କୋରାପୁଟ: ୮୦ ଆଦିବାସୀ ପରିବାର ପାଇଁ ଗାଁରେ ଥିଲା ମାତ୍ର ଦୁଇଟି ନଳକୂପ। କିନ୍ତୁ, ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ ବି ପର୍ଯ୍ୟାପ୍ତ ପାଣି ବାହାରୁନଥିଲା। ଖରାଦିନେ ତ ଗୋଟିଏ ବାଲ୍ଟି ପାଣି ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଥିଲା। ଏ ନେଇ ଗ୍ରାମବାସୀ ଅନେକଥର ପ୍ରଶାସନକୁ ଅବଗତ କରାଇଥିଲେ। କିନ୍ତୁ କେହି ବି ଗୁରୁତ୍ବ ଦେଲେନାହିଁ। କିନ୍ତୁ, ଗାଁର ଏହି ସମସ୍ୟା ଲୋକଙ୍କୁ ପରସ୍ପର ସହ ଏମିତି ଯୋଡ଼ିଲା ଯେ, ନିଜ ସମସ୍ୟାକୁ ନିଜେ ସମାଧାନ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ କେ.ଦଣ୍ଡାବାଡ଼ି ଗ୍ରାମବାସୀ। ଅସମ୍ଭବ ମନେ ହେଉଥିଲେ ସୁଦ୍ଧା ପାହାଡ଼ ଉପରେ ବନ୍ଧ ବାନ୍ଧିଛନ୍ତି। ଝରଣା ପାଣିକୁ ଗଚ୍ଛିତ କରି ତାହାକୁ ଗାଁ ପର୍ଯ୍ୟନ୍ତ ଆଣି ବହୁ ବର୍ଷର କଷ୍ଟ ଏବଂ ଶୋଷକୁ ମାତ୍ର ୧୦ରୁ ୧୨ଦିନ ମଧ୍ୟରେ ସମାପ୍ତ କରିଛନ୍ତି।
ଦଶମନ୍ତପୁର ବ୍ଲକ୍ ସଦର ମହକୁମା ଠାରୁ ମାତ୍ର ୫କିଲୋମିଟର ଦୂରରେ ରହିଛି କେ.ଦଣ୍ଡାବାଡ଼ି ଗାଁ। ଏଠାକାର ସମସ୍ତ ବାସିନ୍ଦା ଆଦିବାସୀ। ଖରାଦିନ ଆରମ୍ଭରୁ ହିଁ ଗାଁରେ ଜଳ ସଂକଟ ହାହାକାର ପରିସ୍ଥିତି ସୃଷ୍ଟି କରୁଥିଲା। ରାତି ପାହିବା ବେଳକୁ ଗାଁର ମହିଳାମାନେ ଦୁଇ କିଲୋମିଟର ଚାଲି ଝରଣା ନିକଟରୁ ପାଣି ସଂଗ୍ରହ କରୁଥିଲେ। ଦିନସାରା ପରିଶ୍ରମ କରି ଯେଉଁ ପାଣି ଘରକୁ ଆଣୁଥିଲେ ତାହା ବି ଦିନେ ଦିନ ନିଅଣ୍ଟ ପଡ଼ୁଥିଲା। ଜଳକଷ୍ଟର ପ୍ରଭାବ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଉପରେ ବି ସିଧାସଳଖ ପଡ଼ୁଥିଲା। ତେଣୁ ପ୍ରଶାସନକୁ ଏହି ବିଷୟରେ ଜଣାଇଲେ, ସ୍ଥାୟୀ ସମାଧାନ ନିମନ୍ତେ ଗୁହାରି ବି କରିଥିଲେ। ପ୍ରତ୍ୟେକଥର ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଗ୍ରାମବାସୀଙ୍କୁ ନିଜ ଅବସ୍ଥାରେ ଛାଡ଼ି ଦେଇଥିଲା।
ପାଣି ପାଇଁ ନିରାଶା ହୋଇଥିବା ଗ୍ରାମବାସୀଙ୍କୁ କିନ୍ତୁ ପାଣି ହିଁ ଆତ୍ମନିର୍ଭରଶୀଳ ହେବାକୁ ରାସ୍ତା ଦେଖାଇଥିଲା। ପ୍ରଶାସନ ଉପରେ ଆଉ ନିର୍ଭର ନହୋଇ ନିଜ ସମସ୍ୟାର ଅନ୍ତ ନିଜେ କରିବାକୁ ବୈଠକ କରି ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ନିଜ ମଧ୍ୟରେ ଚାନ୍ଦା କରି ୮୦ହଜାର ଟଙ୍କା ଆଦାୟ କଲେ। ଯାହାକୁ ବିନିଯୋଗ କରି ପାଇପ୍ କିଣିଲେ ଏବଂ ଗାଁ ଭିତରେ ଏକାଧିକ ଷ୍ଟାଣ୍ଡ୍ପୋଷ୍ଟ୍ ନିର୍ମାଣ କରିଥିଲେ। ଏହାପରେ ଗାଁ ନିକଟସ୍ଥ ପାହାଡ଼ ଉପରୁ ଝରି ଆସୁଥିବା ପାଣିକୁ ବନ୍ଧ ବାନ୍ଧି ରୋକିଲେ। ଗଚ୍ଛିତ ପାଣିକୁ ପାଇପ ଯୋଗେ ଗାଁ ପର୍ଯ୍ୟନ୍ତ ନେଇ ଆସିଛନ୍ତି। ଗାଁର ସମସ୍ତେ ୧୦ରୁ ୧୨ଦିନ ଧରି ଶ୍ରମଦାନ କରିବା ପରେ ଏବେ ୨୪ଘଣ୍ଟା ପାଣି ଘର ନିକଟରେ ହିଁ ମିଳିଯାଉଛି।
Follow Us