ପ୍ରାର୍ଥୀ ବଦଳ ଦାବିରେ ବିଜେପିରେ ଝଡ଼: ୧୧ ଦିନ ଧରି ସୋର ଦଳୀୟ କାର୍ଯ୍ୟାଳୟରେ ଝୁଲୁଛି ତାଲା

ପ୍ରାର୍ଥୀ ବଦଳ ଦାବିରେ ବିଜେପିରେ ଝଡ଼: ୧୧ ଦିନ ଧରି ସୋର ଦଳୀୟ କାର୍ଯ୍ୟାଳୟରେ ଝୁଲୁଛି ତାଲା

ସୋର: ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହେବା ଦିନରୁ ବିଜେପିରେ ଅସନ୍ତୋଷ ନିଆଁ କୁହୁଳିବାରେ ଲାଗିଛି। ବିଜେପିର ଟାଣୁଆ ଯୁବନେତା ତଥା ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାକେଶ ମଲିକ, ଅନୁସୂଚିତ ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ଜେନା ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜେନା ଏଠାରୁ ଟିକେଟ୍‌ ଆଶାୟୀ ଥିଲେ। ହେଲେ ଏମାନଙ୍କ ମଧ୍ୟରୁ କାହା ଉପରେ ଦଳ ଭରସା କରିନି। ବରଂ, ପଡ଼ୋଶୀ ଭଦ୍ରକ ଜିଲ୍ଲା ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ ଆଶାୟୀ ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଏହାର ପ୍ରତିଫଳନ ମଧ୍ୟ ପୂରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ଗତକାଲି ରାଜେନ୍ଦ୍ର ନିର୍ବାଚନ ମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିବା ବେଳେ ତାଙ୍କୁ ଦଳୀୟ କର୍ମୀ ଜୋରଦାର ବିରୋଧ କରିଥିଲେ। ଯାହାଫଳରେ ଶ୍ରୀ ଦାସ ଫେରି ଯାଇଥିଲେ। ସେହିପରି ଗତ ୨ ତାରିଖରେ ସୋର ବରଫକଳ ଛକ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ କର୍ମୀମାନେ ରାଜୁଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି କାରଣରୁ ଗତ ୧୧ ଦିନ ଧରି ସୋର ବିଜେପି କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ପରିବର୍ତ୍ତନ ନହେଲେ, ଆଗାମୀ ଦିନରେ ବିରୋଧ ଆହୁରି ତୀବ୍ରତର ହେବ ଏବଂ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ସମୂହ ଭାବେ ପଦରୁ ଇସ୍ତଫା ଦେବେ ବୋଲି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ ଦାସ, ସାଉଡ଼ ପଞ୍ଚାୟତ ସଭାପତି ଶରତ ନାୟକ, ଦଳର ସାମାଜିକ ଗଣମାଧ୍ୟମ ସଂଯୋଜକ ପ୍ରକାଶ ମାଝୀ, ସବିରା ପଞ୍ଚାୟତ ସଭାପତି ସପନ ପଲେଇ, କୃଷକ ମୋର୍ଚ୍ଚା ସୋର ସଭାପତି କେଦାରନାଥ ନାୟକ, ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ, ମାଣତ୍ରୀ ସରପଞ୍ଚ ନରେନ୍ଦ୍ର ବିଶ୍ୱାଳ, କାଉନସିଲର ପୂଜା ତରେଇ ଓ କାଂଶବାଂଶ ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଧାମନଗର ଉପନିର୍ବାଚନରେ ଟିକେଟ୍‌ ନ ମିଳିବାରୁ ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୮ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ଏଥିପାଇଁ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ନିକଟରେ ସେ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe