ଏମିତି ଠାକୁର ଜଗତେ ନାହିଁ

Advertisment
ଏମିତି ଠାକୁର ଜଗତେ ନାହିଁ

ଲୀଳାମୟ ପ୍ରଭୁ ଜଗନ୍ନାଥ। ତାଙ୍କର ଅପୂର୍ବ ଲୀଳାଖେଳା ଜଗତରେ ସବୁଠୁ ନିଆରା। ବିଶ୍ବ ଦେବତା କେବଳ ଉତ୍କଳବାସୀଙ୍କ ପାଖରେ ଏବେ ବାନ୍ଧି ହୋଇ କେବଳ ରହି ନାହାନ୍ତି, ସାରା ବିଶ୍ବର କୋଣ ଅନୁକୋଣରେ ପ୍ରଭୁ ଜଗନ୍ନାଥଙ୍କର ସୁନାମ ବିଚ୍ଛୁରିତ। ବିଦେଶରେ ଅନେକ ସ୍ଥାନରେ ଓଡ଼ିଆମାନଙ୍କୁ ଦେଖିଲେ ତତ୍‌କ୍ଷଣାତ ବିଦେଶୀମାନଙ୍କର ପାଟିରୁ ବାହାରି ଆସେ “ଆପଣ କ’ଣ ଜଗନ୍ନାଥ ଦେଶର ମାନୁଷ। ଆପଣଙ୍କୁ ନମସ୍କାର’’। ଏହା ଶୁଣି ପ୍ରତିଟି ଓଡ଼ିଆର ଛାତି ଗର୍ବରେ ଫୁଲି ଉଠେ। ବିଶେଷତଃ ପଶ୍ଚିମବଙ୍ଗରେ ଜଗନ୍ନାଥ ମହାପ୍ରଭୁଙ୍କର ଭଜନ, ମୂର୍ତ୍ତି ଘରେ ଘରେ ରହିଛି। ଭାରତର ଚାରିଧାମ ମଧ୍ୟରୁ ଆମ ଶ୍ରୀକ୍ଷେତ୍ର ଧାମ ସର୍ବଶ୍ରେଷ୍ଠ ଧାମ ଅଟେ। ଲୋକକଥାରେ ସେଥିପାଇଁ କୁହାଯାଇଛି-
‘‘ଯାଅ ରାମେଶ୍ବରମ୍, ଯାଅ ଦ୍ବାରିକା ଧାମ ବଦ୍ରିନାଥ କାଶୀ
ଯଦି ଜୀବନରେ ନ ଯାଇଅଛ ଜଗନ୍ନାଥ ଧାମ ଜୀବନ ସର୍ବନାଶୀ’’
ପୁରୀର ଜଗନ୍ନାଥ ମନ୍ଦିର ହେଉଛି ଭାରତର ଶ୍ରେଷ୍ଠ ଧାମ। ଅନ୍ୟ ତିନିଟି ପବିତ୍ର ଧାମ ରାମେଶ୍ବରମ୍(ଦକ୍ଷିଣ), ପଶ୍ଚିମରେ ଦ୍ବାରିକା ଧାମ ଏବଂ ଉତ୍ତରରେ ବଦ୍ରିନାଥ ଧାମ। ଶ୍ରୀଜଗନ୍ନାଥ ହେଲେ ଭକ୍ତବତ୍ସଳ ଭାବଗ୍ରାହୀ। ପ୍ରତ୍ୟେକ ଭକ୍ତ ଭକ୍ତିପୂତ ମନରେ ଧାଇଁ ଆସେ ପ୍ରଭୁଙ୍କର କରୁଣା ଲାଭ ପାଇଁ। ଆମ ବଡ଼ ଠାକୁର ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଜର ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ପବିତ୍ର ରଥଯାତ୍ରାର ପରମ ଶାନ୍ତି ଅନୁଭବ ଲାଭ କରିଥାନ୍ତି। ଆମ ରଥଯାତ୍ରା ପୃଥିବୀକୁ ମାନବବାଦ, ସମାନତା ଜାତି ବର୍ଣ୍ଣ ନିର୍ବିଶେଷରେ ଏକତ୍ବ ଭାବ ବିଶ୍ବଭାତୃତ୍ବ ସନ୍ଦେଶର ବାର୍ତ୍ତା ଦେଇଥାଏ। ଭକ୍ତି ଆନ୍ଦୋଳନର ପ୍ରକୃତ ପୂଜାରୀ ଚୈତନ୍ୟ ଠାକୁର ସୁଦୂର ପଶ୍ଚିମବଙ୍ଗରୁ ଧାଇଁ ଆସିଥିଲେ ପ୍ରଭୁଙ୍କର ନାମ ଗାଇବାକୁ। ଭକ୍ତ ସାଲବେଗ ଜବନ ହେଲେ ମଧ୍ୟ ଅନେକ ଭଜନକୀର୍ତ୍ତନ ସଂଗୀତ ରଚନା କରି ପ୍ରଭୁଙ୍କ ପୟରେ ନିଜକୁ ଉତ୍ସର୍ଗୀକୃତ କରିଯାଇଛନ୍ତି। ସେଥିପାଇଁ ତ ପ୍ରତିଟି ଶୁଭକର୍ମ ପ୍ରାରମ୍ଭରେ ବିବାହ, ବ୍ରତ, ଗୃହପ୍ରତିଷ୍ଠା ଅନ୍ୟ ସବୁକିଛି ଶୁଭକର୍ମରେ ପ୍ରତ୍ୟେକ ଓଡ଼ିଆ ସର୍ବପ୍ରଥମେ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ କରି ସାରିଲା ପରେ ଅନ୍ୟଆଡ଼େ ନିମନ୍ତ୍ରଣପତ୍ର ପଠାଇଥାନ୍ତି। କି ଅପୂର୍ବ ମାନବଲୀଳା ପ୍ରଭୁଙ୍କର! ପ୍ରତ୍ୟେକଟି ପର୍ବପର୍ବାଣୀରେ ପ୍ରଭୁଙ୍କର ପୂଜାପାଠର ଓଡ଼ିଆ ପ୍ରାଣରେ ରହିଛି।
ଭାରତର ଶ୍ରେଷ୍ଠ ଧାମ ପୁରୀକୁ ଶ୍ରୀକ୍ଷେତ୍ରଧାମ କହିବା ସଙ୍ଗେ ସଙ୍ଗେ ଅନ୍ୟ ନାମରେ ମଧ୍ୟ ବିଦିତ କରାଯାଏ। ଯଥା: ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ମର୍ତ୍ତ୍ୟବୈକୁଣ୍ଠ, ଭୂସ୍ବର୍ଗ, ନୀଳାଚଳ, ନୀଳାଦ୍ରିବିହାର, ‌ନୀଳଶୈଳ, କମ୍ବୁକଟକ, ପୁରୁଷୋତ୍ତମ ଧାମ, ଶଙ୍ଖନାଭିମଣ୍ଡଳ, ଜଗନ୍ନାଥ ଧାମ, ଦାରୁକ୍ଷେତ୍ର, ବ୍ରହ୍ମକ୍ଷେତ୍ର। ଆମ ଉତ୍କଳର ଜାତୀୟ ଦେବତା ଶ୍ରୀଜଗନ୍ନାଥ, ସେ ବଡ଼ ଠାକୁର ତାଙ୍କ ମନ୍ଦିର ବଡ଼ ମନ୍ଦିର। ତାଙ୍କ ଦାଣ୍ଡ ସବୁଠୁ ବଡ଼ଦାଣ୍ଡ, ତାଙ୍କ ପୂଜକ ବଡ଼ପଣ୍ଡା, ତାଙ୍କ ପ୍ରସାଦ ଭୋଗ ବଡ଼ଭୋଗ ମହାପ୍ରସାଦ, ତାଙ୍କ ପ୍ରାଚୀର ବଡ଼ପ୍ରାଚୀର ମେଘନାଦ ପ୍ରାଚୀର, ତାଙ୍କର ଯାତ୍ରା ବଡ଼ଯାତ୍ରା ବିଶ୍ବର ସବୁଠୁ ବଡ଼ଯାତ୍ରା ଆମ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ପ୍ରଭୁ ଜଗନ୍ନାଥ ଓହ୍ଲାଇ ଆସିଥାନ୍ତି। ପ୍ରଭୁଙ୍କୁ ଦେଖି ତାଙ୍କର ରଥ ଦଉଡ଼ିକୁ ସ୍ପର୍ଶ କରି ପ୍ର‌ତ୍ୟେକ ଭକ୍ତ ଅପୂର୍ବ ଆନନ୍ଦ ଲାଭ କରି ନିଜର ପାପକ୍ଷୟର ଅନୁଭୂତି ଲାଭ କରିଥାଏ। ଘଣ୍ଟ, ମୃଦଙ୍ଗ, ସଂକୀର୍ତ୍ତନ, କାହାଳୀ, ଭେରୀ, ତୂରୀ, ଶଙ୍ଖ ବାଦ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାର ନୃତ୍ୟ, ହରିବୋଲ, ହୁଳହୁଳି ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ। ‘ଜୟ ଜଗନ୍ନାଥ’ ନାମ ଉଚ୍ଚାରଣ କରି ଭକ୍ତମାନେ ଅପୂର୍ବ ଆନନ୍ଦ ଲାଭ କରିଥାନ୍ତି।

ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ରୁଣ୍ଡ ହୋଇ ପ୍ରଭୁଙ୍କର ଦର୍ଶନ ଲାଭ କରି ଜୀବନକୁ ଧନ୍ୟ ମନେ କରନ୍ତି। କଥାରେ ଅଛି ପ୍ରଭୁଙ୍କ ରଥାରୂଢ଼ ଦର୍ଶନ କଲେ ପୁନଃଜନ୍ମ ନ ଲଭ୍ୟତେ। ସେଥିପାଇଁ ତ ଗୋପବନ୍ଧୁ ଦାସ (ଉତ୍କଳମଣି) ନୀଳାଚଳ ଚେତନା ତାଙ୍କୁ ଖୁବ୍ ଗଭୀର ମାତ୍ରାରେ ଛୁଇଁଥିଲା। ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ବର ଦେବତା। ସେ ମୂର୍ତ୍ତି ହୋଇ ମଧ୍ୟ ଅମୂର୍ତ୍ତ। ରୂପ ହୋଇ ମଧ୍ୟ ଅରୂପ। ସର୍ବତ୍ର ତାଙ୍କର ପାଣି ପାଦ ବିସ୍ତାରିତ। ‌ସଦିତ ତାଙ୍କର ଚକ୍ଷୁ ଉନ୍ମୋଦିତ। ସର୍ବତ୍ର ତାଙ୍କର କର୍ଣ୍ଣ ପ୍ରସାରିତ। ‌ସିଏ ସ୍ବୟଂ ବ୍ରହ୍ମ, ସେ ସତ୍ୟର ପ୍ରତୀକ। ଗୋପବନ୍ଧୁ ଦାସ ପ୍ରଭୁ ଜଗନ୍ନାଥଙ୍କୁ ସର୍ବତ୍ର ଅନୁଭବ କରି (ବନ୍ଦୀର ଆତ୍ମକଥାରେ) ଲେଖିଛନ୍ତି-
‘‘ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ।’’ ଉତ୍କଳବାସୀଙ୍କୁ ଜଗନ୍ନାଥଙ୍କ ଉପରେ ଦୃଢ଼ ବିଶ୍ବାସ ରଖିବାକୁ କହୁଥିଲେ। ‘‘ନୀଳାଚଳ ନାଥ ପ୍ରଭୁ ଶ୍ରୀନିବାସ, ପୂରାଇବ ଆଶା ରଖ ଏ ବିଶ୍ବାସ’’। ସେଥିପାଇଁ ତ ପ୍ରତିଟି ଓଡ଼ିଆ ଗାଇ ଉଠେ-
ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ
ଧୀମହି ତନ୍ନୋ ବିଷ୍ଣୁ ପଚୋଦୟାତ।
ପ୍ରତିଟି ଓଡ଼ିଆ ପ୍ରାଣରେ ଆନ୍ଦୋଳିତ ହୋଇଉଠେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନାମ। ସେଥିପାଇଁ କୁହାଯାଇଛି-
ଓଁ ନୀଳାଚଳ ନିବାସାୟ, ନିତ୍ୟ‌ାୟା ପରମାତ୍ମନେ।
ବଳଭଦ୍ର ସୁଭଦ୍ରାଭ୍ୟାଂ, ଜଗନ୍ନାଥାୟ ତେ ନମଃ।
ଯେଉଁଠି ଦୁଃଖୀରଙ୍କୀଙ୍କର କଥା କୁହାଯାଏ ସେହିଠାରେ ହିଁ ଅନାଥର ପ୍ରଭୁ ବିଦ୍ୟମାନ। ସେଥିପାଇଁ କୁହାଯାଇଛି-
‘‘ଅନାଥସତ୍ୟ ଜଗନ୍ନାଥ ନାଥସ୍ତ୍ବମେସ୍ତୁ ସଂଶୟଃ
ଯସ୍ୟନାଥ ଜଗନ୍ନାଥସ୍ତସ୍ୟ ଦୁଃଖ କଥଂ ପ୍ରଭୋ।’’
ଭକ୍ତବତ୍ସଳ ଭାବଗ୍ରାହୀ ଭକ୍ତ ଗୁହାରି ଶୁଣିଥାନ୍ତି। ଚକା ଚକା ଆଖିରେ ସବୁ ଦେଖୁଛି, ଭଲମନ୍ଦ ଟିକିନିଖି ସବୁ ପରଖୁଛି। ଭକ୍ତଟିଏ ଗଁା ଦାଣ୍ଡରୁ କୋହଭରା କଣ୍ଠରେ ଗାଇ ଉଠେ-
‘‘ଯାଇପାରୁ ନାହିଁ ତୋ ବଡ଼ ଦେଉଳ ମୋ ଗଁା ଦାଣ୍ଡରୁ କରୁଛି ଦଣ୍ଡବତ। ଆହେ ପ୍ରଭୁ ଜଗନ୍ନାଥ ଘେନ ମୋର କୋଟି କୋଟି ପ୍ରଣିପାତ ଆହେ ପ୍ରଭୁ ଜଗନ୍ନାଥ।’’ କି ଭାବର ଆଦାନ ପ୍ରଦାନ ଭକ୍ତ ଓ ଭଗବାନଙ୍କ ମଧ୍ୟରେ, ଅନାବିଳ ପ୍ରେମ, ସ୍ନେହ, ସମର୍ପଣ ଭକ୍ତିଭାବ। ସେଥିପାଇଁ ତ ଦାସିଆ ବାଉରି ତାଙ୍କର ଶାଗ ପଖାଳ କଂସାରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ଲାଭ କରିଥିଲେ। ତାଙ୍କର ବାଡ଼ିର ନଡ଼ିଆକୁ ପ୍ରଭୁ ଜଗନ୍ନାଥ ହାତ ପ୍ରସାରି ଗ୍ରହଣ କରିଥିଲେ। ବନ୍ଧୁ ମହାନ୍ତି ଭକ୍ତ ପେଜନଳା ପାଖରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ମହାରାଷ୍ଟ୍ରର ଗାଣପତ୍ୟ ଗଣପତି (ଗଜାନନ)ଙ୍କ ବେଶରେ ଦେଖିବାକୁ ଚାହିଁ ସଫଳ ହୋଇଥିଲେ।
କାଞ୍ଚି ଅଭିଯାନ ଦାକ୍ଷିଣାତ୍ୟ ବିଜୟ ବେଳେ ପ୍ରଭୁ ଗଜପତିଙ୍କୁ ଜଣେଇବା ପାଇଁ କଳାଘୋଡ଼ା ଓ ଧଳାଘୋଡ଼ାରେ ବିରାଜମାନ କରି ବାଟରେ ମାଣିକ ଗଉଡୁଣୀଙ୍କ ହସ୍ତରୁ ଦହି ଖାଇ ନିଜର ରତ୍ନ ମୁଦ୍ରିକା ପ୍ରଦାନରୁ ବୁଝାପଡୁଛି ଭକ୍ତର ପ୍ରଭୁ ଭଗବାନ ଯେତେବେଳେ ବିପଦ ପଡ଼ିଛି ସେ ସମୟରେ ପ୍ରଭୁ ଦଣ୍ଡାୟମାନ। ଗଜରାଜକୁ କୁମ୍ଭୀର ପାଣିରେ କାମୁଡ଼ିଲା ବେଳେ ମୃଗୁଣୀକୁ ଅଗ୍ନିରୁ ରକ୍ଷା କରିବା ବେଳେ ପ୍ରତିଟି କ୍ଷେତ୍ରରେ ପ୍ରଭୁ ହିଁ ଆଗଭର ହୋଇ ଭକ୍ତବତ୍ସଳ ନାମକୁ ସାକାର କରିଛନ୍ତି। ସେଥିପାଇଁ ତ ସୁନ୍ଦର ସୁନ୍ଦର ଭଜନ ଜଣାଣ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚନା ହୋଇଛି। ସ୍ବର୍ଗତ ଭିକାରୀ ବଳଙ୍କ ସୁଲଳିତ କଣ୍ଠରୁ ଭାସି ଆସିଛି- “ମନ ପାରାରେ ଶ୍ରୀକ୍ଷେତ୍ର ଯିବୁ ଉଡ଼ି ଉଡ଼ିକି, ଆହେ ଚକାଆଖି, ହଟିଆ ଠାକୁର କେତେ ନାଟ ଲଗାଇଛ, କାଳିଆରେ କାଳିଆ, ହାତରେ ମୋ’ ମୁଠା ମୁଠା ଶରଧା ବାଲି, କାହାକୁ ମୁଁ କରିବଇଁ ସାକ୍ଷୀ ଆହେ ଚକାଆଖି, ଜଗବନ୍ଧୁ ହେ ଗୋସାଇଁ’’ ପରି ଲୋକପ୍ରିୟ ସଂଗୀତ। ସେହିପରି ସୁବାସ ଦାସଙ୍କ କଣ୍ଠରୁ ‘‘ଆସିଥିଲି କାଳିଆ ତୋ’ ଦରଶନ ପାଇଁରେ, ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ’’, ସେହିପରି ସ୍ବର୍ଗତା ଶାନ୍ତିଲତା ବାରିକଙ୍କ କଣ୍ଠରୁ ‘‘ଭଜି ଭଜି ତୋ’ ନାମ ଚକାନୟନ, ମୋର ଯାଉ ଜୀବନ, ଦିନେ ନ ଦେଖିଲେ ‌େତା’ ଚକାନୟନ’’ ଏବଂ ସ୍ବର୍ଗତ ଅରବିନ୍ଦ ମୁଦୁଲିଙ୍କ କଣ୍ଠରୁ ‘ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ବର୍ଗଦ୍ବାର, ଜଗନ୍ନାଥ କିଛି ମାଗୁନାହିଁ ତୋତେ, ହେ ମହାବାହୁ, ମୁଁ ଶ୍ରୀକ୍ଷେତ୍ର ପାରା’’ ଆଦି ଭଜନ। ପୁରାତନ କବି ଜଗନ୍ନାଥ ଦାସ ଲେଖିଛନ୍ତି-
“ତୁ ସୃଷ୍ଟି ସ୍ଥିତି ଲୟ କରୁ, ଅାବର ଗର୍ଭରେ ସଂହରୁ
ଅଶେଷ କୋଟି ବସୁନ୍ଧରା, ତୋହରି ଗର୍ଭେ ଛନ୍ତି ପୂରି।’’
ପ୍ରଭୁଙ୍କ ସମ୍ବନ୍ଧରେ ଚଣ୍ଡୀ ଦାସ ଲେଖିଛନ୍ତି- “ଭଜମନ ଜଗନ୍ନାଥଙ୍କୁ, ନୀଳାଚଳବାସୀ ଦାରୁବ୍ରହ୍ମଙ୍କୁ, ଯେଉଁ ପାଦ ପଦ୍ମ ଭାବୁଛନ୍ତି ସାଧୁ ଭ୍ରମୁଛନ୍ତି ସେ ସାଧନା ଦ୍ବାରକୁ।’’ ଶୟନେ ସପନେ ଜାଗରଣେ ପ୍ରଭୁଙ୍କର ନାମ ସ୍ମରଣ କରନ୍ତି ପ୍ରତିଟି ଓଡ଼ିଆବାସୀ-‘‘ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଚନ୍ଦ୍ର ରୂପେଣ, ବ୍ରହ୍ମଦାରୁ ସ୍ବରୂପାୟ ଚତୁର୍ଦ୍ଧା ମୂର୍ତ୍ତି ୟେ ନମଃ।’’ପ୍ରଭୁଙ୍କୁ ରଥାରୂଢ଼ ଦେଖି କବି ଗୌରଚରଣ ଅଧିକାରୀ ଲେଖିଛନ୍ତି- “ତୁମ୍ଭେ ନନ୍ଦିଘୋଷ ପୃଷ୍ଠେ ବସି ହୃଷ୍ଠେ କରି କଟାକ୍ଷ ଚାହାଣିକି, ଦର୍ଶନ ମାତ୍ରକେ ଅଶେଷ କରୁଣମାନଙ୍କୁ ପକାଅ ହାଣିକି। ଆଗେ ବଳଭଦ୍ର ମଧ୍ୟରେ ସୁଭଦ୍ରା ପଛରେ ଛଇଳ ମଣିକି, ତିନି ଗୁଣେ ସ୍ଥିତି ତ୍ରିଗୁଣ ମୂରତି କେ ପାରେ ସେ ତତ୍ତ୍ବ ଜାଣିକି?’’
