Tribune India
ରାଜ୍ୟସାରା ବୁଲିବ ସଚେତନତା ରଥ; ବସିବ ଶିଶୁ ବିଧାନସଭା
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରସ୍ତୁତି
ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଖୋଲିବାକୁ ଯାଉଛି ସ୍କୁଲ। ୬ଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ। ଟିକିଏ ଅସାବଧାନ ହେଲେ ଶିଶୁମାନେ କରୋନା ମହାମାରୀର ଶିକାର ହୋଇପାରନ୍ତି। ଏହାଛଡ଼ା ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଥିବାରୁ ସେମାନଙ୍କୁ ମାନସିକସ୍ତରରେ ପ୍ରସ୍ତୁତି କରିବାର ମଧ୍ୟ ଆବଶ୍ୟକତା ମଧ୍ୟ ରହିଛି। ଏଣୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର) ଶିଶୁମାନଙ୍କୁ ସଚେତନ କରିବାକୁ ଯୋଜନା କରିଛି। ଆସନ୍ତା ୨୦ ତାରିଖରୁ ୪୦ ଦିନ ଧରି ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲିବ। ରାଜ୍ୟବ୍ୟାପୀ ସଚେତନତା ରଥ ବୁଲିବ। ୧୯ ତାରିଖ ଦିନ ବିଧାନସଭା ପରିସରରେ ଶିଶୁ ବିଧାନସଭା ବସିବ। କେବଳ ବାଚସ୍ପତିଙ୍କ ଅନୁମତିକୁ ଅପେକ୍ଷା ରହିଛି ବୋଲି ସୂଚନା ଦେଇଛନ୍ତି ଓଏସ୍ସିପିସିଆର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।
ସୂଚନା ମୁତାବକ, କୋଭିଡ୍ କଟକଣା ଯୋଗୁ ଦୀର୍ଘ ଦିନ ଧରି ପିଲାମାନେ ସ୍କୁଲ ବାହାରେ ରହିଥିବାରୁ ସେମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିଛି। ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଶୁଙ୍କ ଅଧିକାର କ୍ଷେତ୍ରରେ ‘ଜିରୋ ଟଲେରାନ୍ସ’ ଘୋଷଣା କରିଛନ୍ତି। ଏହି ପରପ୍ରେକ୍ଷୀରେ ମାନସିକସ୍ତରରେ ଶିଶୁମାନେ ପ୍ରଭାବିତ ହେଉଥିବାରୁ ସ୍କୁଲ ଖୋଲିବା ପାଇଁ ଆୟୋଗ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଇତିମଧ୍ୟରେ ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି। ଏହା ହିଁ ସଚେତନତା ପାଇଁ ପ୍ରକୃଷ୍ଟ ସମୟ ବୋଲି ଅଧ୍ୟକ୍ଷା କହିଛନ୍ତି।
ଏହି ୪୦ ଦିନିଆ କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ, ଶିଶୁ ନିର୍ଯାତନା, ଭିକ୍ଷାବୃତ୍ତି, ଶିଶୁ ସୁରକ୍ଷା, ମାନସିକ ସ୍ବାସ୍ଥ୍ୟ ଉପରେ ସଚେତନତା ସୃଷ୍ଟି କରାଯିବ। ସ୍ବତନ୍ତ୍ର ରଥ ରାଜ୍ୟ ପରିକ୍ରମା କରି ଏ ସବୁ ଉପରେ ସଚେତନତା ସୃଷ୍ଟି କରିବ। ଏହା ଛଡ଼ା ବିଭିନ୍ନ ସମୟରେ ସଭା ସମିତି ଜରିଆରେ ଖୋଦ୍ ଅଧ୍ୟକ୍ଷା ଯୋଗଦେଇ ସଚେତନ କରିବେ। ଏହାଛଡ଼ା ପ୍ରଥମ ଥର ପାଇଁ ୧୯ ତାରିଖରେ ଶିଶୁ ବିଧାନସଭା ବା ‘ଚାଇଲ୍ଡ ଆସେମ୍ବ୍ଲି’ ବସିବ। ଶିଶୁଙ୍କ ସହ ଏଥିରେ ଶିଶୁ ଅଧିକାର ସହ ଜଡ଼ିତ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହେବେ। ବିଧାନସଭା ଭଳି ଏଥିରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ। ଶିଶୁମାନେ ତାଙ୍କ ମନରେ ଉଙ୍କି ମାରୁଥିବା ବିଭିନ୍ନ ପ୍ରଶ୍ନ କିମ୍ବା ବିଭିନ୍ନ ପ୍ରସଙ୍ଗରେ ଥିବା ଅବୁଝା କଥାର ଉତ୍ତର ସମ୍ପୃକ୍ତ ଅଧିକାରୀଙ୍କଠାରୁ ସିଧାସଳଖ ପାଇପାରିବେ ବୋଲି ସେ କହିଛନ୍ତି।
Follow Us