ବିଶ୍ବଜିତ ଦାଶ
ଭୁବନେଶ୍ବର: ବିଧାନସଭାରେ ମନ୍ତ୍ରୀଙ୍କ ମୁହଁରେ ଭ୍ରମାତ୍ମକ ତଥ୍ୟ ଦେବାର ଧାରା ଜାରି ରହିଛି। ପୂର୍ବ ସରକାର ଅମଳରୁ ଚାଲିଥିବା ଏହି ଅଘୋଷିତ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ। ଚିରାଚରିତ ଭାବେ ‘ତଥ୍ୟ ସଂଗ୍ରହ କରାଯାଉଛି’ ବୋଲି ତିନିଟି ଶବ୍ଦ ଲେଖି ଦେଇ ବିଭାଗମାନେ ଦାୟିତ୍ବ ଝାଡ଼ିଦେଉଛନ୍ତି। ଆଉ କିଛି ପ୍ରଶ୍ନର ଉତ୍ତର ଅଧା। ଚିନ୍ତାର ବିଷୟ ହେଲା, ମନ୍ତ୍ରୀମାନେ ନିଜେ ବିଭାଗରୁ ଆସୁଥିବା ଏଭଳି ଉତ୍ତରରେ ମୋହର ମାରି ତାହାକୁ ବିଧାନସଭାରେ ଉପସ୍ଥାପନ କରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଦିଆଯାଉଥିବା ଉତ୍ତର କ୍ଷେତ୍ରରେ ମଧ୍ୟ ତାହା ଘଟୁଛି। ବିରୋଧୀ ଦଳରେ ଥିଲା ବେଳେ ବିଜେପି ଏହାକୁ କଡ଼ା ସମାଲୋଚନା କରୁଥିଲା। ଏବେ ବିଜେପି ସରକାରରେ ସେ ଢାଞ୍ଚା ବଦଳି ପାରିନାହିଁ।   

Advertisment

Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

ଭୁବନେଶ୍ବରରେ ବିଧାୟକ ଓ ମନ୍ତ୍ରୀଙ୍କୁ ଆବଣ୍ଟିତ ସରକାରୀ କ୍ବାର୍ଟର୍ସର ମରାମତି, ରକ୍ଷଣାବେକ୍ଷଣ ଓ ଆବଶ୍ୟକସ୍ଥଳେ ନୂତନ ନିର୍ମାଣ ପାଇଁ ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ କେଉଁ କ୍ବାର୍ଟର୍ସ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି? ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭା‌ରେ ଏହି ପ୍ରଶ୍ନ ପଚାରିଥିଲେ। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଲିଖିତ ଉତ୍ତରରେ କହିଥିଲେ, ଏହାର ସବିଶେଷ ବିବରଣୀର ତଥ୍ୟ ଖୋଜା ଚାଲିଛି। କୌତୂହଳ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କୁ ବି ଏହିଭଳି ଏକ ପ୍ରଶ୍ନ ପଚରାଯାଇଥିଲା। କେଉଁ କ୍ବାର୍ଟର୍ସରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ କିନ୍ତୁ ତା’ର ତାଲିକା ଦେଲେ। ପ୍ରଶ୍ନ ଉଠୁଛି ପୂର୍ତ୍ତ ବିଭାଗ ଅର୍ଥ ଖର୍ଚ୍ଚ କରୁଛି। କିନ୍ତୁ ମନ୍ତ୍ରୀ କହିଲେ, ହିସାବ ଖୋଜାଯାଉଛି। ସାଧାରଣ ପ୍ରଶାସନ ବିଭାଗ ବର୍ତ୍ତମାନ ସୁଦ୍ଧା କ୍ବାର୍ଟର୍ସ ମରାମତି ପାଇଁ ଯେଉଁ ଅଧପନ୍ତରା ଅର୍ଥ ପୈଠ ହୋଇଛି ତା’ର ହିସାବ ଦେଇଦେଲା କେମିତି?  

‘ତଥ୍ୟ ସଂଗ୍ରହ ଚାଲିଛି’ ରୋଗ କମିନି 
ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡ଼ୁନାହାନ୍ତି
ସଂସଦୀୟ ବ୍ୟାପାର ବିଭାଗର ଚିଠି ମାନିଲେନି

ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନ ଥିଲା, ରାଜ୍ୟରେ କେତୋଟି ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଅଛି? ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କର ଉତ୍ତର ଥିଲା, ‘ତଥ୍ୟ ସଂଗ୍ରହ କରାଯାଉଛି।’ ସରକାରଙ୍କଠାରୁ ଲାଇସେନ୍ସ ନେଲେ ହିଁ ଜଣେ ମଦ ଦୋକାନ ଖୋଲି ମଦ ବିକିପାରିବ। ଏପରିକି କେଉଁ ଲାଇସେନ୍ସପ୍ରାପ୍ତ ଦୋକାନ କେତେ ମଦ ଉଠାଇବେ, କେତେ ଟଙ୍କା ଜମା କରିବେ ସରକାର ତଥ୍ୟ ରଖିଛନ୍ତି। ମଦରୁ କେତେ ଟିକସ ମିଳିଲା, ମୋଟ୍ ରାଜସ୍ବ କେତେ ମିଳୁଛି ସେ ହିସାବ ବି ବିଭାଗ ପାଖରେ ଅଛି। ହେଲେ ମନ୍ତ୍ରୀଙ୍କ ମୁହଁରେ ବିଭାଗ କୁହାଇଦେଲା ଯେ କେତେ ମଦ ଦୋକାନ ଲାଇସେନ୍ସ ନେଇଛନ୍ତି ଜାଣିନାହାନ୍ତି। ବିଧାୟିକା ସୋଫିଆ ଫିରଦୋସ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ, କେତେ ଜଣ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଲୋକ ପ୍ରତିନିଧିଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଛି? ଏହି ବନ୍ଧୁକ ଲାଇସେନ୍ସଧାରୀଙ୍କ ମଧ୍ୟରୁ କେତେ ଜଣଙ୍କ ନାମରେ ଆପରାଧିକ ମାମଲା ଅଛି? ମୁଖ୍ୟମନ୍ତ୍ରୀଙ୍କର ଲିଖିତ ଉତ୍ତର ଥିଲା, ‘ତଥ୍ୟ ସଂଗ୍ରହ ହେଉଛି।’  ପ୍ରଶ୍ନ ଉଠୁଛି କେଉଁ ଥାନା ଅଧୀନରେ କେତେ ଜଣଙ୍କୁ ବନ୍ଧୁକ ଲାଇସେନ୍ସ ଦିଆଯାଇଛି ତାହାର ତାଲିକା ସଂପୃକ୍ତ ଥାନାରେ ଅଛି। ଏମିତିରେ ବି ନିର୍ବାଚନ ପୂର୍ବରୁ ବନ୍ଧୁକ ଲାଇସେନ୍ସଧାରୀଙ୍କୁ ଥାନାରେ ବନ୍ଧୁକ ଜମା କରିବାକୁ କୁହାଯାଏ। ବନ୍ଧୁକ ଲାଇସେନ୍ସଧାରୀଙ୍କ ତାଲିକା ଦେବାରେ ଗୃହ ବିଭାଗର ସମସ୍ୟା କେଉଁଠି ରହିଲା?

Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

ବିଭାଗରୁ ଆସୁଥିବା ଏଭଳି ଖାମଖିଆଲି ଉତ୍ତର ଯେ ମନ୍ତ୍ରୀଙ୍କ ନଜରରେ ନାହିଁ, ଏକଥା ନୁହେଁ। କିନ୍ତୁ ଏମିତି କି ବାଧ୍ୟବାଧକତା ଅଛି ଯେ ନିରବ ରହୁଛନ୍ତି? ବିଧାୟକମାନଙ୍କ ପ୍ରଶ୍ନର ଠିକ୍ ସମୟ ମଧ୍ୟରେ କିଭଳି ସମ୍ପୂର୍ଣ୍ଣ ଏବଂ ସ୍ପଷ୍ଟ ଉତ୍ତର ମିଳିବ; ସେଥିପାଇଁ ସଂସଦୀୟ ବ୍ୟାପାର ବିଭାଗ ଗତ ସେପ୍ଟେମ୍ବର ୮ ତାରିଖରେ ପତ୍ରସଂଖ୍ୟା ୬୮୬୫ରେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲା। ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସ୍ପଷ୍ଟ ଭାବେ ଜଣାଇଥିଲେ, ବିଧାନସଭା ପ୍ରଶ୍ନର ଉତ୍ତର ଗୃହରେ ରଖିବା ସମୟରେ, ବିଭିନ୍ନ ପ୍ରସଙ୍ଗରେ ଏହା ସରକାରଙ୍କ ସ୍ଥିତିକୁ ପ୍ରତିଫଳିତ କରୁଥିବାରୁ ସେଗୁଡ଼ିକୁ ଅତ୍ୟନ୍ତ ସତର୍କତା ଏବଂ ଯତ୍ନର ସହ ପ୍ରସ୍ତୁତ କରାଯିବା ଦରକାର। ଏଥିପାଇଁ କେଉଁ କେଉଁ ଦିଗକୁ ଧ୍ୟାନ ଦିଆଯିବ ସେନେଇ ପରାମର୍ଶ ମଧ୍ୟ ସେ ଦେଇଥିଲେ। ଉତ୍ତରଗୁଡ଼ିକ ତଥ୍ୟଗତ ଭାବେ ଠିକ୍, ବ୍ୟାପକ ଏବଂ ପ୍ରଶ୍ନରେ ଉଠାଯାଇଥିବା ସମସ୍ତ ଦିଗକୁ ସମାଧାନ କରିପାରୁଥିବ। ଉତ୍ତରରେ ଥିବା ସୂଚନା ଦାଖଲ କରିବା ପୂର୍ବରୁ ଏହାକୁ ପ୍ରାମାଣିକ ରେକର୍ଡ ସହିତ ଯଥାର୍ଥ ଭାବେ ଯାଞ୍ଚ କରାଯିବ ବୋଲି କୁହାଯାଇଥିଲା। ବିଡ଼ମ୍ବନାର ବିଷୟ, ଅଢ଼େଇ ମାସ ପରେ ବିଧାନସଭା ଅଧିବେଶନ ପ୍ରମାଣ କରିଦେଲା ଯେ ଏହି ଚିଠିକୁ ଅଧିକାଂଶ ବିଭାଗ ମାନିନାହାନ୍ତି।