କିଏ ବା ସତରେ ପ୍ରଭୁଙ୍କର ଗୂଢ଼ ତତ୍ତ୍ବ ଜାଣିପାରିବ? ସେଥିପାଇଁ ତ ଭାଗବତ ନବାକ୍ଷରୀରେ ଜଗନ୍ନାଥ ଦାସ ଲେଖିଛନ୍ତି- ‘‘କରି କରାଉଥାଏ ମୁହିଁ, ମୋ’ ବିନୁ ଅନ୍ୟ ଗତି ନାହିଁ।’’ ପ୍ରତିଟି ଓଡ଼ିଆର ଇଚ୍ଛା ପ୍ରଭୁଙ୍କର ନାମ ନେଇ ଜୀବନ ଛାଡ଼ିବାକୁ, ସେଥିପାଇଁ ତ କୈବଲ୍ୟ କଣିକା ମୃତ୍ୟୁ ସମୟରେ ପାଟିରେ ଦିଆଯାଇଥାଏ। ପ୍ରଭୁଙ୍କର ପୁଷ୍ପ ବେଶ, ଅଳଙ୍କାର ବେଶ, କପଡ଼ା ବେଶ, ହାତୀ ବେଶ, ସୁନା ବେଶ, ବଣଭୋଜି ବେଶ, ରଘୁନାଥ ବେଶ, ନିତ୍ୟ ବଡ଼ଶୃଙ୍ଗାର ବେଶ, ଚନ୍ଦନଲାଗି ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁରବଧ ବେଶ, କୃଷ୍ଣବଳରାମ ବେଶ, ବଳିବାମନ ବେଶ, ରାଧାଦାମୋଦର ବେଶ, ବାଙ୍କଚୂଡ଼ା ବେଶ, ଆଡ଼କିଆ ବେଶ, ନୃସିଂହ ବେଶ, ରାଜେଶ୍ବର ବେଶ, ନାଗାର୍ଜ୍ଜୁନ ବେଶ, ଘୋଡ଼ାଲାଗି ବେଶ, ପଦ୍ମମୁଖ ବେଶ, ଗଜଉଦ୍ଧାରଣ ବେଶ ଆଦି ବିଭିନ୍ନ ବେଶ ରହିଛି। ସେହିପରି ପ୍ରଭୁଙ୍କର ନିବୃତ୍ତି, ପ୍ରତିଷ୍ଠା, ବିଦ୍ୟା, ଶାନ୍ତି, ଇନ୍ଦିକା, ଦୀପିକା, ରେଚିକା, ମୋଚିକା, ପରା, ସୂକ୍ଷ୍ମ, ଅମୃତ, ଜ୍ଞାନ, ଜ୍ଞାନଅମୃତ, ଆପ୍ୟାୟିନୀ, ବ୍ୟାପିନୀ, ବ୍ୟୋମରୂପା ଆଦି ଷୋହଳ କଳା ରହିଛି। ଜଗନ୍ନାଥଙ୍କ ବେଶ ବର୍ଣ୍ଣନା କରାଯାଇ କୁହାଯାଇଛି-
‘ଭୂଜେ ସବ୍ୟେ ବେଣୁଂ ଶିରସି ଶିଖୀପୁଚ୍ଛଂ କୀଟ ତଟେ।
ଦୁକୁଳଂ ନେତାନ୍ତ୍ର ସହଚର କଟାକ୍ଷଂ ବିଦଧତେ।
ସଦାଶ୍ରୀମଦ୍ ବୃନ୍ଦାବନ ବସତି ଲୀଳା ପରିଚୟୋ
ସୁଭଦ୍ରା ମଧ୍ୟସ୍ଥ ସକଳ ସୁରସେବା ବସରଦୋ
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ।
ତୁମରି କରୁଣା ନ ହେଲେ ଏଠି ଗଛର ପତ୍ରଟିଏଟି ଦୋହଲିବ ନାହିଁ। ତୁମର ଆଶିଷଭିକ୍ଷା ଲୋଡ଼ା। ସେଥିପାଇଁ କୁହାଯାଇଛି-
ହରତ୍ବଂ ସଂସାରଂ ଦ୍ରୁତ ଚରମ ସାରଂ ସୁରପତେ
ହରତ୍ବଂ ପାପନାଂ ବିଡ଼ତି ମପରାଂ ଯାଦବ ପତେ।
ଚରାଚରମିଦଂ ସର୍ବଂ ତ୍ବମେକ ଶରଣଂ ପ୍ରଭୋ
ଅନୁଗ୍ରହ ମୃତା ଲୋତକଃ ପାରଂକରୁ ଜଗତଗୁରୁ।
ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଗୁଣ୍ଡିଚା ବା ଘୋଷଯାତ୍ରା କୁହାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ପ୍ରଭୁ ଜଗନ୍ନାଥ ଓହ୍ଲାଇ ଆସିଥାନ୍ତି। ପ୍ରଭୁଙ୍କୁ ରଥାରୂଢ଼ ଦେଖି ତାଙ୍କର ରଥ ଦଉଡ଼ିକୁ ସ୍ପର୍ଶ କରି ପ୍ର‌ତ୍ୟେକ ଭକ୍ତ ଅପୂର୍ବ ଆନନ୍ଦ ଲାଭ କରି ନିଜର ପାପକ୍ଷୟର ଅନୁଭୂତି ଲାଭ କରିଥାଏ। ଘଣ୍ଟ, ମୃଦଙ୍ଗ, ସଂକୀର୍ତ୍ତନ, କାହାଳୀ, ଭେରୀ, ତୂରୀ, ଶଙ୍ଖ ବାଦ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାର ନୃତ୍ୟ, ହରିବୋଲ, ହୁଳହୁଳି ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ। ଜଗନ୍ନାଥଙ୍କୁ ସ୍ମରଣ କରି ‘ଜୟ ଜଗନ୍ନାଥ’ ନାମ ଉଚ୍ଚାରଣ କରି ଭକ୍ତମାନେ ଅପୂର୍ବ ଆନନ୍ଦ ଲାଭ କରିଥାନ୍ତି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ (ପୀତ ଓ ଲୋହିତ ରଙ୍ଗ), ବଳଭଦ୍ରଙ୍କ ତାଳଧ୍ବଜ ରଥ (ଲାଲ ଓ ସବୁଜ ରଙ୍ଗ) ଏବଂ ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ (ଲାଲ ଓ କଳା ରଙ୍ଗ‌) ଅପୂର୍ବ ସୁନ୍ଦରତାରେ ସାଜସଜ୍ଜା ହୋଇ ସେଦିନ ଲାଗେ ଯେପରି ସ୍ବର୍ଗରୁ ମର୍ତ୍ତ୍ୟଭୂମିକୁ ପ୍ରଭୁ ଓହ୍ଲାଇ ଆସିଛନ୍ତି। ପ୍ରଭୁଙ୍କ ରଥ ଆଗରେ ଠାକୁର ରାଜା ପୁରୀ ଗଜପତି ସୁନା ଖଡ଼ିକାରେ ଛେରାପହଁରା କରିବା ବେଳର ଦୃଶ୍ୟ ଅତ୍ୟନ୍ତ ମନୋରମ, ହୃଦୟକୁ ଛୁଇଁଲା ଭଳି। ପରିଶେଷରେ ଉପେନ୍ଦ୍ର ଭଞ୍ଜଙ୍କର ରଚନା “ମାନ ଉଦ୍ଧାରଣ କର ହେ ବାରଣ....’’ରୁ ପଦେ ଗାଇ ସମସ୍ତେ ପ୍ରଭୁଙ୍କ ନାମକୁ ସ୍ମରଣ କରିବା।
ମୁର୍ଶିଦାବାଦ, କଲିକତା
ମୋ: ୯୦୬୪୬୬୬୯୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe