ସ୍ବାଧୀନତା ସଂଗ୍ରାମୀଙ୍କ ଗାଁକୁ ରାସ୍ତା ନାହିଁ

Advertisment
ସ୍ବାଧୀନତା ସଂଗ୍ରାମୀଙ୍କ ଗାଁକୁ ରାସ୍ତା ନାହିଁ

ହରିଚନ୍ଦନପୁର: ଭାରତ ବର୍ଷ ସ୍ୱାଧୀନତା ଲାଭ କରିବାର ୭୫ ବର୍ଷ ଅବସରରେ ସାରା ଭାରତ ବର୍ଷରେ ପାଳନ କରାଯାଉଛି ଅମୃତ ମହୋତ୍ସବ। ଯେଉଁ ମହାପୁରୁଷ ଦେଶ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ ଆଜି ମଧ୍ୟ ତାଙ୍କ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।  ଏପରି ଏକ ଗାଁ ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତର ବେଡାଦୁମା।

ଏହି ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟଙ୍କ ଘର । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦଣ୍ଡପାଟ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରି ୧୯୮୦ ମସିହାରେ ପ୍ରାଣତ୍ୟାଗ କରିଥିଲେ । ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଶଗଡ଼ପଟା - ଟସରଅଡା  ରାସ୍ତା ମଧ୍ୟରେ ଥିବା ବେଡାଦୁମା ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇ ପାରିଲା ନାହିଁ । ବର୍ଷା ଦିନେ ଏହି ଗ୍ରାମକୁ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ରାସ୍ତା କାଦୁଅ ପଚପଚ ହେବା ସହ ଯାଉଁରିଆ ନଦୀ ବାଧକ ସାଜିଥାଏ । ଟିକିଏ ଅଧିକ ବର୍ଷା ହେଲେ ପୋଲ ଉପରେ ପାଣି ପ୍ରବାହିତ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସହର ଗୁଡିକରେ ରାସ୍ତା ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ହେଉ କିମ୍ବା ଅନ୍ୟନ୍ୟ ଅନୁଷ୍ଠାନର ନାମ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରାଯାଇଥାଏ।  କିନ୍ତୁ ନାମକରଣ ତ ଦୂରର କଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦଣ୍ଡପାଟଙ୍କ ଗାଁକୁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ ।

ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ବର୍ଗତ ଶ୍ରୀ ଦଣ୍ଡପାଟଙ୍କୁ କେବଳ ସରକାରଙ୍କ ପକ୍ଷରୁ ଏକ ତାମ୍ର ଫଳକ ମିଳିଛି।  ଏହି ଗ୍ରାମରେ ଏବେ ସ୍ବର୍ଗତ ଦଣ୍ଡପାଟଙ୍କ ପଣ ନତିମାନେ ରହୁଛନ୍ତି । ସେମାନଙ୍କୁ ବହୁ ପୂର୍ବରୁ ଆବାସ ଯୋଜନାରେ ଘରଟିଏ ବ୍ୟତୀତ ସରକାରଙ୍କ ପକ୍ଷରୁ ଅନ୍ୟ କୌଣସି ସହାୟତା ମିଳି ନଥିବା ପଣନାତି ପ୍ରଦୀପ ଦଣ୍ଡପାଟ ଜଣାଇଛନ୍ତି।  ଚାଷବାସ କରି ସ୍ବର୍ଗତ ଦଣ୍ଡପାଟଙ୍କ ପରିବାରବର୍ଗ ଚଳୁଛନ୍ତି । ସେମାନେ ସ୍ୱଚ୍ଛଳ ବର୍ଗର ନୁହନ୍ତି । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦଣ୍ଡପାଟଙ୍କୁ କେହି ମନେ ରଖିଲେ ମଧ୍ୟ କେନ୍ଦୁଝରର ଅବସରପ୍ରାପ୍ତ ପ୍ରଫେସର କୃଷ୍ଣଚନ୍ଦ୍ର ନାୟକ ୨୦୧୯ ମସିହାରେ ତାଙ୍କ ଘର ଅଗଣାରେ ହିମାଂଶୁ ଶେଖର ନାୟକଙ୍କ ସହଯୋଗରେ ଏକ ପ୍ରତିମୂର୍ତ୍ତି ସ୍ଥାପନା କରିଛନ୍ତି।  ଶଗଡ଼ପଟାରୁ ଟସରଅଡା ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ କିମ୍ବା ଅନ୍ୟ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରାଗଲେ ତାହା ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି  ପଣନାତି ପ୍ରଦୀପ ଦଣ୍ଡପାଟ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe