ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ବିତୀୟ ସେତୁ

Advertisment

୪ଲେନ୍‌ ପୋଲ ପାଇଁ ୨୨୦ କୋଟିର ଟେଣ୍ଡର୍‌, ତ୍ରିଶୂଳିଆ ଓ ବେଲ୍‌ଭ୍ୟୁ ଛକ ସଂପ୍ରସାରିତ ହେବ

୪ଲେନ୍‌ ପୋଲ ପାଇଁ ୨୨୦ କୋଟିର ଟେଣ୍ଡର୍‌, ତ୍ରିଶୂଳିଆ ଓ ବେଲ୍‌ଭ୍ୟୁ ଛକ ସଂପ୍ରସାରିତ ହେବ

ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ବିତୀୟ ସେତୁ

କଟକ ; କଟକ ସହର ବିକାଶରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। କଟକ ନେତାଜୀ ବସ୍ ଟର୍ମିନାଲ୍‌ (ସିଏନ୍‌ବିଟି) ନିର୍ମାଣ, ତାଳଦଣ୍ଡା କେନାଲ ସଂପ୍ରସାରଣ ଓ ଏସ୍‌ସିବି ଏମ୍‌ସ୍‌ ପ୍ଲସ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଏବେ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା କାଠଯୋଡିର ତ୍ରିଶୂଳିଆ ଠାରେ ଦ୍ବିତୀୟ ସେତୁ ନିର୍ମାଣ ଚୂଡାନ୍ତ ହୋଇଛି। ଏଥିପାଇଁ ଓବିସିସି (ଓଡ଼ିଶା ସେତୁ ନିର୍ମାଣ ନିଗମ) ପକ୍ଷରୁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ପ‌ରେ ସେପ୍‌ଟେମ୍ବର ମାସରୁ ପୋଲ ନିର୍ମାଣ ଆରମ୍ଭ ହୋଇ ୨୦୨୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଓବିସିସିର ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ମାନସ ରଂଜନ ସେଠୀ ସୂଚନା ଦେଇଛନ୍ତି।

ତ୍ରିଶୂଳିଆ ଓ ବେଲ୍‌ଭ୍ୟୁ (ଜୁଡିସିଆଲ୍‌ ଏକାଡେମି) ଛକକୁ ସଂଯୋଗ କରୁଥିବା ଏହି ପୋଲ ନେତାଜୀ ସେତୁ ନିକଟରେ ନିର୍ମାଣ କରାଯିବ। ଏହି ପୋଲ ନିର୍ମାଣରେ ପ୍ରାରମ୍ଭିକ ଭାବେ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ପୋଲ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ। ଏବେ ଥିବା ନେତାଜୀ ସେତୁ ଠାରୁ ଏହା ଅଧିକ ଓସାରିଆ ହେବ। ନେତାଜୀ ସେତୁ ତିନିଥାକିଆ (୩ ଲେନ୍-୧୫ ମିଟର୍‌) ଥିବା ବେଳେ ନୂତନ ପୋଲ ୪ଥାକିଆ (୪ ଲେନ୍‌-୨୦ମିଟର୍‌ ଓସାର) ରହିବ।

publive-image telegraphindia.com

ପୂର୍ବ ପୋଲ ଭଳି ନୂତନ ପୋଲରେ ଫୁଟ୍‌ପାଥ୍‌ ରହିବା ସହ ଆଲୋକୀକରଣ ବ୍ୟବସ୍ଥା ରହିବ। କାଠଯୋଡ଼ିର ଏହି ନୂତନ ସେତୁ କଟକ-ଭୁବନେଶ୍ବର ସଂଯୋଗକୁ ଆହୁରି ସୁଦୃଢ଼ କରିବ। ପ୍ରଥମ ପୋଲ‌ ନିର୍ମାଣ ପରେ ବି ଟ୍ରାଫିକ୍ ସମସ୍ୟା ଲାଗି ରହିବାରୁ ଦ୍ବିତୀୟ ପୋଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ତେବେ, ଏହି ପୋଲ ହେବା ପରେ ତ୍ରିଶୂଳିଆ ଛକ ଓ ବେଲ୍‌ଭ୍ୟୁ ଛକକୁ ସଂପ୍ରସାରଣ କରାଯିବ। ବେଲଭ୍ୟୁ ଛକକୁ କଟକ ପୌର ନିଗମ ପକ୍ଷରୁ ଆକର୍ଷଣୀୟ କରାଯିବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ପୂର୍ବରୁ ୮ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି। କଟକ-ଭୁବନେଶ୍ବର ଦୁଇ ମହାନଗରର ତ୍ରିଶୂଳିଆ, ବେଲ୍‌ଭ୍ୟୁ ଛକ ଦୁଇ ପ୍ରମୁଖ ଜଂକସନ୍ ହେବ। ସେପଟେ ତ୍ରିଶୂଳିଆ ଛକରେ ଏଥିପାଇଁ ଉଚ୍ଛେଦ ଆରମ୍ଭ ହୋଇଛି। ମୋ ବସ୍ ପାଇଁ ଏକ ବସ୍ଷ୍ଟାଣ୍ଡ୍‌ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସୂଚନାଯୋଗ୍ୟ, ପୂର୍ବରୁ ଗତ ୨୦୧୭ ଜୁଲାଇରେ ମୁଖ୍ୟମନ୍ତ୍ରୀ ବେଲ୍‌ଭ୍ୟୁ ଛକସ୍ଥିତ କାଠଯୋଡିରେ ପ୍ରଥମ ସେତୁ (ନେତାଜୀ ସେତୁ) ଉଦ୍‌ଘାଟନ କରିଥିଲେ। ୨.୮୮୦ ମିଟର୍‌ ଲମ୍ବ ଏହି ପୋଲ ତିନି ଲେନ୍ ବିଶିଷ୍ଟ। ସେପଟେ, ଚହଟାଠାରେ ମହାନଦୀରେ ମଧୁ ସେତୁ ନିର୍ମାଣ ପରେ ଢେଙ୍କାନାଳ-ଅନୁଗୁଳ ଓ ସମ୍ବଲପୁରରୁ ଭୁବନେଶ୍ବରକୁ ଏକ ପ୍ରମୁଖ ସଂଯୋଗ ରାସ୍ତ‌ା ହୋଇଛି। ଦ୍ବିତୀୟ ସେତୁ ନିର୍ମାଣ ପରେ ଏହା ଅଧିକ ସୁଗମ ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe