ମଦ ପାଇଁ ରାଜ୍ୟରେ ହେବ ୧୨ ଆଧୁନିକ ଡିପୋ

Advertisment

ହାଇଦ୍ରାବାଦ୍ ଢାଞ୍ଚାରେ ପ୍ରସ୍ତୁତି; ଡିପୋ ପିଛା ବ୍ୟୟ ୧୦ କୋଟି

ହାଇଦ୍ରାବାଦ୍ ଢାଞ୍ଚାରେ ପ୍ରସ୍ତୁତି; ଡିପୋ ପିଛା ବ୍ୟୟ ୧୦ କୋଟି

ମଦ ପାଇଁ ରାଜ୍ୟରେ ହେବ ୧୨ ଆଧୁନିକ ଡିପୋ

କଟକ: ହାଇଦ୍ରାବାଦ ଢାଞ୍ଚାରେ ଓଡ଼ିଶାରେ ତିଆରି ହେବ ଆଧୁନିକ ମଦ ଡିପୋ। ଏହି ଡିପୋରେ ବର୍ତ୍ତମାନ ତୁଳନାରେ ୨୦ରୁ ୩୦ ପ୍ରତିଶତ ମଦ ଅଧିକ ରହିପାରିବ। ମଦ ଗଚ୍ଛିତ ରଖିବା ପାଇଁ ଆସନ୍ତା ଅଗଷ୍ଟ ମାସରେ ୪ଟି ଆଧୁନିକ ଡିପୋ ଖୋଲିବାକୁ ଯାଉଛି। ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରୁଛି ଅବକାରୀ ବିଭାଗ। ଦ୍ବିତୀୟ ପର୍ଯ୍ୟାୟରେ ଆହରୁ ୮ଟି ଡିପୋ ଖୋଲିବାକୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ରାଜ୍ୟରେ ଥିବା ୯ଟି ମଦ ଡିପୋ ଭଡ଼ାଘରେ ଚାଲୁଥିବାରୁ ହାଇଦ୍ରାବାଦ୍ ଢାଞ୍ଚାରେ ଅଧିକ ମଦ ଓଡ଼ିଶାରେ ଗଚ୍ଛିତ ରଖିବାକୁ ଏ ପ୍ରକାର ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶ୍ରମିକ ବଦଳରେ ମେସିନ୍ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ କାମ କରାଯିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ୯ଟି ମଦ ଡିପୋ କଟକର ନିର୍ଗୁଣ୍ଡି, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବ୍ରହ୍ମପୁର, ଯାଜପୁରର ଚଣ୍ଡିଖୋଲ, ଖୋର୍ଧା, ରାୟଗଡ଼ା, ସମ୍ବଲପୁରରେ ରହିଥିବାବେଳେ ଏଥିରୁ କେବଳ ଖୋର୍ଧା ଡିପୋ ସରକାରୀ ଚିନି ମିଲରେ ଚାଲୁଛି। କିନ୍ତୁ ଅବଶିଷ୍ଟ ୮ଟି ଡିପୋ ଭଡ଼ା ଘରେ ଚାଲି ଆସୁଛି। ଏଥିପାଇଁ ଅବକାରୀ ବିଭାଗ ଉପରେ ଆର୍ଥିକ ବୋଝ ପଡ଼ୁଥିଲା। ମଦ ଗଚ୍ଛିତ ପାଇଁ ସ୍ଥାନ ଅଭାବ ସମେତ ଘର ଭଡ଼ା ଖର୍ଚ୍ଚ ଅବକାରୀ ବିଭାଗ ବହନ କରି ଆସୁଥିବାରୁ ଏବେ ସରକାରୀ ଜମିରେ ୧୨ଟି ନୂଆ ଡିପୋ ଖୋଲିବାକୁ ଯାଉଛି। ଖୋର୍ଧା, ସୋନପୁର, ବ୍ରହ୍ମପୁର ଛତ୍ରପୁର, ଅନୁଗୁଳ ଜିଲ୍ଲାରେ ନିର୍ମାଣ ହେଉଥିବା ଡିପୋ ଆସନ୍ତା ଅଗଷ୍ଟ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରତି ଡିପୋ ପାଇଁ ପାଖାପାଖି ୫ ଏକର ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ଅନ୍ୟପଟେ ସମ୍ବଲପୁର, ରାୟଗଡ଼ା, ରାଉରକେଲା, କଳାହାଣ୍ଡି, ଯାଜପୁର, ବାଲେଶ୍ବର, ଭଦ୍ରକ ଓ କଟକରେ ଦ୍ବିତୀୟ ପର୍ଯ୍ୟାୟରେ ଡିପୋ ଖୋଲିବାକୁ ଯାଉଛି। କଟକରେ ଏବେ ନିର୍ଗୁଣ୍ଡି ନିକଟରେ ଥିବା ଡିପୋ ଟାଙ୍ଗୀ-ଚୌଦ୍ବାର ରାସ୍ତା ପାର୍ଶ୍ବରେ ହେବା ନେଇ ସ୍ଥାନ ଚିହ୍ନଟ ହୋଇଛି।

ପୂର୍ବରୁ ଚାଲିଥିବା ଡିପୋରେ ପ୍ରତି ଡିପୋ ପିଛା ପ୍ରାୟ ୩୦ରୁ ୩୫ ହଜାର କେସ୍ ମଦ ଗଚ୍ଛିତ ରହୁଥିଲା। କିନ୍ତୁ ଏବେ ଯେଉଁ ବିଶାଳ ଜମିରେ ଆଧୁନିକ ଡିପୋ ନିର୍ମାଣ ହେଉଛି, ସେଠାରେ ପ୍ରାୟ ୫୦ ହଜାର କେସ୍ ମଦ ରହିବାର କ୍ଷମତା ରହିଛି। ମଦ ଅନଲୋଡିଂ, ଲୋଡିଂ, ଷ୍ଟକ୍ ସବୁକିଛି ମେସିନ୍ ମାଧ୍ୟମରେ କରାଯିବ। ଅବଧି ଶେଷ ହୋଇଯାଇଥିବା ମଦକୁ ମେସିନ୍ ମାଧ୍ୟମରେ ନଷ୍ଟ କରାଯିବ। ଉନ୍ନତମାନ ଶୌଚାଳୟ ଓ କ୍ୟାଣ୍ଟିନ୍ ବ୍ୟବସ୍ଥା ବି ସେଠାରେ କରାଯିବ। ପ୍ରତି ଡିପୋକୁ ଅନଲାନରେ ସଂଯୋଗ କରାଯାଇ ଦୈନିକ କେଉଁ ଡିପୋରେ କେତେ ମଦ ଗଚ୍ଛିତ ରହିଛି, ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ଅବକାରୀ ବିଭାଗ ନିକଟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe