dead body Photograph: (sambad.in)
ନନ୍ଦାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଥାନା ପଡ଼ାଲଗୁଡ଼ା ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପଡ଼ାଲଗୁଡ଼ା ଗାଁ ପୂଜାରୀ ସାହିର ଲାଲୁ ରଣା (୨୬), ତ୍ରିଲୋଚନ ଭତ୍ରା (୨୫), ଖ୍ରୀଷ୍ଟିଆନ୍ ସାହିର ଅମୀୟ ଖରା (୩୦) ଓ ଏମ୍. ସନ୍ତୁ (୨୮)। ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ମୃତଦେହ ହସ୍ତାନ୍ତର କରାଯାଇଛି। ୪ ଯୁବକଙ୍କ ଅକାଳ ମୃତ୍ୟୁକୁ ନେଇ ପରିବାରବର୍ଗଙ୍କ ସମେତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା କହିଛନ୍ତି।
ମଙ୍ଗଳବାର ପଡ଼ାଲଗୁଡ଼ା ଖ୍ରୀଷ୍ଟିଆନ ସାହିର ମୋହନ ନାଗଙ୍କ ନୂଆ ଘରେ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟରିଂ ବାହାର କରୁଥିଲେ ଶ୍ରମିକ ଲାଲୁ ଓ ତ୍ରିଲୋଚନ। ଶ୍ୱାସରୁଦ୍ଧ କାରଣରୁ ଉଭୟ ଟାଙ୍କି ମଧ୍ୟରେ ପଡ଼ି ଯାଇଥିଲେ। ଚିତ୍କାର ଶୁଣି ଅମୀୟ ଓ ସନ୍ତୁ ଉଦ୍ଧାର କରିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। କିନ୍ତୁ ସେମାନେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଟାଙ୍କିରେ ପଡ଼ି ଯାଇଥିଲେ। ଆଖପାଖ ଲୋକ
ଘଟଣା ସମ୍ପର୍କରେ ଅବଗତ ହେବା ପରେ ନବରଙ୍ଗପୁର ଥାନା, ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ସମସ୍ତଙ୍କୁ ଟାଙ୍କିରୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଲାଲୁ, ତ୍ରିଲୋଚନ ଓ ଅମୀୟଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୁଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାର କିଛି ସମୟ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଡାକ୍ତରଖାନା ଓ ପଡ଼ାଲଗୁଡ଼ା ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଥାନା ଅଧିକାରୀ ସମ୍ବିତ ବେହେରା ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ। ମୃତକମାନେ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।
Follow Us