ଗଞ୍ଜାମ ବିଜେଡି ନେତୃତ୍ୱକୁ ନେଇ ଏବେଠୁ ଚର୍ଚ୍ଚା: ପୁଣି ରମେଶ ଚ୍ୟାଉ ପଟ୍ଟନାୟକ ନା ଆଉ କିଏ?

Advertisment
ଗଞ୍ଜାମ ବିଜେଡି ନେତୃତ୍ୱକୁ ନେଇ ଏବେଠୁ ଚର୍ଚ୍ଚା: ପୁଣି ରମେଶ ଚ୍ୟାଉ ପଟ୍ଟନାୟକ ନା ଆଉ କିଏ?

ଗଞ୍ଜାମ ମହିଳା ବିଜେଡିର ବୈଠକରେ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (ଫାଇଲ୍‌ ଫଟୋ)

ବ୍ରହ୍ମପୁର : ୨୦୨୪ରେ ସାଧାରଣ ନିର୍ବାଚନ ଆଉ ଦେଢ଼ବର୍ଷରୁ ଊର୍ଦ୍ଧ୍ବ ସମୟ ବାକିଥିଲେ ମଧ୍ୟ କିଏ ଗଞ୍ଜାମ ଜିଲ୍ଲା ବିଜେଡିର ମଙ୍ଗ ଧରିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଚର୍ଚ୍ଚା ହେଉଛି ଯେ, ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ଜିଲ୍ଲାରେ ବିଜେଡି ଜଣେ ନୂଆ ଚେହେରାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ। ନୂଆ ଚେହେରା କାହିଁକି, ତାହାକୁ ନେଇ କେତେକ ନିର୍ଦ୍ଦିଷ୍ଟ କାରଣ ଥିବା ବି ଆଲୋଚନା ହେଉଛି।

୨୦୧୯ ମସିହା ସାଧାରଣ ନିର୍ବାଚନରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଜିଲ୍ଲା ବିଜେଡିର ନିର୍ବାଚନ ମଙ୍ଗ ଧରିଥିଲେ। ସେହି ସମୟରେ ବିଜେଡି ଗଞ୍ଜାମ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀରୁ ୧୨ଟିରେ ବିଜୟୀ ହୋଇଥିଲା। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଲିପ୍ତଥିବା ଅଭିଯୋଗରେ ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପଙ୍କୁ ବିଦା କରାଯିବାପରେ ଦଳରେ ନେତୃତ୍ବକୁ ନେଇ ଏକପ୍ରକାର ସଙ୍କଟ ଦେଖାଦେଇଥିଲା। ଏହାପରେ ନେତୃତ୍ବ ଭାର ଗ୍ରହଣ କରିଥିଲେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ଏବଂ, ତାଙ୍କ ‌ ନେତୃତ୍ବ‌ରେ ଦଳ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲା। ଶ୍ରୀ ଚ୍ୟାଉପଟ୍ଟନାୟକଙ୍କ ଦୀର୍ଘ ଅଭିଜ୍ଞତା ଏବଂ ଦଳୀୟ ବିଧାୟକମାନଙ୍କ ଉଦ୍ୟମରେ ଦଳ ଲୋକଙ୍କ ବିପୁଳ ଜନସମର୍ଥନ ପାଇବାରେ ସକ୍ଷମ ହୋଇଥିଲା।

publive-image Odisha Helpline

ତେବେ, ଶ୍ରୀଚ୍ୟାଉପଟ୍ଟନାୟକଙ୍କୁ ନେଇ ଏବେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ନିଭୃତ ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ନିର୍ବାଚନରେ ତାଙ୍କ ନେତୃତ୍ବରେ ଦଳ ପ୍ରତିଦ୍ବନ୍ଦ୍ବିତା କରିବା ପ୍ରସଙ୍ଗରେ ଦୁଇପ୍ରକାର ମତ ଶୁଣିବାକୁ ମିଳୁଛି। କେତେକଙ୍କ ମତରେ , ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ପରେ ତାଙ୍କ ନେତୃତ୍ବ ପ୍ରତି ଆସ୍ଥା ରଖିବ ଦଳ। ଅନ୍ୟ କେତେକଙ୍କ ମତରେ ଆଉ ଜଣେ ଚେହେରାଙ୍କୁ ସାମ୍‌ନାକୁ ଆଣି ଦଳ ନିର୍ବାଚନ ଲଢ଼ିବ। ଏ ସମ୍ପର୍କରେ ଶ୍ରୀଚ୍ୟାଉପଟ୍ଟନାୟକ ଅବଶ୍ୟ ନିର୍ଦ୍ଦିଷ୍ଟ ମତ ରଖିଛନ୍ତି। ସେ କହିଛନ୍ତି, ‘ ମୋର ୩ବର୍ଷିଆ କାର୍ଯ୍ୟକାଳ ଆସନ୍ତା ୨୦୨୩ ମସିହା ଅକ୍ଟୋବର ମାସରେ ଶେଷ ହେଉଛି। ତା’ପରେ ତାଙ୍କୁ ଦଳ ପୁଣି ଦାୟିତ୍ବ ଦେଇପାରେ କିମ୍ବା ଅନ୍ୟ ଜଣେ କାହାକୁ ନେତୃତ୍ବ ଭାର ଅର୍ପଣ କରିପାରେ।’ ତେବେ, ନେତୃତ୍ବ ନେବାପାଇଁ ଦଳ ମଧ୍ୟରେ ବହୁ ଅଭିଜ୍ଞ ଓ ବରିଷ୍ଠ ରାଜନେତା ଥିବା ସେ କହିଛନ୍ତି।

ତେବେ, ଯଦି ଆଉ ଜଣେ ସେ କିଏ ବୋଲି ଏବେ ଚର୍ଚ୍ଚାର ଆଉ ଏକ ବିନ୍ଦୁ ପାଲଟିଛି। ଏପରିସ୍ଥଳେ ଯେଉଁ ଦୁଇ ବରିଷ୍ଠ ନେତାଙ୍କ ଚେହେରା ସାମ୍‌ନାକୁ ଆସୁଛି, ସେମାନେ ହେଲେ ବିକ୍ରମ କେଶରୀ ଆରୁଖ ଓ ସୂର୍ଯ୍ୟନାରାୟଣ ପାତ୍ର। ଭଞ୍ଜନଗର ବିଧାୟକ ଶ୍ରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇ ନିକଟରେ ବାଚସ୍ପତି ଭଳି ଏକ ଗୁରୁତ୍ବପୂର୍ଣ୍ଣ ତଥା ସାମ୍ବିଧାନିକ ପଦ ପ୍ରଦାନ କରାଯାଇଛି। ତେଣୁ, ସେ ନିର୍ବାଚନ ସମୟରେ ପ୍ରତ୍ୟକ୍ଷ ଭାବେ ନେତୃତ୍ବ ଭାର ଗ୍ରହଣ କରିବାର ସମ୍ଭାବନା ଯଥେଷ୍ଟ କମ୍‌। ସେହିଭଳି, ପୂର୍ବରୁ ବାଚସ୍ପତି ପଦରେ ଥିବା ଦିଗପହଣ୍ଡି ବିଧାୟକ ଶ୍ରୀ ପାତ୍ର ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ, ବିଭିନ୍ନ କାରଣରୁ ସେ ଏବେ ଏତେଟା ସକ୍ରିୟ ହେଉନଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ, ଶ୍ରୀ ପାଣିଗ୍ରାହୀ ଦଳରୁ ବିଦା ହେବାପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ହୋଇ ଉଠିଛନ୍ତି। ଡ. ଦାସ ଗୋପାଳପୁର ନିର୍ବାଚନମଣ୍ଡଳୀକୁ ଅଧିକ ଫୋକସ୍‌ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି। ତେବେ ୨୦୨୪ ସାଧାରଣରେ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କାହାକୁ ଜିଲ୍ଲାର ମୁଣ୍ଡିଆଳ ଦାୟିତ୍ବ ଦେଉଛନ୍ତି, ସେସମ୍ପର୍କରେ ଏବେଠୁ କହିବା ଏକ କଷ୍ଟକର ବ୍ୟାପାର। ତେବେ, କାହିଁକି ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe