅ ସରସର ରାସ୍ତା। ଗାଁକୁ ଲମ୍ବିଥିବା ପାହାଡ଼ିଆ ରାସ୍ତାରେ ଚାରିଚକିଆ ଦୂରେ ଥାଉ, ଦୁଇଚକିଆ ଗଡ଼ିବା ମୁସ୍କିଲ। ବର୍ଷା ହେଲେ କଥା ସରିଲା। ଚାଲି କି ଯିବା ମଧ୍ୟ ଅସମ୍ଭବ। ଦେହପା’ ଖରାପ ହେଲେ ବା ମହିଳାଙ୍କ ପ୍ରସୂତି ଲାଗି ଖଟିଆ ହିଁ ଏକମାତ୍ର ଭରସା। ତା’ ପୁଣି ପାହାଡ଼ର ଘାଟି ରାସ୍ତା ଦେଇ ଅନ୍ୟ ଏକ ଗଳା ବାଟରେ ୭ କିଲୋମିଟର ବୋହିକି ନେଲେ, ଆମ୍ବୁଲାନ୍ସ ପାଖରେ ପହଞ୍ଚି ହୁଏ। ତେବେ ଠିକ୍‌ ସମୟରେ ସ୍ବାସ୍ଥ୍ୟସେବା ନ ମିଳିବାରୁ ଅନେକ ଲୋକଙ୍କ ଜୀବନ ବି ଯାଇଛି। କେବଳ ଏଠାକୁ ରାସ୍ତା ନାହିଁ ତା’ ନୁହେଁ, ଆଜିଯାଏଁ ବିଦ୍ୟୁତ୍‌ ଖୁଣ୍ଟ ବି ଦେଖିନି ବେତର ଗାଁ। କିଛି ବର୍ଷ ତଳେ ସୌର ପ୍ୟାନେଲ୍‌ ଲାଗିବା ପରେ ବିଜୁଳି ଆଲୁଅ ଦେଖିଛନ୍ତି ଗାଁ ଲୋକେ। ହେଲେ ବର୍ଷା ଲାଗି ରହିଲେ, ତା’ମଧ୍ୟ ସମ୍ଭବ ହୁଏନି। ଡିବି ଆଲୁଅ ହିଁ ଭରସା। ପିଇବା ପାଣି ପାଇଁ ଗାଁରେ ଦୁଇଟି ନଳକୂଅ ଅଛି।

ଗାଁକୁ ରାସ୍ତା ନାହିଁ, ଦୁଇଚକିଆ ଯିବା ମୁସ୍କିଲ
ଖରାଦିନେ ଚୁଆ ପାଣି ହିଁ ଭରସା
ଦେହ ଖରାପ‌ ହେଲେ ୭ କିମି ବୁହାହୁଅନ୍ତି ରୋଗୀ
ନା ଅଙ୍ଗନବାଡ଼ି ନା ସ୍କୁଲ, ପିଲାଙ୍କ ପାଇଁ ଶିକ୍ଷା ସ୍ବପ୍ନ

ଖରାଦିନ ପଶୁ ପଶୁ ନଳକୂଅ ଧୋକା ଦିଏ। କିଲୋମିଟର ଦୂରରେ ଥିବା ଏକ ନାଳରୁ ଚୂଆ ଖୋଳି ରୋଷେଇ ପାଇଁ ପାଣି ଆଣନ୍ତି ଗ୍ରାମର ମହିଳା। ଗାଁ ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଜଣାଇ ନିରାଶ ହେବା ପରେ ଗାଁ ଲୋକେ ଏବେ ଅସହାୟ। ଏତିକିରେ ସରିନି ବେତର ଗାଁର ଦୁଃଖ। ପୂର୍ବରୁ ଗାଁ ମୁଣ୍ଡରେ ପ୍ରାଇମେରି ସ୍କୁଲଟିଏ ଥିଲା। ପଞ୍ଚମ ଯାଏଁ ପାଠପଢ଼ା ବି ହେଉଥିଲା। ହେଲେ ରାସ୍ତା ଖରାପ ଯୋଗୁଁ ଏଠାରେ ନିଯୁକ୍ତ ଶିକ୍ଷକ ଅନେକ ସମୟରେ ସ୍କୁଲ ଆସି ପାରୁ ନଥିଲେ। ଶେଷରେ ସ୍କୁଲ ସମ୍ମିଶ୍ରଣ ବାହାନା ଦେଖାଇ ୨୦୧୯ରେ ଏ ସ୍କୁଲରେ ତାଲା ପକାଇଦେଲେ ସରକାର। ତା’ ପରଠୁ ଗାଁ ପିଲାଙ୍କ ପାଠପଢ଼ାରେ ବି ଡୋରି ବନ୍ଧା ହୋଇଯାଇଛି। ଗାଁଠୁ ୭ କିଲୋମିଟର ଦୂର ପଥରଗଡ଼ ଗାଁରେ ଅଛି ଅଙ୍ଗନବାଡ଼ି କେନ୍ଦ୍ର। ହେଲେ ମୂଲ ଲାଗିଲେ ପରିବାର ଚଳୁଥିବା ଏ ଗାଁର ପ୍ରାୟ ପରିବାର ଲାଗି ପିଲାଙ୍କୁ ଅଙ୍ଗନବାଡ଼ି ନେବା ଦ୍ବିତୀୟ ବିଷୟ। ‌ଏଣୁ ଛୋଟ ପିଲାଙ୍କ ଅ’ ଆ’ ଶିଖିବା ବି ବନ୍ଦ ହୋଇଯାଇଛି। 

ଏପଟେ ଗାଁର ଏସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିବା କହିଛନ୍ତି ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା। ଗାଁକୁ ପିଚୁ ରାସ୍ତା ପାଇଁ ନିକଟରେ ଟେଣ୍ଡର୍‌ ହୋଇଛି। ଖୁବ୍‌ଶୀଘ୍ର ରାସ୍ତାକାମ ଆରମ୍ଭ ହେବ। ସେହିପରି ଗାଁର ପାଣି ଓ ବିଜୁଳି ସମସ୍ୟାର ସମାଧାନ ଲାଗି ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ଅଙ୍ଗନବାଡ଼ି କାହିଁକି ନାହିଁ, ସେ ଦିଗରେ ପ୍ରଶାସନ ପକ୍ଷରୁ ତର୍ଜମା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe