ପ୍ରତି ଜିଲ୍ଲାରେ ହେବ ୭୫ଟି ‘ଅମୃତ ସରୋବର’: ରାଜ୍ୟରେ ବର୍ଷକରେ ହେବ ୨୨୫୦ଟି

Advertisment

ତୁରନ୍ତ କାମ ଆରମ୍ଭ କରିବାକୁ କେନ୍ଦ୍ରରୁ ତାଗିଦ୍

ତୁରନ୍ତ କାମ ଆରମ୍ଭ କରିବାକୁ କେନ୍ଦ୍ରରୁ ତାଗିଦ୍

ପ୍ରତି ଜିଲ୍ଲାରେ ହେବ ୭୫ଟି ‘ଅମୃତ ସରୋବର’: ରାଜ୍ୟରେ ବର୍ଷକରେ ହେବ ୨୨୫୦ଟି

Hindustan Times

ଭୁବନେଶ୍ବର: ରାଜ୍ୟରେ ଯେଉଁଠି ଜଳ ସଙ୍କଟ ଦେଖାଯା‌ଉଛି, ଲୋକ ପାନୀୟ ଜଳ ପାଇବାରେ ସମସ୍ୟା ହେଉଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ପୋଖରୀ ଖୋଳାଯିବ। ପ୍ରତି ଜିଲ୍ଲାରେ ଏହିଭଳି ୭୫ଟି ଲେଖାଏଁ ପୋଖରୀ ଖୋଳାଯିବ। ଏଥିପାଇଁ ଜିଲ୍ଲାପାଳମାନେ ‌େପାଖରୀ ପିଛା ୧ଏକର ଲେଖାଏଁ ଜମି ଚିହ୍ନଟ କରି ତାଲିକା ଦେବାକୁ କୁହାଯାଇଛି। ସାରା ରାଜ୍ୟରେ ଏହିଭଳି ୨୨୫୦ଟି ପୋଖରୀ ବା ‘ଅମୃତ ସରୋବର’ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସାରା ‌ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରକଳ୍ପ କାମ ଏପ୍ରିଲ ୨୪ରେ ଆରମ୍ଭ କରିବା ସହ ଅଗ‌ଷ୍ଟ ୧୫,୨୦୨୩ ସୁଦ୍ଧା ସାରିବାକୁ କୁହାଯାଇଛି। ପ୍ରକଳ୍ପ ଆରମ୍ଭର ଅବଧି ‌ଆଜି ପୂରିଥିବାରୁ ଜିଲ୍ଲାପାଳ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ତୁରନ୍ତ ଜାଗା ଚିହ୍ନଟ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଅମୃତ ସରୋବର ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପଞ୍ଚଦଶ ଅର୍ଥ କମିସନଙ୍କ ଅନୁଦାନ, ପିଏମ୍‌କେଏସ୍‌ୱାଇ-ଡବ୍ଲ୍ୟୁଡିସି, ପିଏମ୍‌କେଏସ୍‌ୱାଇ-ଏଚ୍‌କେକେପି-ଆର୍‌ଆର୍‌ଆର୍‌ ଯୋଜନା କିମ୍ବା ଏହିଭଳି ଯୋଜନାରୁ ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ, ପ୍ରତି ଜିଲ୍ଲାରେ ଏକ ଏକର ଲେଖାଏଁ ଜାଗାରେ ଗୋଟିଏ ଲେଖାଏଁ ଅମୃତ ସରୋବର ଖୋଳାଯିବ। ଯଦି କିଛି ସ୍ଥାନରେ ଆବଶ୍ୟକ ଜାଗା ଚିହ୍ନଟ ହୋଇନପାରିବ ତେବେ ପୁରୁଣା ପୋଖରୀକୁ ପୁନରୁଦ୍ଧାର କରି ଅମୃତ ସରୋବରରେ ପରିଣତ କରାଯିବ। କେଉଁ ଜାଗାରେ ଅମୃତ ସରୋବର ହେବ ସେନେଇ ଜାଗା ଚିହ୍ନଟ କରି ଜିଓ ଟ୍ୟାଗିଂ କରି ଅମୃତ ସରୋବର ପୋର୍ଟାଲରେ ଅପଲୋଡ୍‌ କରାଯିବ। କେବେ କାମ ଆରମ୍ଭ ହୋଇ କାମ ଶେଷ ହେବ ତାହା ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଛି। ଏଥିରେ ପୁଷ୍କରିଣୀ କଡ଼ରୁ ଜବରଦଖଲ ହଟାଇବା, ଡ୍ରେନ୍‌ ଓ ‌ସ୍ବେରେଜ୍ ପାଣି ଯେପରି ସିଧା‌ସଳଖ ନପଶିବ ସେ ବ୍ୟବସ୍ଥା କରିବା, ଡ୍ରେନ୍‌ ପାଣିକୁ ବିଶୋଧନ କରି ଛାଡ଼ିବା, ଅମୃତ ସରୋବର କଡ଼ରେ ନିମ୍ବ, ବର ଗଛ ଆଦି ଲଗାଇବା,ଦଳ ନହେବା ବ୍ୟବସ୍ଥା କରିବାକୁ କୁହାଯାଇଛି। ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସଂସ୍ଥାଙ୍କ ସହାୟତାରେ ଏହାର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରିବାକୁ କୁହାଯାଇଛି।

ସେହିପରି ଏହି ପ୍ରକଳ୍ପରୁ ରାଜନେତାଙ୍କୁ ଦୂରରେ ରଖାଯିବ। ଲୋକଙ୍କ ସହଭାଗିତାରେ କାମ ହେବ। ସ୍ବାଧୀନତା ସଂଗ୍ରାମୀ, ସହିଦଙ୍କ ପରିବାର, ଉକ୍ତ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ଦ୍ବାରା ଏହି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାକୁ କୁହାଯାଇଛି। ସ୍ବାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ଗାଁରେ ଅଗ୍ରାଧିକାର ଭିତ୍ତିରେ ଏହି ଅମୃତ ସରୋବର କରାଯିବ। ଏହି ଅମୃତ ସରୋବର କାର୍ଯ୍ୟରେ ସ୍ଥାନୀୟ ସ୍ବୟଂସହାୟିକା ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି। ଯଦି ଜଙ୍ଗଲ ଜମିରେ ଅମୃତ ସରୋବର ହେବ ତେବେ ଏଥିପାଇଁ ଜଙ୍ଗଲ ବିଭାଗ ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି। ଆସନ୍ତା ସ୍ବାଧୀନତା ଦିବସ ପୂର୍ବରୁ ଅମୃତ ସରୋବର ପାଇଁ ଜମି ଚିହ୍ନଟ କରି କାମ ଆରମ୍ଭ କରିବାକୁ କୁହାଯାଇଛି। କାମ ‌େଶଷ ହେବା ପରେ ପ୍ରତି ଅମୃତ ସରୋବର ପାଇଁ ଗୋଟିଏ ଡିଜାଇନ୍‌ର ସାଇନ୍‌ ବୋର୍ଡ ଏବଂ ଲୋଗୋ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe