ଜଳେଶ୍ବର: ରାଜ୍ୟରେ ଟସର କାରିଗରୀ ପାଇଁ ଖ୍ୟାତି ଲାଭ କରିଥିବା ମାକଡ଼ିଆ ଟସର ଓ ଉତ୍ପାଦକ ଗୋଷ୍ଠୀର କାର୍ଯ୍ୟଦକ୍ଷତା ଓ ରୋଜଗାର ବଢ଼ାଇବା ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ହୋଇଛି। ଭିତ୍ତିଭୂମି ଓ ବୁଣାକାରଙ୍କ ବିକାଶ ପାଇଁ ଓର୍ମାସ ଓ ମିସନ ଶକ୍ତି ଜରିଆରେ ପାଖାପାଖି ୬କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ବାଲେଶ୍ବରର ନବନିଯୁକ୍ତ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ମାକଡ଼ିଆରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି।
ପୂର୍ବାହ୍ନ ୧୧ଟା ୧୫ ମିନିଟରେ ଜିଲ୍ଲାପାଳ ମାକଡ଼ିଆ ପଞ୍ଚାୟତ ଅଫିସରେ ପହଞ୍ଚି ପଞ୍ଚାୟତର ବିଭିନ୍ନ ଉତ୍ପାଦକ ଗୋଷ୍ଠୀ (ପ୍ରଡ୍ୟୁସର ଗ୍ରୁପ)ର କର୍ମକର୍ତ୍ତା ଓ ବୁଣାକାରମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଏକ ସମୀକ୍ଷା ବୈଠକରେ ବଜାର ସହ ତାଳଦେଇ ଅତ୍ୟାଧୁନିକ ପ୍ରଣାଳୀରେ କିପରି ଟସର କାର୍ଯ୍ୟ ହୋଇପାରିବ ସେନେଇ ତାଲିମ ବ୍ୟବସ୍ଥା, ବୈଷୟିକ ସହାୟତା ଯଥା ମେସିନ ଯୋଗାଣ, କାରିଗରମାନଙ୍କୁ ନେଇ ସ୍ବତନ୍ତ୍ର କର୍ମଶାଳା ଆୟୋଜନ, ପ୍ରଡକ୍ସନ ହଲ, ସରକାରୀ ଦରରେ ଟସର କୋଷା ଯୋଗାଇବା ସମ୍ପର୍କରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ।
ପ୍ରାରମ୍ଭରେ ମାକଡ଼ିଆ ସରପଞ୍ଚ ବିଷ୍ଣୁପ୍ରିୟା ଘୋଷ ଓ ସଦସ୍ୟା ସୁପ୍ରଭା ଘଡ଼େଇ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଓର୍ମାସର ବାଲେଶ୍ବରସ୍ଥିତ ଡେପୁଟି ସିଇଓ ଜିତେନ୍ଦ୍ର କୁମାର ବିଶ୍ୱାଳ, ମିସନ ଶକ୍ତିର ଡିପିସି ବିଶ୍ୱଜିତ ପରିଡ଼ା, ବିପିଏମ୍ ମଧୁସ୍ମିତା ଦାସ, ବିପିସି ଲୋପାମୁଦ୍ରା ପରିଡ଼ା, ଏମ୍ବିକେ ପ୍ରିୟଙ୍କା ଘଡ଼େଇଙ୍କ ସମେତ ସମସ୍ତ ସିଆର୍ପି ବହୁ କାରିଗର ଓ ବୁଣାକାର ଉପସ୍ଥିତ ଥିଲେ।
ଆଲୋଚନା ସମୟରେ ଜିଲ୍ଲାପାଳ ମାକଡ଼ିଆ ତ୍ରିଶକ୍ତି ଟସର ଉତ୍ପାଦକ ଗୋଷ୍ଠୀ, ସପ୍ତଭଗିନୀ ଟସର ଉତ୍ପାଦକ ଗୋଷ୍ଠୀ ଓ ରାଧାକୃଷ୍ଣ ଟସର ଉତ୍ପାଦକ ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲାପାଳ କେତେକ ମହିଳା ବୁଣାକାରଙ୍କ ଘରକୁ ଯାଇ ସେମାନଙ୍କ କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବା ସହ ପ୍ରଶଂସା କରିଥିଲେ।
Follow Us