୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌, ଲୋଗୋ ଉନ୍ମୋଚିତ, ବୁକିଂ ଆରମ୍ଭ

Advertisment

ଓଡ଼ିଶାର ପର୍ଯ୍ୟଟନକୁ ଜାଣିବା ପାଇଁ ଚମତ୍କାର ସୁଯୋଗ : ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପର୍ଯ୍ୟଟନକୁ ଜାଣିବା ପାଇଁ ଚମତ୍କାର ସୁଯୋଗ : ମୁଖ୍ୟମନ୍ତ୍ରୀ

୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌, ଲୋଗୋ ଉନ୍ମୋଚିତ, ବୁକିଂ ଆରମ୍ଭ

ଭୁବନେଶ୍ବର: ଗତ ବର୍ଷ କୋଣାର୍କର ମେରାଇନ୍ ଡ୍ରାଇଭ୍‌ରେ ଇକୋ ରିଟ୍ରିଟ୍‌ର ସଫଳତା ପରେ ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ପାଞ୍ଚଟି ସ୍ଥାନରେ ଏହି ଉତ୍ସବର ଆ‌ୟୋଜନ କରିବାକୁ ଯାଉଛି। ମେରାଇନ୍ ଡ୍ରାଇଭ୍‌ ସହ ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଓ ସାତକୋଶିଆରେ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖରୁ ଏହା ଆରମ୍ଭ ହୋଇ ଫେବ୍ରୁଆରି ୨୮ ଯାଏ ଚାଲିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକୋ ରିଟ୍ରିଟ୍‌ର ଲୋଗୋ ଉନ୍ମୋଚନ କରିବା ସହ କଟେଜ୍‌ ବୁକିଂର ଶୁଭାରମ୍ଭ କରିଛନ୍ତି।

ଏହି ଅବସର‌େର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ମେରାଇନ୍ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ସଫଳତା ଏକ ବେଞ୍ଚ୍‌ମାର୍କ ତିଆରି କରିଛି। ଚଳିତ ବର୍ଷ ପାଞ୍ଚଟି ସ୍ଥାନରେ ଏହାକୁ ଆୟୋଜନ କରାଯାଉଛି। ଇକୋ ରିଟ୍ରିଟ୍‌ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ପର୍ଯ୍ୟଟନକୁ ଜାଣିବା ପାଇଁ ଚମତ୍କାର ସୁଯୋଗ ସୃଷ୍ଟି କରିବ। କୋଭିଡ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଭିଡ୍‌ ପ୍ରୋଟୋକଲ୍‌ ଅନୁଯାୟୀ ଆତିଥେୟତା ଯେଗାଇବା ପାଇଁ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କୁ ତାଲିମ୍ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ଜାରି ଏସ୍‌ଓପି ଓ ଗାଇଡ୍‌ଲାଇନ୍‌କୁ ସମ୍ପୂର୍ଣ୍ଣ ଭାବେ ଅନୁସରଣ କରି ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂପ୍ୃକ୍ତ ଜିଲ୍ଲା ପ୍ରଶାସନ ଦାୟିତ୍ବ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। କରୋନା ସମୟରେ ଭୀଷଣ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ପୁନରୁଦ୍ଧାର ପାଇଁ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ସହାୟ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଥିଲେ।

ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ଗତ ବର୍ଷ ଇକୋ ରିଟ୍ରିଟ୍‌ ଆ‌ଶାତୀତ ସଫଳତା ପାଇଥିଲା। ଓଡ଼ିଶାକୁ ଏକ ନୂଆ ସୋପାନକୁ ନେବା ପାଇଁ ପର୍ଯ୍ୟଟନ ବିଭାଗ କାର୍ଯ୍ୟ କରିଚାଲିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ ଇକୋ ରିଟ୍ରିଟ୍‌ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ପାଞ୍ଚଟି ସ୍ଥାନରେ ପର୍ଯ୍ୟଟକ ସୁନ୍ଦର ଅନୁଭୂତି ନେଇପାରିବେ ବୋଲି କହିଥିଲେ। ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ସମେତ ପାଞ୍ଚଟି ଜିଲ୍ଲାର ଜିଲ୍ଲାପାଳ ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe