ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

Advertisment
ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ଏବର୍ଷ ବି କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବ‌ାଚନ ହେବ ନାହିଁ। କ୍ୟାମ୍ପସରେ ନେତା ବଛା ହେବେନି। ବରଂ ଯେଉଁଭଳି ପାଠପଢ଼ା ଚାଲିଛି ସେମିତି ଜାରି ରହିବ। ଅଗଷ୍ଟ ମାସରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଜୁଲାଇ ଶେଷ ସପ୍ତାହ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ଶେଷ କରିବାକୁ କୁହାଯାଇଛି। କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢ଼ାରୁ ମୁକୁଳି କ୍ୟାମ୍ପସର ସ୍ଥିତି ଯେପରି ପୂର୍ବବତଃ ଜାରି ରହିବ ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହୋଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜୁ ଛାତ୍ର ଜନତା ଦଳ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନାହିଁ। ଗତ ସପ୍ତାହରେ ଏକାଠି ହୋଇଥିବା କିଛି ନେତା ନିର୍ବାଚନ ନ କରିବାକୁ ବିଜେଡିର ବରିଷ୍ଠ ନେତାମାନଙ୍କ ନିକଟରେ ମତ ପ୍ରକାଶ କରିଥିଲେ। ସେମାନଙ୍କ କହିବା କଥା ହେଉଛି ଛାତ୍ର ସଂସଦ ନିର୍ବାଚନ କରାଗଲେ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେବା ସହ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ସୃଷ୍ଟି ହେଉଛି। ଛାତ୍ରମାନେ ଅବାଟକୁ ଚାଲି ଯାଉଛନ୍ତି। ହଣାକଟା, ବୋମା ମାଡ଼ ପରି ଘଟଣା ବିଭିନ୍ନ କ୍ୟାମ୍ପସରେ ଦେଖିବାକୁ ମିଳୁଛି। ପାଖାପାଖି ଦେଢ଼ ମାସ ଯାଏ ପାଠପଢ଼ା ପ୍ରଭାବିତ ହେଉଛି। ପିଲା କ୍ଲାସ ଆସୁନାହାନ୍ତି। ବହୁ ଛାତ୍ରଛାତ୍ରୀ ସଙ୍ଗଠନରୁ ଦୂରେଇ ଯାଉଛନ୍ତି। ଯାହାକି ଆଗକୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ। ତେଣୁ ନିର୍ବାଚନ ନ କରିବାକୁ ପ୍ରସ୍ତାବ ଦେଇଥିଲେ।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ କରିବା ଉପରେ ଆମେ ଆଦୌ ଚିନ୍ତା କରିନାହୁଁ। କରୋନା ସଂକ୍ରମଣ ଯୋଗୁଁ ଦୁଇଟି ଶିକ୍ଷାବର୍ଷ ପ୍ରଭାବିତ ହୋଇଥିଲା। ଅଢ଼େଇ ବର୍ଷ ହେଲା କ୍ଲାସ କିମ୍ବା ଶିକ୍ଷାବର୍ଷ ସ୍ବାଭାବିକ ଭାବେ ଚାଲି ପାରୁନାହିଁ। ଏ ପର୍ଯ୍ୟନ୍ତ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ସେମିଷ୍ଟର୍‌ ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟରେ ବି ସରୁନି। କ୍ଲାସରୁମ୍‌ ପାଠପଢ଼ା ହେଉଥିଲେ ମଧ୍ୟ ଏବେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବାରୁ ପିଲାଙ୍କ ମଧ୍ୟରେ ସାମାନ୍ୟ ଭୟ ଦେଖିବାକୁ ମିଳୁଛି। କ‌ରୋନା ସ୍ଥିତିରେ ଯେଉଁ ପାଠପଢ଼ା ପ୍ରଭାବିତ ହୋଇଥିଲା ସେଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ଲାଗି ଆହୁରି ଦେଢ଼ ବର୍ଷ ଲାଗିଯିବ। ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ।

ଏହାକୁ ମିଶାଇ ଲଗାତାର ୫ମ ବର୍ଷ ଲାଗି କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବାକୁ ଯାଉଛି। ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା। ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା। ୨୦୨୧ରେ କରୋନା ସ୍ଥିତି ଲାଗିରହିବାରୁ ନିର୍ବାଚନ କରାଯାଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe