ସ୍କୁଲ ରୂପାନ୍ତର ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ିତୋଳିବ: ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତର ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ିତୋଳିବ: ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଛାତ୍ରଛାତ୍ରୀ କହିଲେ ଏବେ ସ୍କୁଲ ଆସିବାକୁ ଭଲ ଲାଗୁଛି

ଭୁବନେଶ୍ବର : ସ୍କୁଲ ରୂପାନ୍ତର କେବଳ ଆଖିକୁ ଆକର୍ଷଣୀୟ ଲାଗୁନି। ଏହା ପିଲାଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆକର୍ଷିତ କରୁଛି। ଆଜି ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୪୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ଅବସର‌ରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ। ଏଥିରେ କେନ୍ଦୁଝରର ଲକ୍ଷ୍ମୀ, ରାୟଗଡ଼ାର କସ୍ତୁରୀ, ନୂଆପଡ଼ାର ଶୁଭଶ୍ରୀ ଓ ସୁନ୍ଦରଗଡର ଦେବରାଜ କହିଥିଲେ ଯେ ଆଗ ଅପେକ୍ଷା ଏବେ ଆମକୁ ସ୍କୁଲକୁ ଆସିବାକୁ ଭଲ ଲାଗୁଛି। ପାଠପଢ଼ାରେ ମନ ଲାଗୁଛି।

ଏହାପରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ। ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ହିଁ ରୂପାନ୍ତର ଆସେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା’ ଭିତରେ ବିପୁଳ ସମ୍ଭାବନା ଭରି ରହିଛି। ପିଲାଙ୍କ ଆଖିରେ ସୁନ୍ଦର ଭବିଷ୍ୟତର ସ୍ବପ୍ନ ଥାଏ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡ଼ି ପାରିଛି। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର। ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କର ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରେମାନନ୍ଦ ନାୟକ, ଜଗନ୍ନାଥ ସାରକା, ରାଜେନ୍ଦ୍ର ଢୋଲକିଆ, ସାରଦା ପ୍ରସାଦ ନାୟକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥି‌େଲ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବାବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାର ୪୪୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡ଼ର ୧୮୦ଟି, ରାୟଗଡ଼ାର ୭୦ଟି ଓ ନୂଆପଡ଼ାର ୪୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe