Telegraph India
ଭୁବନେଶ୍ବର : ରେଳ ଧାରଣା ଅତିକ୍ରମ କଲା ବେଳେ ହାତୀ ଦୁର୍ଘଟଣାରେ ଶିକାର ହୋଇ ପ୍ରାଣ ହରାଉଥିବା ଘଟଣା ଶେଷରେ କେନ୍ଦ୍ର ସରକାରଙ୍କ ମନକୁ ଛୁଇଁଛି। ୮ଟି ମଡେଲ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହିତ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ରେଳ ମନ୍ତ୍ରାଳୟ ଏହାର ସମାଧାନର ରାସ୍ତା କାଢ଼ିଛନ୍ତି। ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀ ଯାଆସ କରୁଥିବା ଓ ଦୁର୍ଘଟଣା ଘଟୁଥିବା ସ୍ଥାନମାନଙ୍କୁ ଇତିମଧ୍ୟରେ ରେଳ ବିଭାଗ ଚିହ୍ନଟ କରିଛି। ଏବେ ସେସବୁ ସମ୍ବେଦନଶୀଳ ସ୍ଥାନରେ ରେଳ ଧାରଣାକୁ ଉଚ୍ଚା କରିଦିଆଯିବ। କେବଳ ସେତିକି ନୁହେଁ, ସେଠାରେ ଅଣ୍ଡରପାସ୍ ନିର୍ମାଣ ହେବ। ସମଗ୍ର ଦେଶରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରେ ଆୟୋଜିତ ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ ରେଳ ଧାରଣାରେ ଟ୍ରେନ ସହିତ ଦୁର୍ଘଟଣା ଯୋଗୁ ହାତୀ ଓ ଅନ୍ୟାନ୍ୟ ଦୁର୍ଲଭ ବନ୍ୟପ୍ରାଣୀଙ୍କ ଜୀବନହାନୀ ହେଉଛି। ଏହାକୁ କିଭଳି ରୋକାଯାଇ ପାରିବ ସେ ନେଇ ରେଳମନ୍ତ୍ରାଳୟ ଦୀର୍ଘ ଦିନ ଧରି ବିଚାରବିମର୍ଶ ଜାରି କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ସହ ଆଲୋଚନା ବି କରାଯାଇଥିଲା। ଖୁବ୍ଶୀଘ୍ର ଉଭୟ ରେଳ ଓ ଜଙ୍ଗଲ ଏବଂ ପରିବେଶ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହେବ। ଚଲାପଥ ଚିହ୍ନଟ କରିବାରେ ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଜାଗାରେ ଏଭଳି ଅଣ୍ଡରପାସ୍ ନିର୍ମାଣ ହେବ। ଗୋଟିଏ ଅଣ୍ଡରପାସ୍ରେ ଯେଭଳି ଅତିକମ୍ରେ ୧୦ଟି ହାତୀଙ୍କର ଏକ ଦଳ ଯା’ ଆସ କରିପାରିବେ ସେହିଭଳି ଆକାରରେ ନିର୍ମାଣ କରାଯିବ। ଫଳରେ ଆଗକୁ ରେଳ ଧକ୍କାରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେବ ନାହିଁ। ଓଡ଼ିଶାରେ ଏଭଳି ଅଧିକ ଦୁର୍ଘଟଣା ଘଟୁଥିବାରୁ ଏହି ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦିଆଯିବ। ପରେ ସାରା ଦେଶରେ ଏଭଳି ବ୍ୟବସ୍ଥା କରାଯିବ।
ଉଲ୍ଲେଖଯୋଗ୍ୟ ଯେ ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଆଠଗଡ଼ ଓ ଝାରସୁଗୁଡ଼ା ପ୍ରଭୃତି ଅଞ୍ଚଳରେ ହାତୀ ରେଳଧାରଣା ଅତିକ୍ରମ କଲାବେଳେ ମୃତ୍ୟୁ ବରଣ କରିଥାନ୍ତି। ଏହି ସବୁ ଅଞ୍ଚଳରେ ଉଭୟ ବିଭାଗ ସମ୍ବେଦନଶୀଳ ଜାଗା ଚିହ୍ନଟ କରିଥିବା ଜଣାପଡ଼ିଛି। ରାଜ୍ୟରେ ବର୍ଷକୁ ହାରାହାରି ୮୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟୁଛି।
Follow Us